19.3 C
Bhubaneswar
Thursday, January 2, 2025
Homeଦେଶ ବିଦେଶକେରଳ, ପଞ୍ଜାବ, ୟୁପିରେ ବଦଳିଲା ଉପନିର୍ବାଚନ ତାରିଖ; ୧୪ ବିଧାନସଭା ଆସନ ପାଇଁ ୨୦ରେ ହେବ...

କେରଳ, ପଞ୍ଜାବ, ୟୁପିରେ ବଦଳିଲା ଉପନିର୍ବାଚନ ତାରିଖ; ୧୪ ବିଧାନସଭା ଆସନ ପାଇଁ ୨୦ରେ ହେବ ଭୋଟ୍‌ଗ୍ରହଣ

ନୂଆଦିଲ୍ଲୀ: କେରଳ, ପଞ୍ଜାବ ଏବଂ ଉତ୍ତରପ୍ରଦେଶ (ୟୁପି)ରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତାରିଖରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ସୋମବାର ଏସମ୍ପର୍କରେ ସୂଚନା ଦେଇ ନିର୍ବାଚନ ଆୟୋଗ କହିଛନ୍ତି ଯେ, ନଭେମ୍ବର ୧୩ରେ ଏହି ୩ ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନ ଏବେ ନଭେମ୍ବର ୨୦ରେ ଅନୁଷ୍ଠିତ ହେବ। କିନ୍ତୁ ଫଳାଫଳ ତାରିଖ ସମାନ ରହିବ। ଅର୍ଥାତ୍ ପୂର୍ବ ନିର୍ଦ୍ଧାରିତ ତାରିଖରେ ହିଁ ଏସବୁ ଆସନରେ ଭୋଟଗଣତି ସହ ଫଳାଫଳ ଘୋଷଣା କରାଯିବ। ଆୟୋଗଙ୍କ ଅନୁସାରେ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୂର୍ବ ତାରିଖରେ ହେବାକୁ ଥିବା ନିର୍ବାଚନକୁ ସ୍ଥଗିତ ରଖାଯିବା ସହ ନୂଆ ତାରିଖ ଘୋଷଣା କରାଯାଇଛି। ଏକାଧିକ ରାଜନୈତିକ ଦଳ (ବିଜେପି, କଂଗ୍ରେସ, ବିଏସ୍‌ପି ଏବଂ ଆରଏଲ୍‌ଡି ଇତ୍ୟାଦି), ସମାଜସେବୀ ସଂଗଠନ ଉପନିର୍ବାଚନ ତାରିଖକୁ ଆଉ କିଛି ବିଳମ୍ବ କରିବାକୁ ନିର୍ବାଚନ ଆୟୋଗଙ୍କୁ ଅନୁରୋଧ କରିଥିଲେ। ନଭେମ୍ବର ୧୩ରେ ହେବାକୁ ଥିବା ସାମାଜିକ, ସାଂସ୍କୃତିକ ତଥା ଧାର୍ମିକ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଏପ୍ରକାର ଅନୁରୋଧ କରାଯାଇଥିଲା। କାରଣ ଏହି ଦିନରେ ଭୋଟ୍‌ଗ୍ରହଣ କରାଯାଇଥିଲେ ଭୋଟିଂ ପ୍ରକ୍ରିୟା ପ୍ରଭାବିତ ହେବାର ଆଶଙ୍କା ରହିଥିବା ଦର୍ଶାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି କେବଳ ନିର୍ବାଚନ ତାରିଖରେ ପରିବର୍ତ୍ତନ କରାଯାଇଛି, ଫଳାଫଳ ତାରିଖରେ ନୁହେଁ।
କଂଗ୍ରେସ ଅନୁସାରେ କେରଳର ୫୬-ପଲକ୍କଡ୍ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନଭେମ୍ବର ୧୩ରୁ ୧୫ ତାରିଖ ମଧ୍ୟରେ ଏକ ସାଂସ୍କୃତିକ ଉତ୍ସବ “କଲପଥି ରସ୍ଥୋଲସଭମ୍‌” ଆୟାଜନ କରାଯିବ। ଏପ୍ରକାର କାର୍ଯ୍ୟକ୍ରମ ପାଇଁ ଲୋକେ ବେଶ୍ ସମ୍ବେଦନଶୀଳ ରହିଥାନ୍ତି। ସୁତରାଂ ଏହି ସମୟରେ ନିର୍ବାଚନ ପ୍ରକ୍ରିୟା ଆୟୋଜନ କରାଗଲେ ମଧ୍ୟ ସ୍ଥାନୀୟ ଲୋକେ ଭୋଟ୍ ଦେବାକୁ ଆସିନଥାନ୍ତି। ପଞ୍ଜାବରେ ମଧ୍ୟ ନଭେମ୍ବର ୧୫ରେ ଶ୍ରୀ ଗୁରୁ ନାନକ ଦେବଜୀଙ୍କ ୫୫୫ତମ ପ୍ରକାଶ ପର୍ବ ପାଳନ କରାଯିବ। ଏହି ଉପଲକ୍ଷେ ପଞ୍ଜାବବାସୀ ନଭେମ୍ବର ୧୩ରେ ଅଖଣ୍ଡ ପାଠ ଭଳି ଧାର୍ମିକ କାର୍ଯ୍ୟ ପାଇଁ ବ୍ୟସ୍ତ ରହିବେ। ଅନ୍ୟପକ୍ଷେ ବିଜେପି, ବିଏସ୍‌ପି ଏବଂ ଆରଏଲ୍‌ଡି ଆଦି ରାଜନୈତିକ ଦଳ ମଧ୍ୟ ସମାନ କଥା କହିଛନ୍ତି। ଏମାନଙ୍କ କହିବାନୁସାରେ ସ୍ଥାନୀୟ ଲୋକେ କାର୍ତ୍ତିକ ପୂର୍ଣ୍ଣିମା ପାଳନ ଉପଲକ୍ଷେ ୩/୪ ଦିନ ଧରି ବ୍ୟସ୍ତ ରହିଥାନ୍ତି ଏବଂ ଏହି ସମୟରେ ଭୋଟ୍ ଦେବାକୁ ମଧ୍ୟ ସେମାନେ ଆଗ୍ରହ ପ୍ରକାଶ କରିନଥାନ୍ତି।
ସୂଚନାଯୋଗ୍ୟ, ଏହି ୩ ରାଜ୍ୟର ୧୪ ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏହି ୧୪ ବିଧାନସଭା ଆସନଗୁଡ଼ିକ ହେଲେ କେରଳରେ ପଲକ୍କଡ, ପଞ୍ଜାବରେ ଡେରା ବାବା ନାନକ, ଚାବେୱଲ୍ (ଏସ୍‌ସି), ଗିଦ୍ଦରବାହା ଏବଂ ବର୍ଣ୍ଣଳା, ଉତ୍ତରପ୍ରଦେଶରେ ଖାଇର (ଏସ୍‌ସି), ମିରାପୁର, କୁନ୍ଦରକି, ଗାଜିଆବାଦ୍‌, କରହଲ୍‌, ସିଶାମାଉ, ଫୁଲପୁର, କାଟେହରି ଏବଂ ମଝାୱନ୍ ଆଦି ବିଧାନସଭା ଆସନ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking