ନୂଆଦିଲ୍ଲୀ: ରାଶନ କାର୍ଡ ଇସ୍ୟୁ ପାଇଁ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକୃତ ହୋଇଥିବା ଦାଦନ ଶ୍ରମିକମାନଙ୍କ ଯାଞ୍ଚରେ ବିଳମ୍ବ କରୁଥିବା ରାଜ୍ୟଗୁଡ଼ିକୁ ସୁପ୍ରିମକୋର୍ଟ ମଙ୍ଗଳବାର ଭର୍ତ୍ସନା କରିଛନ୍ତି । ୪ ସପ୍ତାହ ମଧ୍ୟରେ ଯାଞ୍ଚ ଶେଷ କରିବାକୁ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ରାଜ୍ୟଗୁଡ଼ିକରେ ଦାଦନ ଶ୍ରମିକ ଯାଞ୍ଚ ଶେଷ ହୋଇଛି, ସେଠାକୁ ଖାଦ୍ୟଶସ୍ୟ ପଠାଇବା ନିମନ୍ତେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ଯାଞ୍ଚ ପ୍ରକ୍ରିୟା ଶେଷ ନ ହୁଏ, ତେବେ ସମ୍ପୃକ୍ତ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ସମନ କରାଯିବ ବୋଲି ଜଷ୍ଟିସ୍? ସୁଧାଂଶୁ ଧୁଲିଆ ଏବଂ ଅହସାନୁଦ୍ଦିନ ଅମନୁଲ୍ଲାଙ୍କ ଖଣ୍ଡପୀଠ କହିଛନ୍ତି ।
୪ ମାସ ସମୟ ଦିଆଯିବା ସତ୍ତ୍ୱେ ଯାଞ୍ଚ ସରିଲାନି କାହିଁକି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ । କେବଳ ବିହାର ଏବଂ ତେଲଙ୍ଗାନାରେ ଦାଦନ ଶ୍ରମିକ ଯାଞ୍ଚ ୧୦୦ ପ୍ରତିଶତ ଶେଷ ହୋଇଥିବା ବେଳେ ଅନ୍ୟ ରାଜ୍ୟଗୁଡ଼ିକ ବିଫଳ ହୋଇଛନ୍ତି । ଏପରିକି କେତେକ ରାଜ୍ୟରେ ଏପର୍ଯ୍ୟନ୍ତ ଯାଞ୍ଚ ଆରମ୍ଭ ହୋଇ ନ ଥିବା ଆଇନଜୀବୀ ପ୍ରଶାନ୍ତ ଭୂଷଣ ଅଦାଲତଙ୍କୁ ଜଣାଇଥିଲେ । ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକୃତ ହୋଇଥିବା ୮ କୋଟି ଦାଦନ ଶ୍ରମିକଙ୍କୁ ୨ ମାସ ମଧ୍ୟରେ ରାଶନ କାର୍ଡ ଯୋଗାଇଦେବା ପାଇଁ ସୁପ୍ରିମକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ।










