ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପରେ ବି ଆଜି ପୁଣି ଜମ୍ମୁ-କାଶ୍ମୀର ସାମ୍ବାରେ ଉଡିଲା ପାକିସ୍ତାନୀ ଡ୍ରୋନ । ସାମ୍ବା ସେକ୍ଟରରେ ପାକିସ୍ତାନୀ ଡ୍ରୋନ ଦେଖାଯିବା ସହ ବଡ଼ ବିସ୍ଫୋରଣ ଶବ୍ଦ ବି ଶୁଭିଛି । ‘ଅପରେସନ ସିନ୍ଦୂର’କୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ ପରେ ଏହି ପାକିସ୍ତାନୀ ଡ୍ରୋନ ଉଡୁଥିବାର ଦେଖାଯାଇଛି । ଏହାପରେ ପୁରା ସହରକୁ ବ୍ଲାକ୍ ଆଉଟ୍ କରାଯାଇଛି । ଯାହା ଖବର ମିଳିଛି, ଏହି ଡ୍ରୋନଗୁଡିକୁ ଭାରତୀୟ ସେନା ଅକାମୀ କରିଦେଇଛି । ଏନେଇ ସେନା ପକ୍ଷରୁ କୁହାଯାଇଛି, କିଛି ସମୟ ପୂର୍ବରୁ ପାକିସ୍ତାନ ପଟୁ ବହୁତ କମ୍ ସଂଖ୍ୟାରେ ଡ୍ରୋନ୍ ଆସିଥିଲା । ଆମେ ସବୁ ଡ୍ରୋନ ନଷ୍ଟ କରିଦେଇଛୁ । ଏବେ ଆଦୌ ଚିନ୍ତିତ ହେବାର ନାହିଁ । ‘ଅପରେସନ ସିନ୍ଦୂର’ ପ୍ରସଙ୍ଗରେ ଆଜି ରାତି ୮ଟାରେ ପ୍ରଥମ ଥର ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜର ସମ୍ବୋଧନରେ ପାକିସ୍ତାନକୁ କଡ଼ା ଜବାବ ଦେଇ ମୋଦି କହିଥିଲେ ଯେ, ଆମେ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ବର୍ତ୍ତମାନ କେବଳ ସ୍ଥଗିତ ରଖିଛୁ । ଦେଖୁଛୁ, ତାର ପରବର୍ତ୍ତୀ ଆଚରଣ କ’ଣ ରହୁଛି । ଯଦି ସେପଟୁ ଆକ୍ରମଣ ହୁଏ, ତେବେ ଏହାର ଜୋରଦାର ଜବାବ ଦିଆଯିବ । ପରମାଣୁ ବ୍ଲାକମେଲିଂ ଆଦୌ ସହ୍ୟ କରିବୁ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।