25.1 C
Bhubaneswar
Wednesday, March 18, 2026
Homeଓଡିଶାଯାଜପୁର ଜିଲ୍ଲାରେ ଜିଲ୍ଲା ସ୍ତରୀୟ ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

ଯାଜପୁର ଜିଲ୍ଲାରେ ଜିଲ୍ଲା ସ୍ତରୀୟ ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

ଯାଜପୁର: ସୂଚନା ଅଧିକାର ଆଇନ ୨୦୦୫ ଅଧିନିୟମ ୪(୧) (ଖ) ର ପୂର୍ଣ୍ଣାଙ୍ଗ କର୍ଯ୍ୟନ୍ଵୟନ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ତରଫରୁ ଆଜି ପୂର୍ବାହ୍ନରେ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଠାରେ ଅନୁଷ୍ଠିତ ହୋଇଯାଇଅଛି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶ ଏବଂ ମାର୍ଗ ଦର୍ଶିକା ଅନୁଯାୟୀ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ଜରିଆରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କର୍ମଶାଳାରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବକ୍ରିଷ୍ଣ ଜେନା ସୂଚନା ଅଧିକାର ଆଇନ ସମ୍ବନ୍ଧୀୟ ସମସ୍ତ ନିୟମାବଳୀ ସମ୍ବନ୍ଧରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାଇଥିଲେ। ଏଥିସହ ବିଭିନ୍ନ ବିଭାଗ ଅଧିକ କ୍ରିୟାଶୀଳ ଏବଂ ସଚେତନ ହୋଇ ସୂଚନା ଅଧିକାର ସମ୍ପର୍କିତ ଆସୁଥିବା ସମସ୍ତ ଆବେଦନଗୁଡିକର ଉତ୍ତର ନିର୍ଦ୍ଧାରିତ ସମୟ ମଧ୍ୟରେ ଦେବାକୁ ଆହ୍ୱାନ ଦେଇଥିଲେ ।

ଏହି କର୍ମଶାଳାରେ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଅଶୋକ କୁମାର ବେହୁରିଆ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅନିରୁଦ୍ଧ ରାଉତରାୟ, ଉପ ଜିଲ୍ଲାପାଳ ଶ୍ରୀ ଲମ୍ବୋଦର ଖୁଣ୍ଟିଆ, ଡେପୁଟି କଲେକ୍ଟର ଉପସ୍ଥିତ ରହି ସୂଚନା ଅଧିକାର ଆଇନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କର୍ମଶାଳାରେ ବିଷୟ ବିଶାରଦ ଭାବେ ଲୁମିନସ୍ ଇନଫୋସିସର ମାଷ୍ଟର ଟ୍ରେନର ସୁନୀଲ କୁମାର ସେଠୀ ଯୋଗଦେଇ ସୂଚନା ଅଧିକାର ଆଇନର ଧାରା ୪(୧) (ଖ) ମୁତାବକ ୧୭ ସ୍ତରୀୟ ତଥ୍ୟ ଉଭୟ ଇଂରାଜୀ ଓ ଓଡ଼ିଆରେ ନିଜ ସୂଚନା ଅଧିକାର ପୋର୍ଟାଲରେ ଅଦ୍ୟତନ କରିବା ଉପରେ ୧୨୦ ରୁ ଉର୍ଦ୍ଧ୍ବ ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟ ର ସୂଚନା ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ମଗାଯାଉଥିବା ତଥ୍ୟଗୁଡିକୁ ଠିକ୍ ସମୟରେ ପ୍ରଦାନ କରିବା ସହ ନିଜ ବିଭାଗର ତଥ୍ୟଗୁଡିକୁ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ସାର୍ବଜନିନ କରିବା ନିମନ୍ତେ ସେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ମନରେ ଏ ସମ୍ପର୍କିତ ଦ୍ୱନ୍ଦକୁ ସେ ଦୂର କରିଥିଲେ । ଜିଲ୍ଲାର ସମସ୍ତ ବ୍ଲକ, ତହସିଲ ତଥା ଅନ୍ୟାନ୍ୟ ବିଭାଗର ଜନ ସୂଚନା ଅଧିକାରୀମାନେ ଏହି କର୍ମଶାଳାରେ ଯୋଗ ଦେଇଥିଲେ । ପରିଶେଷରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking