ଭୁବନେଶ୍ୱର: ଅବକାରୀ ବିଭାଗ ପକ୍ଷରୁ ଗତ ଡିସେମ୍ବର ୨୦ ତାରିଖରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଚଢ଼ାଉ ଅଭିଯାନର ୨୧ତମ ରୁ ୨୪ତମ ଦିନ ମଧ୍ୟରେ ମୋଟ ୯୨୦ଟି ମାମଲା ରୁଜୁ ହୋଇଛି I ଏଥି ମଧ୍ୟରେ ୩୬ଟି ମାମଲା NDPS ଆଇନ ଅଧୀନରେ ରୁଜୁ ହୋଇଛି। ଏହି ଅବଧିରେ ମୋଟ ୫.୩୮ କୋଟି ଟଙ୍କା ମୂଲ୍ୟର ବେଆଇନ ସାମଗ୍ରୀ ଜବତ କରାଯାଇଥିବାବେଳେ ୩.୨୧ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି । ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଏହି ଅଭିଯାନର ଚାରିଦିନ ସମୟ ମଧ୍ୟରେ ମାମଲାରେ ସମ୍ପୃକ୍ତ ୪୬୩ ଜଣଙ୍କୁ ଗିରଫ କରାଯାଇଥିବା ସହ ୬୫ଟି ଗାଡ଼ି ଜବତ ହୋଇଛି।
ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ୪୨,୩୯୯ ଲିଟର ଅବୈଧ ଦେଶୀ ମଦ ଏବଂ ୧,୫୦୪ ଲିଟର duty paid liquor ରହିଛି । ଏହା ସହିତ ୩,୮୩,୭୪୨ ଲିଟର ମହୁଲି ପୋଚ, ୫୬,୫୦୦ କିଲୋଗ୍ରାମ ଗୁଡ଼ ପୋଚ, ୧,୨୦୦ କିଲୋଗ୍ରାମ ମହୁଲି ଫୁଲ ଏବଂ ୧୫ କିଲୋଗ୍ରାମ ଭାଙ୍ଗ ମଧ୍ୟ ଜବତ କରାଯାଇଛି। ନିଷିଦ୍ଧ ନିଶା ଦ୍ରବ୍ୟ ସ୍ୱରୂପ ଏହି ଚଢ଼ାଉ ସମୟରେ ୩୮୧ କିଲୋଗ୍ରାମ ଗଞ୍ଜେଇ ଏବଂ ୧,୦୮୪ ଗ୍ରାମ ବ୍ରାଉନ୍ ସୁଗାର ଜବତ କରାଯାଇଛି। ସେହିପରି ଗଞ୍ଜେଇ ଗଛର ଅବୈଧ ଚାଷ ସମ୍ପର୍କିତ ୪ଟି ମାମଲା ରୁଜୁ ହୋଇଛି, ଏଥିରେ କୋରାପୁଟ ଓ ଅନୁଗୁଳରେ ଗୋଟିଏ ଲେଖାଏଁ ମାମଲା ରୁଜୁ ହୋଇଥିବା ବେଳେ ମାଲକାନଗିରିରେ ଦୁଇଟି ମାମଲା ରୁଜୁ ହୋଇଛି ।










