> ପୂର୍ବତଟ ରେଳପଥରେ ଆଉ ରହିଲା କ’ଣ?
> ରେଳମନ୍ତ୍ରୀ ଓଡ଼ିଶାର, ଅଥଚ ଓଡ଼ିଶାର ଅଙ୍ଗଛେଦନ ଚାଲିଛି
> ଯଦି ଓ୍ବାଲଟିୟର, ପଲାସା, ଇଚ୍ଛାପୁରମକୁ ପୂର୍ବତଟରୁ ନେଲ, ଲକ୍ଷ୍ମଣନାଥରୁ ଝାରସୁଗୁଡ଼ା ପୂର୍ବତଟକୁ ଆଣ
> ୟୁପିଏ ସରକାର ଅମଳର ପ୍ରସ୍ତାବିତ ନର୍ଲା ଓ ସୀତାପୁର ଓ୍ବାଗନ କାରଖାନା ଗଲା କୁଆଡ଼େ?
ରେଳ ମନ୍ତ୍ରଣାଳୟ ଗତ ଗୁରୁବାର ଏକ ନୂତନ ନିର୍ଦ୍ଦେଶ ଜାରି କରି ପ୍ରସ୍ତାବିତ ଦକ୍ଷିଣ ତଟ ବା ସାଉଥ୍ କୋଷ୍ଟ ରେଳପଥ (SCoR) ଜୋନ୍ର ଅଧିକାର କ୍ଷେତ୍ରକୁ ସଂଶୋଧନ କରିଛନ୍ତି। ଏହା ଦ୍ୱାରା ଓଡ଼ିଶାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ରେଳ ଅଂଶକୁ ଏବେ ଏହି ଜୋନ୍ ଅଧୀନରେ ସାମିଲ କରିବାକୁ ଅନୁମୋଦନ କରାଯାଇଛି। ବୋର୍ଡ ଏପ୍ରିଲ୍ ୨, ୨୦୨୬ ତାରିଖରେ ଜାରି କରିଥିବା ନିର୍ଦ୍ଦେଶ ଅନୁଯାୟୀ, ବର୍ତ୍ତମାନ ପୂର୍ବ କୋଷ୍ଟ ରେଳପଥ (ECoR) ଅଧୀନରେ ଥିବା ଖୋର୍ଦ୍ଧା ରୋଡ୍ ଡିଭିଜନର ପଲାସା–ଇଚ୍ଛାପୁରମ୍ ଅଂଶକୁ ପ୍ରସ୍ତାବିତ ଦକ୍ଷିଣ ତଟ ବା ସାଉଥ୍ କୋଷ୍ଟ ରେଳପଥ (SCoR) ଜୋନ୍ର ବିଶାଖାପାଟନା ଡିଭିଜନ୍ ଅଧୀନକୁ ସ୍ଥାନାନ୍ତରିତ କରାଯିବ। ଏହା ଫଳରେ ଓଡ଼ିଶା ପ୍ରତି ଡବଲ ଇଂଜିନ ସରକାରର ପ୍ରତାରଣା ଜଳଜଳ ଦିଶୁଛି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ତଥା ପୂର୍ବତନ ରେଳ ରାଷ୍ଟ୍ରମନ୍ତ୍ରୀ ଭକ୍ତ ଚରଣ ଦାସ କହିଛନ୍ତି।
ଏକ ପ୍ରସ୍ ବିବୃତ୍ତିରେ ଶ୍ରୀ ଦାସ କହିଛନ୍ତି, ରେଳ କର୍ତ୍ତୃପକ୍ଷଙ୍କ ବିଜ୍ଞପ୍ତି ଅନୁସାରେ, ପ୍ରସ୍ତାବିତ ଦକ୍ଷିଣ ତଟ ଜୋନ୍ରେ ପଲାସା–ଇଚ୍ଛାପୁରମ୍ ଅଂଶକୁ ସାମିଲ୍ କରାଯାଊଛି। ତେବେ ଏହି ପଦକ୍ଷେପ ଦ୍ୱାରା ଅଞ୍ଚଳର ଏକ ଗୁରୁତ୍ୱପୂର୍ଣ୍ଣ ରେଳ ଅଂଶର ପ୍ରଶାସନିକ ନିୟନ୍ତ୍ରଣ ପରିବର୍ତ୍ତନ ହେବ। ଏଥି ସହିତ ଏହାର ପରିଚାଳନା ଏବଂ ଆଞ୍ଚଳିକ ସଂଯୋଗଗୀକରଣ ଉପରେ ମଧ୍ୟ ପ୍ରଭାବ ପକାଇବ। ରେଳ ବୋର୍ଡ ଅଧିକାରୀଙ୍କୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ, ବିଶାଖପାଟନା ଡିଭିଜନ (SCoR) ଏବଂ ଖୋର୍ଦ୍ଧା ରୋଡ୍ ଡିଭିଜନ (ECoR) ମଧ୍ୟରେ ସଂଶୋଧିତ ସୀମାନ୍ତ ନିର୍ଧାରଣ କରି ଶୀଘ୍ର ଜଣାଇବାକୁ। ଏହି ସ୍ଥାନାନ୍ତରଣ ପରେ ପ୍ରଶାସନିକ ନିୟନ୍ତ୍ରଣ ଏବଂ ଆଞ୍ଚଳିକ ସ୍ୱାର୍ଥ ସାଉଥ୍ କୋଷ୍ଟ ରେଳପଥ (SCoR) ଅଧୀନରେ ଆସିବ। ସୂଚନାଯୋଗ୍ୟ ଯେ, ପୂର୍ବରୁ ପୂର୍ବତଟ ରେଳବାଇରୁ ୱାଲଟିୟର ଡିଭିଜନକୁ ଅଲଗା କରାଯାଇଥିଲା। ଖଣିଜ ପରିବହନରେ ଭାରତୀୟ ରେଳକୁ ପ୍ରଭୂତ ରାଜସ୍ୱ ଦେଉଛି ପୂର୍ବତଟ ରେଳପଥ। ସମ୍ବଲପୁର, ଖୋର୍ଦ୍ଧା ଓ ୱାଲଟିୟର ଡିଭିଜନକୁ ନେଇ ପୂର୍ବତଟ ରେଳପଥ ଗଠିତ ହୋଇଥିଲା। କିନ୍ତୁ କେନ୍ଦ୍ର ସରକାରଙ୍କ ଆନ୍ଧ୍ର ପ୍ରୀତି ଯୋଗୁଁ ୱାଲଟିୟର ଡିଭିଜନ ଆନ୍ଧ୍ରକୁ ଚାଲିଗଲା। ଏହାର ଆହୁରି ପୂର୍ବରୁ ଖଡ଼ଗପୁର ଜୋନରେ ଓଡ଼ିଶାର ବାଲେଶ୍ୱର ମୟୁରଭଞ୍ଜର ବହୁ ଖଣିଜ ବହୁଳ ଅଞ୍ଚଳ ପୂର୍ବରୁ ଚାଲିଯାଇଛି। ଚକ୍ରଧରପୁର ଡିଭିଜନରେ ଝାରସୁଗୁଡା, ବାଂଶପାଣି, କେନ୍ଦୁଝର, ବଣାଇ ଅଞ୍ଚଳ ରହିଯାଇଛି। ତେଣୁ ଏବେ ପୂର୍ବତଟ ରେଳପଥରେ ରହିଛି ଆଉ କ’ଣ ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି। ଶ୍ରୀ ଦାସ ଆହୁରି କହିଛନ୍ତି, ଏଣେ ରାଜ୍ୟର ଭୌଗୋଳିକ ସୀମା ଉପରେ ରେଳ ଡିଭିଜନର ଗଠନ ନିର୍ଭର କରେନାହିଁ ବୋଲି କୁହାଯାଉଛି। ଯୁକ୍ତି ଅନୁଯାୟୀ ଯଦି ଆନ୍ଧ୍ର ପ୍ରଦେଶ ସାଉଥ କୋଷ୍ଟରେ ପଲାସାଠାରୁ ଇଚ୍ଛାପୁରମ ପର୍ଯ୍ୟନ୍ତ ମିଶିବ, ତା’ହେଲେ ଆମ ଓଡ଼ିଶାର ପୂର୍ବରେ ଥିବା ଲଖଣନାଥ, ବାଲେଶ୍ବର ଓ ପଶ୍ଚିମରେ ଝାରସୁଗୁଡା,ବାଂଶପାଣି ଓ ବଣେଇ ଆଦି ଅଂଚଳ ମଧ୍ୟ ପୂର୍ବତଟରେ ମିଶିବା ଊଚିତ୍। ମହାନଦୀ ପୋଲାଭରମର କ୍ଷତ ଲିଭିନାହିଁ। ଓଡ଼ିଶାକୁ ଖଣ୍ଡବିଖଣ୍ଡିତ କରିବା ପାଇଁ ରେଳବାଇର ଷଡ଼ଯନ୍ତ୍ର ଆଜି ପୁଣି ଧରାପଡ଼ିଛି। ଏଇ ବିଜେପିର ଡବଲ ଇଜିଂନ ସରକାର ଓଡ଼ିଶା ଅସ୍ମିତା ଉପରେ ଏଭଳି ଗୋଟାକ ପରେ ଗୋଟାଏ କୁଠାରଘାତ କରିଚାଲିଛି।
ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରକୃତରେ ଓଡିଶାର ଶତୃ ପାଲଟିଛନ୍ତି। ଏ ଦିଗରେ ସେ ନିହାତି ଧ୍ୟାନ ଦେବା ଜରୁରୀ, ଯଦି ସେ ପ୍ରକୃତରେ ଓଡ଼ିଶାକୁ ଭଲ ପାଆନ୍ତି। ପରିବହନ କ୍ଷେତ୍ରରେ ପୂର୍ବରୁ ପୂର୍ବତଟ ରେଳପଥ ପାଖାପାଖି ତିରିଶ ହଜାର କୋଟି ଅର୍ଥ ଦେଉଛି। ୱାଲଟିୟାର ଡିଭିଜନ ଦେଉଥିଲା ୮ ରୁ ୧୦ ହଜାର କୋଟି। ଏବେ ଓଡ଼ିଶା ଏହି ରାଜସ୍ୱ ଓଡିଶା ହରାଇସାରିଛି। କେବଳ ସମ୍ବଲପୁର ଓ ଖୋର୍ଦ୍ଧା ଡିଭିଜନକୁ ନେଇ ପୂର୍ବତଟ ରେଳପଥ ଚାଲିଛି। ପଲାସା ଓ ଇଛାପୁରମ ଏବେ ସାଉଥ କୋଷ୍ଟକୁ ଚାଲିଗଲା ପରେ ଏହି ପୂର୍ବତଟ ଏବେ ସମ୍ପୂର୍ଣ୍ଣ ମୂଲ୍ୟହୀନ ହୋଇପଡିଛି। ପୂର୍ବତଟ ରେଳପଥ (ECoR) ଏକ ଶ୍ରେଷ୍ଠ କାର୍ଯ୍ୟକ୍ଷମ ଭାରତୀୟ ରେଳମଣ୍ଡଳ। ଏହା ୨୦୨୫-୨୬ ମସିହାରେ ୨୯ ହଜାର ୪୫୬ କୋଟିରୁ ଅଧିକ ରେକର୍ଡ ମାଲ ପରିବହନ ଆୟ ହାସଲ କରିଛି, ଯାହାକି ୨୦୨୪-୨୫ ତୁଳନାରେ ୧୦%+ ବୃଦ୍ଧି ପାଇଛି, ଯାହା କୋଇଲା, ଲୁହାପଥର ଏବଂ ଇସ୍ପାତ ପରିବହନ ଦ୍ୱାରା ପରିଚାଳିତ। ମୋଟ ଉତ୍ପାଦିତ ଆୟ ମାତ୍ର ୨୯୪ ଦିନରେ ୨୩ ହଜାର କୋଟି ଅତିକ୍ରମ କରି ଡିସେମ୍ବର ୨୦୨୫ ସୁଦ୍ଧା ୨୩ ହଜାର ୯୫୯ କୋଟିରେ ପହଞ୍ଚିଛି। ଯାତ୍ରୀ ଆୟ ମଧ୍ୟ ୨,୪୯୫+ କୋଟିକୁ ବୃଦ୍ଧି ପାଇଛି। ୯୦ ତମ ଓଡ଼ିଶା ଦିବସର ଦିନେ ପରେ ଏପରି ନିଷ୍ଠୁର ନିଷ୍ପତ୍ତି ନେଇ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରାଜ୍ୟବାସୀଙ୍କ ପ୍ରତି ଘୋର ଅବିଚାର କରିଛନ୍ତି ବୋଲି ଶ୍ରୀ ଦାସ କହିଛନ୍ତି। କେବଳ ସେତିକି ନୁହେଁ ୟୁପିଏ ସରକାର ଅମଳର ପ୍ରସ୍ତାବିତ ନର୍ଲା ଓ ସୀତାପୁର ଓ୍ବାଗନ କାରଖାନାର ମଧ୍ୟ ନାମଗନ୍ଧ ନାହିଁ। ଏହା ଓଡ଼ିଶା ପ୍ରତି ଏନ୍ଡିଏ ସରକାରର ବୈମାତୃକ ମନୋଭାବ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଓଡ଼ିଶାର ସମ୍ପଦ ଉପରେ ବହୁ ପୁଞ୍ଜିପତି ଓ ପଡ଼ୋଶୀ ରାଜ୍ୟର ଲୋଲୁପ ଦୃଷ୍ଟି ପଡ଼ିଛି। ଗୃହମନ୍ତ୍ରୀ ଓଡ଼ିଶା ଆସୁଛନ୍ତି, ଅଥଚ ଓଡ଼ିଶାକୁ ଭୁଲି ଯାଊଛନ୍ତି। ଓଡ଼ିଆ ଅସ୍ମିତାର କଥା କହି ଯେଉଁମାନେ ଶାସନ କ୍ଷମତାକୁ ଆସିଥିଲେ ଆଜି ସେମାନେ ଓଡ଼ିଶାର ସ୍ବାଭିମାନକୁ ଭୁଲିଯାଉଛନ୍ତି। ତୁରନ୍ତ ଏସବୁ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସମେତ ରେଳମନ୍ତ୍ରୀ ଏଥି ପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଦାସ କହିଛନ୍ତି। ନହେଲେ ଓଡ଼ିଶା କଂଗ୍ରେସ ପକ୍ଷରୁ ଏହାର ଯୋରଦାର ବିରୋଧ କରାଯିବ ବୋଲି ଶ୍ରୀ ଦାସ ଚେତାବନୀ ଦେଇଛନ୍ତି।










