ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ଠାରେ ଗତକାଲି ଦେଶର ସର୍ବବୃହତ ଇସ୍ପାତ ପ୍ରକଳ୍ପ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ପ୍ରକଳ୍ପର ଭିତ୍ତିପ୍ରସ୍ତର ସେହି ରାଜ୍ୟର ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡ଼ୁ ସ୍ଥାପନ କରିଥିବା ବେଳେ ଓଡ଼ିଶାର କେନ୍ଦ୍ରାପଡା ଜିଲ୍ଲାରେ ପ୍ରତିଷ୍ଠିତ ହେବାକୁ ଥିବା ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ମେଗା ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି । କେବଳ ଏହି ପ୍ରକଳ୍ପ ନୁହେଁ ବରଂ ପୂର୍ବ ସରକାରଙ୍କ ସମୟରେ ରାଜ୍ୟରେ ପ୍ରତିଷ୍ଠା ହେବା ପାଇଁ ଚୁକ୍ତିବଦ୍ଧ ହୋଇଥିବା ଅନେକ କମ୍ପାନୀ ଓଡିଶା ଛାଡିଲେଣି, କିନ୍ତୁ ରାଜ୍ୟ ସରକାରଙ୍କ ଏଥିପ୍ରତି ନିଘା ନାହିଁ ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି ।ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ବିଧାୟକ ଶ୍ରୀ ସାରଦା ପ୍ରସନ୍ନ ଜେନା ରାଜ୍ୟରୁ ଗୋଟିଏ ପରେ ଗୋଟିଏ ଶିଳ୍ପ ଅନୁଷ୍ଠାନ ବିଦାୟ ନେଉଥିବା ବେଳେ, ରାଜ୍ୟ ସରକାର କେବଳ ଉତ୍ସବ ମନାଇବାରେ ବ୍ୟସ୍ତ୍ୟ ଅଛନ୍ତି ବୋଲି କହିଛନ୍ତି ।ଶ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ, ପୂର୍ବ ସରକାରଙ୍କ ସମୟରେ କେନ୍ଦ୍ରାପଡା ଜିଲ୍ଲାରେ ୨୪ ମିଲିଅନ ଟନ କ୍ଷମତା ବିଶିଷ୍ଟ ଏକ ମେଗା ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ସହିତ ରାଜ୍ୟ ସରକାରଙ୍କ ଚୁକ୍ତି ହୋଇଥିଲା । ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଜାପାନରେ ଥିବା ନିପନ ଷ୍ଟିଲ କାରଖାନାକୁ ପରିଭ୍ରମଣ କରିଥିଲେ । ଏହାପରେ ଏହି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ, ରେଲୱେ ଲାଇନ, ରାସ୍ତା ନିର୍ମାଣ ଓ ନିକଟରେ ଏକ ବନ୍ଦର ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ରାଜ୍ୟରେ ବିଜେପି ସରକାର କ୍ଷମତାସୀନ ହେବା ପରେ ସମସ୍ତ କାମ ଧିମେଇ ଯାଇଛି । ଗତକାଲି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ସେଠାରେ ଅବିକଳ ଏହିପରି ଏକ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ ଓଡ଼ିଶାରେ ପ୍ରତିଷ୍ଠା ହେବାକୁ ଥିବା ପ୍ରକଳ୍ପ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି । ଓଡ଼ିଶାରେ ପ୍ରତିଷ୍ଠା ହେବା ପ୍ରକଳ୍ପକୁ ବିଶ୍ୱର ସର୍ବବୃହତ ଗ୍ରୀନଫିଲ୍ଡ ପ୍ରକଳ୍ପ କୁହାଯାଉଥିବା ବେଳେ ଆନ୍ଧ୍ରରେ ଆରମ୍ଭ ହେବାକୁ ଯାଉଥିବା ପ୍ରକଳ୍ପକୁ ମଧ୍ୟ ବିଶ୍ୱର ସର୍ବବୃହତ ଗ୍ରୀନଫିଲ୍ଡ ଇସ୍ପାତ ପ୍ରକଳ୍ପ କୁହାଯାଉଛି । ପୂର୍ବରୁ ଏନେଇ ପ୍ରଶ୍ନ ଉଠିଥିଲା ବେଳେ, ରାଜ୍ୟ ବିଜେପି ସରକାର ଏହାକୁ ଅସ୍ୱୀକାର କରିଆସୁଛନ୍ତି । କିନ୍ତୁ ଓଡ଼ିଶାରେ ଏହି ପ୍ରକଳ୍ପ କାର୍ଯ୍ୟ ଠପ୍ ହୋଇଯାଇଥିବା ବେଳେ ଆନ୍ଧ୍ରରେ ଆରମ୍ଭ ହୋଇଯାଇଛି ।
ଶ୍ରୀ ନାୟକ କହିଥିଲେ, ଡବଲ ଇଞ୍ଜିନ ଡବଲ ବିକାଶ ନାରା ଦେଇ ବିଜେପି ସରକାରକୁ ଆସିଥିବା ବେଳେ ରାଜ୍ୟର ବିକାଶରେ ଡବଲ ବ୍ରେକ ଲାଗିଛି । ପୂର୍ବ ସରକାରଙ୍କ ସମୟରେ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଚୁକ୍ତିବଦ୍ଧ ହୋଇଥିବା କମ୍ପାନୀ ମାନଙ୍କ ଭିତରୁ, କେବଳ ଏଏମଏନଏସ ନୁହେଁ, ଏମିତି ଅନେକ କମ୍ପାନୀ ଓଡିଶାରୁ ବିଦାୟ ନେଲେଣି । ରାଜ୍ୟ ସରକାରଙ୍କ ଏଥିପ୍ରତି ନିଘା ନାହିଁ । ରାଜ୍ୟ ସରକାର କେବଳ ଉତ୍ସବରେ ମାତିଛନ୍ତି । ରାଜ୍ୟ ଓ ରାଜ୍ୟ ବାହାରେ ଉକ୍ରର୍ଷ ଓଡିଶା କାର୍ଯ୍ୟକ୍ରମ ହେଉଛି ଓ ଅନେକ ଶିଳ୍ପ ଅନୁଷ୍ଠାନ ଓଡିଶା ଆସିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ବୋଲି ସରକାର କହୁଛନ୍ତି, କିନ୍ତୁ ଶିଳ୍ପ ଅନୁଷ୍ଠାନ ଆସିବା ପରିବର୍ତ୍ତେ ବିଦାୟ ନେଉଛନ୍ତି । ଗତ ପ୍ରାୟ ୨୦ ମାସର ବିଜେପି ଶାସନରେ ଅନେକ କମ୍ପାନୀ ଯଥା, କଟକ ଠାରେ ପ୍ରତିଷ୍ଠା ହେବାକୁ ଥିବା ଜିନ୍ଦଲ ଇଭି ପ୍ରକଳ୍ପ, ଚୌଦ୍ୱାର ଠାରେ ପ୍ରତିଷ୍ଠା ହେବାକୁ ଥିବା ୱେଲସ୍ପନ କମ୍ପାନୀ, ଢେଙ୍କାନାଳ ଓ ଅନୁଗୁଳ ଠାରେ ପ୍ରତିଷ୍ଠା ହେବାକୁ ଥିବା ୱାରୀ ସୋଲାର ପ୍ରକଳ୍ପ ଓ ସେମି କଣ୍ଡକ୍ଟର ତିଆରି କରୁଥିବା ଏସ ରାମ, ଏନ ରାମ କମ୍ପାନୀ ଅନ୍ୟ ରାଜ୍ୟକୁ ଚାଲିଗଲେଣି । ଏହିସବୁ ପ୍ରକଳ୍ପ ଗୁଡିକ ରାଜ୍ୟରେ ସ୍ଥାପନ ହୋଇଥିଲେ, ରାଜ୍ୟର ହଜାର ହଜାର ଯୁବକ ଯୁବତୀ ନିଯୁକ୍ତି ପାଇଥାନ୍ତେ । ପ୍ରକଳ୍ପ ଚାଲିଯିବା ଦ୍ୱାରା ଏହି ସୁଯୋଗ ହାତଛଡା ହୋଇଛି ।ଶ୍ରୀ ସାରଦା ପ୍ରସନ୍ନ ଜେନା କହିଥିଲେ, ପାରାଦ୍ୱୀପ ବାଲିଯାତ୍ରା ସମୟରେ ପାରାଦ୍ୱୀପ ବିଧାୟକ ତଥା ରାଜ୍ୟର ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ସ୍ୱାଇଁ ଓ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କୁ ସେ ସଭା ମଣ୍ଡପରୁ ଏଏମଏନଏସ ରାଜ୍ୟରେ ପ୍ରତିଷ୍ଠା ହେବା ନେଇ ସ୍ପଷ୍ଟ କରନ୍ତୁ ବୋଲି କହିଥିଲେ । ତାଙ୍କ ପ୍ରଶ୍ନର ଉତ୍ତରରେ, ଉଭୟ ଶିଳ୍ପ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ସମ୍ମୁଖରେ ଏହା ଓଡିଶାରୁ ଯାଇନାହିଁ ବୋଲି କହିଥିଲେ । ସେହିପରି ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ, ଶିଳ୍ପ ମନ୍ତ୍ରୀ ମଧ୍ୟ ଏଏମଏନଏସ ରାଜ୍ୟରୁ ଯାଇନାହିଁ ବୋଲି କହିଥିଲେ । କିନ୍ତୁ ଦୁଃଖ ଓ ପରିତାପର ବିଷୟ, ଆନ୍ଧ୍ରରେ ଗତକାଲି ଏହି ପ୍ରକଳ୍ପର ଶୁଭ ଦିଆଯାଇଛି । ତେଣୁ ଗତକାଲି ଆମ ରାଜ୍ୟ ପାଇଁ ଏକ କଳା ଦିବସ ଥିଲା । ରାଜ୍ୟ ସରକାର ପ୍ରକୃତ ତଥ୍ୟ ଉପରୁ ପରଦା ଉଠାନ୍ତୁ । ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖନ୍ତୁ । କେବଳ ଏଏମଏନଏସ ନୁହେଁ, ଅନେକ ଚୁକ୍ତିବଦ୍ଧ କମ୍ପାନୀ ରାଜ୍ୟ ଛାଡିଲେଣି ।










