ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଫଟାଗୁଡା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । କେନାଲରୁ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ଧାମନଗୁଡା ପଲସାପଡା ନିକଟରୁ ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କ ନାମ ହେଉଛି ହୀରାମଣି ସୌରା । ସୂଚନା ଅନୁସାରେ, ମୁଖିଗୁଡା ଓଡିଶା ଜଳ ବିଦ୍ୟୁତ ପ୍ରକଳ୍ପ କାର୍ଯ୍ୟାଳୟର ଅବସରପ୍ରାପ୍ତ କର୍ମଚାରୀ ଚନ୍ଦ୍ର ସୌରାଙ୍କ ମୃତ୍ୟୁ ପରେ ପତ୍ନୀ ହୀରାମଣି ଗତ ଗୁରୁବାର ଦିନ ପେନସନଜନିତ କାଗଜପତ୍ର ପାଇଁ ମୁଖିଗୁଡା ଆସିଥିଲେ । ଏଠାରେ ରାଣୀବାହାଲ ଗୋଜିଆପଡାଠାରେ ଥିବା ନିଜ ସମ୍ପର୍କୀୟଙ୍କ ଘରେ ରହିଥିଲେ । ଗତ ସୋମବାର ସଂଧ୍ୟାରେ ହୀରାମଣି କେନାଲ ଆଡକୁ ଯାଇ ନିଖୋଜ ହେଇଯାଇଥିଲେ । ପରିବାର ଲୋକ ଖୋଜା ଖୋଜି କରିଥିଲେ ମଧ୍ୟ ବୃଦ୍ଧାଙ୍କ କୌଣସି ସନ୍ଧାନ ପାଇ ନ ଥିଲେ । ବୁଧବାର ସକାଳେ କେନାଲରେ ମୃତଦେହ ଭାସୁଥିବା ସୂଚନା ପାଇ ପରିବାର ଲୋକେ ଘଟଣା ସ୍ଥଳରେ ପହଂଚି ହୀରାମଣିଙ୍କୁ ଚିହ୍ନଟ କରିଥିଲେ । ଖବରପାଇ ଜୟପାଟଣା ପୁଲିସ ଏବଂ ଅଗ୍ନିଶମ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି।