32.1 C
Bhubaneswar
Saturday, June 7, 2025
Homeଦେଶ ବିଦେଶବଢୁଛି ଏଭରେଷ୍ଟ ଉଚ୍ଚତା

ବଢୁଛି ଏଭରେଷ୍ଟ ଉଚ୍ଚତା

ନୂଆଦିଲ୍ଲୀ : ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ଦିନକୁ ଦିନ ବଢ଼ିବାରେ ଲାଗିଛି । ସମୁଦ୍ର ପତ୍ତନଠାରୁ ୮.୮୫ କିଲୋମିଟର ଉଚ୍ଚରେ ଥିବା ପୃଥିବୀର ଏହି ସର୍ବୋଚ୍ଚ ଗିରିଶୃଙ୍ଗର ଉଚ୍ଚତା ବୃଦ୍ଧି ପାଉଥିବା ସମ୍ପର୍କରେ ନେଚର ଜିଓସାଇନ୍ସ ପତ୍ରିକାରେ ଏକ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ ଇଣ୍ଡିଆନ ଏବଂ ୟୁରେସିଆନ୍ ଟେକ୍ଟୋନିକ୍ ପ୍ଲେଟ୍‌ଗୁଡିକ ଧକ୍କା ହେବା ଫଳରେ ପ୍ରାୟ ୫ କୋଟି ବର୍ଷ ହେବ ହିମାଳୟର ଉଚ୍ଚତା ବୃଦ୍ଧି ପାଉଛି । ଏହାଦ୍ୱାରା ମାଉଣ୍ଟ ଏଭେରେଷ୍ଟର ମଧ୍ୟ ଉଚ୍ଚତା ଧୀରେ ଧୀରେ ଉପରକୁ ଉଠୁଛି । ତେବେ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଉଚ୍ଚତା ବୃଦ୍ଧି ଦିଗରେ କରାଯାଉଥିବା ଆକଳନ ଠାରୁ ମଧ୍ୟ ଦ୍ରୁତ ଗତିରେ ଏହା ବୃଦ୍ଧି ପାଉଛି ।
ଚୀନ୍ ୟୁନିଭର୍ସଟି ଅଫ୍ ଜିଓ ସାଇନ୍ସର ଜିଓ ସାଇଣ୍ଟିଷ୍ଟ ଜିନ୍‌-ଜେନ୍ ଡାଏଙ୍କ ନେତୃତ୍ୱରେ ହୋଇଥିବା ଏହି ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଆଞ୍ଚଳିକ ନଦୀ ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କାରଣରୁ ଏଭରେଷ୍ଟ ଉଚ୍ଚତାରେ ତ୍ୱରିତ ଅଭିବୃଦ୍ଧି ଘଟୁଛି । ପ୍ରାୟ ୮୯ ହଜାର ବର୍ଷ ପୂର୍ବେ କୋସି ନଦୀ ଏବଂ ଅରୁଣ ନଦୀ ମିଶ୍ରିତ ହୋଇଯିବା ଫଳରେ ଏଭରେଷ୍ଟ ଆନୁମାନିକ ୪୯-୧୬୪ ଫୁଟ (୧୫-୫୦ ମିଟର) ବୃଦ୍ଧି ପାଇଥିଲା । ଏହା ଆଇସୋଷ୍ଟାଟିକ୍ ରିବାଉଣ୍ଡ ନାମକ ଏକ ଭୌଗୋଳିକ ପ୍ରକ୍ରିୟା କାରଣରୁ ହୋଇଥାଏ । ନଦୀଗୁଡ଼ିକର ମିଶ୍ରଣ ହେବା ଦ୍ୱାରା ମାଟି ଏବଂ ପଥର ସ୍ତର ଉପର ଭାଗକୁ ଚାଲିଆସେ । ଫଳରେ ପୃଥିବୀର ଭୂତଳ ଓଜନ କମିଯାଏ । ଏହା ଠିକ୍ ନଦୀରେ ଡଙ୍ଗା ଏବଂ ଜାହାଜ ଭାସିବା ପ୍ରକ୍ରିୟା ପରି ହୋଇଥାଏ । ଅଧ୍ୟୟନରେ ଆକଳନ କରାଯାଇଛି ଯେ, ଏଭରେଷ୍ଟର ଉଚ୍ଚତା ବର୍ଷକୁ ପ୍ରାୟ ୦.୦୧-୦.୦୨ ଇଞ୍ଚ (୦.୨-୦.୫ ମିଲିମିଟର) ବୃଦ୍ଧି ପାଉଛି । ପବନ, ବର୍ଷା ଏବଂ ନଦୀ ପ୍ରବାହ କାରଣରୁ ଭୂପୃଷ୍ଠର କ୍ଷୟକ୍ଷତି କାରଣରୁ ଏପରି ଘଟୁଛି । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି, ଏହାର ପ୍ରଭାବରେ ମାଉଣ୍ଟ ଏଭେରେଷ୍ଟର ପଡ଼ୋଶୀ ପର୍ବତ ଶିଖର ଲୋହଟସେ ଏବଂ ମାକାଲୁର ମଧ୍ୟ ଉଚ୍ଚତା ବୃଦ୍ଧି ପାଉଛି । ଅରୁଣ ନଦୀ ନିକଟରେ ଅବସ୍ଥିତ ମାକାଲୁ, ଏଭରେଷ୍ଟ ତୁଳନାରେ ଅଧିକ ବଢ଼ିଛି । ବୈଜ୍ଞାନିକଙ୍କ ଏହି ଅନୁଧ୍ୟାନ ଦର୍ଶାଉଛି ଯେ, କ୍ରମାଗତ ଭାବରେ ପୃଥିବୀର ପରିବର୍ତ୍ତନ ହେଉଛି । ଭୌଗୋଳିକ ପ୍ରକ୍ରିୟା ଅଦୃଶ୍ୟ ଭାବେ ବଦଳି ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking