ଯାଜପୁର: ଶନିବାର ଅପରାହ୍ନରେ ଯାଜପୁର ଜିଲ୍ଲାରେ ଜିଲ୍ଲା ସ୍ତରୀୟ ଭିଜିଲାନ୍ସ ମନିଟରିଂ କମିଟି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଶ୍ରୀ ଆମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ସଭାରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ନିର୍ଯାତନା ପ୍ରତିଷେଧ) ଆଇନ, ୧୯୮୯ ଓ ନାଗରିକ ଅଧିକାର ସୁରକ୍ଷା ଆଇନର ସଠିକ କାର୍ଯ୍ୟାନୁଷ୍ଠାନ, ସଚେତନତା ଓ ନିରୀକ୍ଷଣ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା । ଉକ୍ତ ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ କର କହିଛନ୍ତି ଯେ ସମାଜର ସମସ୍ତ ଶ୍ରେଣୀ ଲୋକଙ୍କୁ ସମ୍ମାନ ଓ ସମାନ ଅଧିକାର ଦେବା ହେଉଛି ଆମ ସାମ୍ବିଧାନିକ ଦାୟିତ୍ୱ । ଅନୁସୂଚିତ ଜାତି ଓ ଜନଜାତି ଗୁଡ଼ିକ ଉପରେ ହେଉଥିବା ଅନ୍ୟାୟ, ଅସମାନତା ଓ ନିର୍ଯାତନା ରୋକିବା ପାଇଁ ଏହି ଆଇନଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଅସ୍ତ୍ର ଭାବେ କାର୍ଯ୍ୟ କରୁଛି । ଏହି ଆଇନ ଦ୍ୱାରା ନିର୍ଯାତିତ ଲୋକମାନଙ୍କୁ ନ୍ୟାୟ ଓ ଆର୍ଥିକ ସହାୟତା ଦେଇ ସମାଜରେ ସେମାନଙ୍କୁ ସମ୍ମାନ ଓ ସୁରକ୍ଷା ଦେବାକୁ ଶାସନ ପ୍ରତିବଦ୍ଧ ।
ପି.ଓ.ଏ ଆକ୍ଟ ୧୯୮୯ ଉପରେ ଆଲୋକ ପାତି କହିଲେ ଯେ ଏହି ଆଇନ ଦ୍ୱାରା ଅନୁସୂଚିତ ଜାତି ଓ ଜନଜାତିଙ୍କ ଉପରେ ହେଉଥିବା ଅପରାଧ ଓ ନିର୍ଯାତନା ରୋକିବା ଆବଶ୍ୟକ। ଜିଲ୍ଲାପାଳ ଭିଜିଲାନ୍ସ ମନିଟରିଂ କମିଟିର କାର୍ଯ୍ୟଭାର, ମାମଲା ନିରୀକ୍ଷଣ, ଆଇନ ସହାୟତା, ଇଣ୍ଟରକାଷ୍ଟ ମ୍ୟାରେଜ୍ ଆଦି ଉପରେ ଆଲୋଚନା କରିଥିଲେ। ଓଡ଼ିଶା ଲ୍ୟାଣ୍ଡ ରିଫର୍ମସ ଆକ୍ଟ ୧୯୬୦ ଅନୁଯାୟୀ ଭୂମି ସୀମା ନିର୍ଦ୍ଧାରଣ, ଭୂମିହୀନଙ୍କୁ ଭୂମି ବଣ୍ଟନ ଏବଂ ଅନୁସୂଚିତ ଜାତି ଓ ଜନଜାତି ମାନଙ୍କୁ ଭୂମି ଅଧିକାର ସୁରକ୍ଷା ବିଷୟରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଉକ୍ତ ବୈଠକରେ ଯୋଗଦେଇ ମାନ୍ୟବର ବିଧାୟିକା ବିଂଝାରପୁର ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଲେ ଆଜି ବୈଠକର ମୂଳ ଉଦ୍ଦେଶ୍ୟ ହେଉଛି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ନିର୍ଯାତନା ପ୍ରତିଷେଧ) ଆଇନ, ୧୯୮୯ ଓ ନାଗରିକ ଅଧିକାର ସୁରକ୍ଷା ଆଇନ ର ସଠିକ ପ୍ରତିଷ୍ଠା ଓ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବା। ଗ୍ରାମ ତଳସ୍ତରରେ ଯେପରି ସଚେତନତା ଓ ନିୟମ ପାଳନ ଜରୁରୀ, ସେପରି ତାହାକୁ କାର୍ଯ୍ୟକ୍ଷେତ୍ରରେ ଅନୁପାଳନ କରିବା ଆମ ସମସ୍ତଙ୍କ ଦାୟିତ୍ୱ। ଅନେକ ସ୍ଥାନରେ ଲୋକମାନେ ଏହି ଆଇନ ବିଷୟରେ ପୂର୍ଣ୍ଣ ଜ୍ଞାନ ରଖୁନାହାନ୍ତି। ତେଣୁ ଆମେ ଜନସଚେତନତା କାର୍ଯ୍ୟକ୍ରମ ବଢ଼ାଇବା ଉଚିତ୍।
ପି.ସି.ଅର୍ ଆକ୍ଟ ଏବଂ ପି.ଓ.ଆର ସମ୍ବନ୍ଧିତ ଅନେକ ତଥ୍ୟ ଆଲୋଚନା କରିଥିଲେ। ଉକ୍ତ ବୈଠକରେ ଯୋଗଦେଇ ମାନ୍ୟବର ବିଧାୟିକା ଯାଜପୁର ଶ୍ରୀମତୀ ସୁଜାତା ସାହୁ ଜିଲ୍ଲା ସ୍ତରରେ ଜାତି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ଅତ୍ୟାଚାର ନିବାରଣ) ଆଇନ ର ସଠିକ ଓ ପ୍ରଭାବଶାଳୀ କାର୍ଯ୍ୟନ୍ୱୟନ ବିଷୟରେ ଆଲୋଚନା କରିଥିଲେ। ଆଇନ ରହିଲେ ପର୍ଯ୍ୟାପ୍ତ ନୁହେଁ, ତାହାକୁ ଜନମାନସରେ ପହଞ୍ଚାଇବା ଓ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ। ଉକ୍ତ ବୈଠକରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ୟଶପ୍ରତାପ ସାମଲ, ମାନ୍ୟବର ମନ୍ତ୍ରୀ ଓ ସାଂସଦଙ୍କ ପ୍ରତିନିଧି, ବ୍ଲକ୍ ଚେୟାରମେନ, ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ବୃନ୍ଦ ଉପସ୍ଥିତ ରହି ସଭାରେ ପ୍ରମୁଖ ଭାବେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ନିର୍ଯାତନା ପ୍ରତିରୋଧ) ଅଧିନିୟମ, ୧୯୮୯, ଆନ୍ତର୍ଜାତିୟ ବିବାହ ଓ ଓଡ଼ିଶା ଲ୍ୟାଣ୍ଡ ରିଫର୍ମ (ଓଏଲଆର) ଅଧିନିୟମ, ୧୯୬୦ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।










