ଭୁବନେଶ୍ୱର: ଲୋକଙ୍କ ସ୍ୱାସ୍ଥ୍ୟସେବାକୁ ଦୃଷ୍ଟିରେ ରଖି ଡାକ୍ତରଙ୍କ ସାମୟିକ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ନେଇ କଠୋର ହୋଇଛନ୍ତି ରାଜ୍ୟ ସରକାର। ଓଡ଼ିଶା ମେଡିକାଲ୍ ସର୍ଭିସ୍ ଆସୋସିଏସନ୍ (ଓମ୍ସା) ପକ୍ଷରୁ ଆରମ୍ଭ ହୋଇଥିବା ଦୁଇଘଣ୍ଟିଆ ଓପିଡି ବନ୍ଦ ଆନ୍ଦୋଳନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଏସ୍ମା ଲାଗୁ କରିଛନ୍ତି। ଗୃହ ବିଭାଗ ପକ୍ଷରୁ ଏସ୍ମା ଲାଗୁ କରାଯିବା ନେଇ ନିର୍ଦ୍ଦେଶନାମା ଜାରି ହୋଇଛି। ଏହା ଆସନ୍ତା ୬ ମାସ ପାଇଁ ବଳବତ୍ତର ରହିବ। ଏସ୍ମା ଲାଗୁ ସମୟରେ ଡାକ୍ତରମାନେ ଆନ୍ଦୋଳନ କିମ୍ବା କାର୍ଯ୍ୟବନ୍ଦ କଲେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ୧୦ ଦଫା ଦାବି ନେଇ ଗତ କିଛିଦିନ ହେଲା ଓମ୍ସା ଆନ୍ଦୋଳନ ଚଳାଇଛି। ପ୍ରଥମେ ଓପିଡି ଏକଘଣ୍ଟା ପାଇଁ ବନ୍ଦ କରୁଥିଲେ ଡାକ୍ତର। ଗତକାଲି ଠାରୁ ଦୁଇ ଘଣ୍ଟା ପାଇଁ ଓପିଡି ବନ୍ଦ କରାଯାଇଥିଲା। ସକାଳ ୯ଟାରୁ ୧୧ ପର୍ଯ୍ୟନ୍ତ ଓପିଡି ବନ୍ଦ କରୁଥିଲେ ଆନ୍ଦୋଳନରତ ଡାକ୍ତର। ପୂର୍ବରୁ ସରକାର ଓମ୍ସା ସହ ଏକାଧିକ ଥର ଆଲୋଚନା ପରେ ମଧ୍ୟ ଦାବି ପୂରଣ ନେଇ ନିଷ୍ପତ୍ତି ହୋଇପାରୁ ନଥିଲା।
୧୪ ତାରିଖ ପର୍ଯ୍ୟନ୍ତ ଦୁଇଘଣ୍ଟା ଓପିଡି ବନ୍ଦ ପରେ ୨୭ରୁ ସମ୍ପୁର୍ଣ୍ଣ ଓପିଡି ବନ୍ଦ କରିବାକୁ ଘୋଷଣା କରିଥିଲା ଓମ୍ସା। ଅନ୍ୟ ରାଜ୍ୟ ଭଳି ଓଡ଼ିଶାର ଡାକ୍ତରମାନଙ୍କୁ ସମୟାନୁସାରେ ପଦୋନ୍ନତି ପ୍ରଦାନ କରିବା, ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ହେଉଥିବା ଆକ୍ରମଣ ରୋକିବାକୁ କଡ଼ା ନିୟମ ପ୍ରଣୟନ ଏବଂ ସୁରକ୍ଷା ବାହିନୀ ନିୟୋଜନ, ଡାକ୍ତରମାନଙ୍କର ପ୍ରାରମ୍ଭିକ ମୂଳ ଦରମା ଏବଂ ଭତ୍ତାକୁ ସଂଶୋଧନ କରି ଅନ୍ୟାନ୍ୟ କ୍ୟାଡର୍ ସହ ସମାନ କରିବା, ଡାକ୍ତରଙ୍କ ବଦଳି ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ଏବଂ ପତି-ପତ୍ନୀ ଆଧାରରେ ବଦଳିକୁ ଅଧିକ ପ୍ରାଧାନ୍ୟ ଦେବା, ବିଭିନ୍ନ ଡାକ୍ତରଖାନାରେ ଖାଲି ପଡ଼ିଥିବା ହଜାର ହଜାର ଡାକ୍ତର ପଦବୀକୁ ତୁରନ୍ତ ପୂରଣ କରିବା, ଓଡ଼ିଶା ମେଡିକାଲ ସେବା କ୍ୟାଡର୍ର ପୁନର୍ଗଠନ କରି ପଦୋନ୍ନତିର ସୁଯୋଗ ବୃଦ୍ଧି କରିବା, କାର୍ଯ୍ୟରତ ଡାକ୍ତରଙ୍କ ମୃତ୍ୟୁ ହେଲେ ସେମାନଙ୍କ ପରିବାରକୁ ଆର୍ôଥକ ସହାୟତା ପାଇଁ ଏକ ସ୍ୱତନ୍ତ୍ର ପାଣ୍ଠି ଗଠନ କରିବା, ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଡାକ୍ତରଙ୍କ ରହିବା ପାଇଁ ଉନ୍ନତ ଆବାସିକ ବ୍ୟବସ୍ଥା ଯୋଗାଇବା ଏବଂ ଡାକ୍ତରଙ୍କୁ କେବଳ ଚିକିତ୍ସା କାର୍ଯ୍ୟରେ ନିୟୋଜିତ କରି ସେମାନଙ୍କ ଉପରୁ ଅଣ-ଚିକିତ୍ସା କିମ୍ବା କିରାଣି କାମର ଚାପ କମାଇବା ଭଳି ୧୦ ଦଫା ଦାବି ନେଇ ଓମ୍ସା ଆନ୍ଦୋଳନ ଡାକରା ଦେଇଥିଲା।









