କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ର ପରୀକ୍ଷା ନିୟନ୍ତ୍ରକ(କଣ୍ଟ୍ରୋଲର ଅଫ୍ ଏଗ୍ଜାମିନେସନ) ଭାବେ ଧରଣୀଧର ପାତ୍ରଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଯୁକ୍ତ ଦେଇଛି । ଶ୍ରୀ ପାତ୍ର ଏବେ ବାଲେଶ୍ୱର ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ(ଏଡିଇଓ) ଭାବେ କାର୍ୟ୍ୟରତ ଅଛନ୍ତି । ବାଲେଶ୍ୱରରୁ ସେ ଖୁବ୍ଶୀଘ୍ର ରିଲିଭ୍ ହୋଇ ବୋର୍ଡ କାର୍ୟ୍ୟାଳୟରେ ଯୋଗଦେବେ ବୋଲି ସୂଚନା ମିଳିଛି ।ବୋର୍ଡର କଣ୍ଟ୍ରୋଲର ପଦବି ଖାଲିଥିବାରୁ ଉକ୍ତ ପଦବିରେ ଡେପୁଟି କଣ୍ଟ୍ରୋଲର ଚକ୍ରଧର ବେହେରାଙ୍କୁ ଇନ୍ଚାର୍ଜ କଣ୍ଟ୍ରୋଲର ଭାବେ ନିୟୋଜିତ କରିଥିଲେ । ନିୟମିତ କଣ୍ଟ୍ରୋଲର ଆସିବା ପରେ ଖାଲିଥିବା ଏହି ପଦବି ପୂରଣ ହେବ । ମାଟ୍ରିକ୍ ପାଇଁ ବୋର୍ଡ କର୍ତ୍ତୃପକ୍ଷ ମାସେ ହେଲା ପ୍ରସ୍ତୁତି ଚଳାଇ ଆସୁଛନ୍ତି । ତେବେ ଏସବୁ ମଧ୍ୟରେ ମାଟ୍ରିକ୍ ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଇନ୍ଚାର୍ଜ କଣ୍ଟ୍ରୋଲର ବଦଳିଛନ୍ତି । ନୂଆ କଣ୍ଟ୍ରୋଲର ଆସିବା ପରେ ତାଙ୍କ ପାଇଁ ଏହି ମାଟ୍ରିକ୍ ପରୀକ୍ଷା ପ୍ରସ୍ତୁତି ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି ।










