15.1 C
Bhubaneswar
Monday, February 9, 2026
Homeଦେଶ ବିଦେଶପୁଣି ଦୋହରାଇଲେ ଧନଖଡ଼; ସଂସଦ ହିଁ ସର୍ବୋଚ୍ଚ ପ୍ରତିଷ୍ଠାନ

ପୁଣି ଦୋହରାଇଲେ ଧନଖଡ଼; ସଂସଦ ହିଁ ସର୍ବୋଚ୍ଚ ପ୍ରତିଷ୍ଠାନ

ନୂଆଦିଲ୍ଲୀ: ଏବେ ଯେତେବେଳେ “ଦେଶରେ ସୁପ୍ରିମକୋର୍ଟ ବଡ଼ ନା ରାଷ୍ଟ୍ରପତି ବଡ଼” ସେନେଇ ଏକ ବଡ଼ ବିତର୍କ ଚାଲିଛି, ଏହା ଉପରେ ଚର୍ଚ୍ଚା ଜୋର ରହିଛି ସେତେବେଳେ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ପୁଣିଥରେ ନିଜ କଥାକୁ ଦୋହରାଇଛନ୍ତି। ନ୍ୟାୟପାଳିକା ଏବଂ କାର୍ଯ୍ୟପାଳିକାର ଅଧିକାର କ୍ଷେତ୍ର ସମ୍ପର୍କରେ ଟିପ୍ପଣୀ କରିବାକୁ ଯାଇ ସେ ଏକ ବଡ଼ ବୟାନ ଦେଇଛନ୍ତି। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଉପରାଷ୍ଟ୍ରପତି କହିଛନ୍ତି ଯେ, ସମ୍ବିଧାନର ମୌଳିକ ଭାବନାର ‘ସର୍ବୋଚ୍ଚ ରକ୍ଷକ’ ହେଉଛନ୍ତି ନିର୍ବାଚିତ ଜନପ୍ରତିନିଧି। ଜନପ୍ରତିନିଧିମାନେ ପ୍ରତିନିଧିତ୍ୱ କରୁଥିବା କ୍ଷେତ୍ର ହେଉଛି ସଂସଦ। ସୁତରାଂ ସଂସଦ ଠାରୁ ଉପରେ କେହି ବି ନୁହଁନ୍ତି। ସଂସଦ ହିଁ ସର୍ବୋଚ୍ଚ ପ୍ରତିଷ୍ଠାନ। ଯେତେବେଳେ କୌଣସି ସାମ୍ବିଧାନିକ ଅଧିକାରୀ କିଛି କୁହନ୍ତି, ତାହା ଦେଶର ସର୍ବୋଚ୍ଚ ସ୍ୱାର୍ଥକୁ ଧ୍ୟାନରେ ରଖି କୁହାଯାଏ। ଉପରାଷ୍ଟ୍ରପତି ଧନଖଡଙ୍କ କହିବାନୁସାରେ ୧୯୭୭ରେ ଯେତେବେଳେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିବା ପ୍ରଧାନମନ୍ତ୍ରୀଙ୍କୁ ଲୋକଙ୍କ ଦ୍ୱାରା ଦାୟୀ କରାଯାଇଥିଲା। ସମ୍ବିଧାନ ଲୋକଙ୍କ ପାଇଁ ଏବଂ ଏହା ସେମାନଙ୍କ ନିର୍ବାଚିତ ପ୍ରତିନିଧିମାନଙ୍କୁ ସୁରକ୍ଷା ଦିଏ। ସମ୍ବିଧାନ ସଂସଦ ଠାରୁ ଉପରେ କୌଣସି ସଂସ୍ଥାକୁ କଳ୍ପନା କରିନାହିଁ। ସଂସଦ ଦେଶର ପ୍ରତ୍ୟେକ ନାଗରିକଙ୍କ ପରି ସର୍ବୋଚ୍ଚ।

ଏକ ରାଷ୍ଟ୍ର ଏବଂ ଗଣତନ୍ତ୍ର କେବଳ ନାଗରିକମାନଙ୍କ ଦ୍ୱାରା ଗଠିତ। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କର ନିଜସ୍ୱ ଭୂମିକା ରହିଛି। ଗଣତନ୍ତ୍ରର ଆତ୍ମା ପ୍ରତ୍ୟେକ ନାଗରିକଙ୍କଠାରେ ବାସ କରେ ଏବଂ ସ୍ପନ୍ଦିତ ହୁଏ। ଗଣତନ୍ତ୍ର ସେତେବେଳେ ବିକଶିତ ହେବ, ଏହାର ମୂଲ୍ୟବୋଧ କେବଳ ସେତେବେଳେ ବୃଦ୍ଧି ପାଇବ ଯେତେବେଳେ ନାଗରିକମାନେ ସଚେତନ ହେବେ, ନାଗରିକମାନେ ଅବଦାନ ଦେବେ। ନାଗରିକମାନଙ୍କ ଦ୍ୱାରା ଦିଆଯାଇଥିବା ଅବଦାନର କୌଣସି ବିକଳ୍ପ ନାହିଁ। ଏହି ଅବସରରେ ସେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ନେଇ ଦେଇଥିବା ମନ୍ତବ୍ୟ ଉପରେ ତାଙ୍କୁ ସମାଲୋଚନା କରୁଥିବା ଲୋକମାନଙ୍କୁ ମଧ୍ୟ ତୀବ୍ର ଭର୍ତ୍ସନା କରିଥିଲେ। ପ୍ରକାଶ, ତାମିଲନାଡୁ ସରକାର ଏବଂ ରାଜ୍ୟପାଳଙ୍କ ମଧ୍ୟରେ ଥିବା ବିବାଦ ସମ୍ପର୍କୀତ ଏକ ମାମଲାର ଶୁଣାଣି ଅବସରରେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ରାୟ ଦେଇ କହିଥିଲେ ଯେ, ଯଦି ରାଜ୍ୟପାଳ ରାଷ୍ଟ୍ରପତିଙ୍କ ନିକଟକୁ ଅନୁମୋଦନ ପାଇଁ ଏକ ବିଲ୍ ପଠାନ୍ତି, ତେବେ ରାଷ୍ଟ୍ରପତିଙ୍କୁ ତିନି ମାସ ମଧ୍ୟରେ ଏହା ଉପରେ ନିଷ୍ପତ୍ତି ନେବାକୁ ପଡିବ। ଏହା ଉପରେ ପ୍ରତିକ୍ରିୟା ଦେଇ ଧନଖଡ କହିଥିଲେ ଯେ ନ୍ୟାୟପାଳିକା ଏକ ‘ସୁପର ପାର୍ଲାମେଣ୍ଟ’ ହୋଇପାରିବ ନାହିଁ ଏବଂ ଏହା କାର୍ଯ୍ୟପାଳିକା (ସରକାର) କାମରେ ହସ୍ତକ୍ଷେପ କରିପାରିବ ନାହିଁ। ସୁପ୍ରିମକୋର୍ଟ, ଦେଶର ସର୍ବୋଚ୍ଚ ପଦକୁ ନିର୍ଦ୍ଦେଶ ଦେଇପାରିବ ନାହିଁ। ଏହାକୁ ନେଇ ଦେଶରେ ଏକ ଲମ୍ବା ବିତର୍କ ଆରମ୍ଭ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking