28.1 C
Bhubaneswar
Friday, June 27, 2025
Homeଦେଶ ବିଦେଶକମର୍ସିଆଲ ପାଇଲଟ୍‌ଙ୍କ ପାଇଁ ନିୟମ ପରିବର୍ତ୍ତନ କଲା ଡିଜିସିଏ

କମର୍ସିଆଲ ପାଇଲଟ୍‌ଙ୍କ ପାଇଁ ନିୟମ ପରିବର୍ତ୍ତନ କଲା ଡିଜିସିଏ

ନୂଆଦିଲ୍ଲୀ: ଏକ ବଡ଼ ସଂସ୍କାର ସ୍ୱରୂପ, ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଏବେ ଭାରତରେ କମର୍ସିଆଲ ପାଇଲଟ୍ ଲାଇସେନ୍ସ (ସିପିଏଲ୍‌) ପାଇଁ ଶିକ୍ଷାଗତ ମାନଦଣ୍ଡରେ ଆବଶ୍ୟକ ପରିବର୍ତ୍ତନକୁ ଅନୁମୋଦନ କରିଛନ୍ତି । ଏହାର ଅର୍ଥ ଗତ ୩ ଦଶନ୍ଧିରୁ ଅଧିକ ସମୟ ଧରି ଭାରତରେ ପ୍ରଚଳିତ ହୋଇଆସୁଥିବା ବେସାମରିକ ପାଇଲଟ୍ ହେବା ନିୟମରେ ପରିବର୍ତ୍ତନ କରାଯିବ । ଏହି ପରିପ୍ରେକ୍ଷୀରେ ଆଜି ପର୍ଯ୍ୟନ୍ତ କେବଳ ବିଜ୍ଞାନ ପଢ଼ା ଛାତ୍ରଛାତ୍ରୀଙ୍କୁ ସିପିଏଲ୍ ପାଇଁ ଅନୁମତି ରହିଥିବା ବେଳେ ଏବେ ଏହାକୁ ପରିବର୍ତ୍ତନ କରାଯାଇ କଳା (ଆର୍ଟ୍‌ସ) ଏବଂ ବାଣିଜ୍ୟ (କମର୍ସ) ପିଲ।।ମାନଙ୍କ ପାଇଁ ମଧ୍ୟ ବୈଧ କରାଯିବ । କଳା ଏବଂ ବାଣିଜ୍ୟ ଷ୍ଟ୍ରିମ୍‌ରୁ ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବା ଛାତ୍ରଛାତ୍ରୀମାନେ ଏଣିକି ସିପିଏଲ୍ ପାଠ୍ୟକ୍ରମ ପଢିବାକୁ ଅନୁମତି ମିଳିବ । ଏନେଇ ଡିଜିସିଏକୁ ମିଳିଥିବା ପ୍ରସ୍ତାବକୁ ନିର୍ଦ୍ଦେଶାଳୟ ସ୍ୱୀକୃତି ଦେବା ପରେ ଏବେ ଏହାକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ନିକଟକୁ ପଠାଇଛି । କେନ୍ଦ୍ର ମନ୍ତ୍ରଣାଳୟ ଏହାକୁ ଅନୁଧ୍ୟାନ କରିବା ପରେ କେତେକ ସଂଶୋଧନ ନିର୍ଦ୍ଦେଶ ଦେଇପାରେ । ଡିଜିସିଏ ପୁନଃ ଆବଶ୍ୟକ ସଂଶୋଧନ କରିବା ପରେ ପ୍ରସ୍ତାବକୁ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରଣାଳୟ ନିକଟକୁ ପଠାଇବ ଏବଂ ଏଠାରୁ ଅନୁମୋଦନ ମିଳିବା ପରେ ଏହା ସିଧାସଳଖ ଆଇନ୍ ମନ୍ତ୍ରଣାଳୟ ନିକଟକୁ ପଠାଯିବ । ଏହାପରେ ଏହି ନିୟମ କାର୍ଯ୍ୟକାରୀ କରାଯାଇପାରିବ ବୋଲି କୁହାଯାଇଛି ।

ସିଧାସଳଖ କହିଲେ ବାଣିଜ୍ୟିକ ପାଇଲଟ୍ ଲାଇସେନ୍ସ (ସିପିଏଲ୍‌) ତାଲିମ ଏଣିକି କେବଳ ବିଜ୍ଞାନ ଛାତ୍ରମାନଙ୍କ ପାଇଁ ସୀମିତ ରହିବ ନାହିଁ ବରଂ କଳା ଏବଂ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଏଥିପାଇଁ ଯୋଗ୍ୟ ଭାବେ ଗ୍ରହଣ କରାଯିବ । ପ୍ରକାଶ, କମର୍ସିଆଲ ପାଇଲଟ୍ ହେବା ପାଇଁ ଏକ ଲାଇସେନ୍ସ ହାସଲ କରିବାକୁ ପଡିଥାଏ । ଏହାକୁ ସିପିଏଲ୍ ବା କମର୍ସିଆଲ ପାଇଲଟ୍ ଲାଇସେନ୍ସ ବୋଲି ମଧ୍ୟ କୁହାଯାଇଥାଏ । ତେବେ ଏହି ସିପିଏଲ୍ ପାଠ୍ୟକ୍ରମ ପାଇଁ ଆଜି ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଗଣିତ ବିଷୟବସ୍ତୁ ସହ ଯୁକ୍ତ ୨ ବିଜ୍ଞାନ ଉତ୍ତୀର୍ଣ୍ଣ ହୋଇଥିବା ଜରୁରି ଥିଲା । ଏହାପରେ ସେମାନଙ୍କୁ ଡାକ୍ତରୀ ଫିଟନେସ୍ ଏବଂ ଅନ୍ୟାନ୍ୟ ପରୀକ୍ଷା ଦେଇ ଗତି କରିବାକୁ ପଡୁଥିଲା । ଏସବୁରେ ପାସ୍ ହେବା ପରେ ଯାଇ ଛାତ୍ରଛାତ୍ରୀମାନଙ୍କୁ ସିପିଏଲ୍ ରେ ନାମ ଲେଖାଇବାରେ ସୁଯୋଗ ମିଳୂୁଥିଲା । କିନ୍ତୁ ଏବେ ଏହାକୁ କମର୍ସ ଏବଂ ଆଟ୍‌ର୍ସ ଷ୍ଟ୍ରିମ୍‌ର ଛାତ୍ରଛାତ୍ରୀମାନଙ୍କ ପାଇଁ ଉନ୍ମୁକ୍ତ କରିଦିଆଯିବ । ବିମାନ ଉଡ଼ାଇବାର ସ୍ୱପ୍ନ ଆଉ କେବଳ ବିଜ୍ଞାନ ଛାତ୍ରଙ୍କ ମଧ୍ୟରେ ସୀମିତ ରହିବ ନାହିଁ । ଭାରତରେ ପାଇଲଟ୍ ହେବା ପାଇଁ ନିୟମରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଡିଜିସିଏ (ସିଭିଲ ଏଭିଏସନ୍ ମହାନିର୍ଦ୍ଦେଶାଳୟ) ଏବେ ଏପରି ଏକ ସୁପାରିଶ କରିଛି ଯେ କଳା ଏବଂ ବାଣିଜ୍ୟର ଛାତ୍ରଛାତ୍ରୀମାନେ ମଧ୍ୟ କମର୍ସିୟାଲ ପାଇଲଟ୍ ଲାଇସେନ୍ସ (ସିପିଏଲ୍‌) ପାଇଁ ତାଲିମ ନେଇପାରିବେ ।

ଭାରତରେ ୧୯୯୦ ମଧ୍ୟଭାଗରୁ ଆଜି ପର୍ଯ୍ୟନ୍ତ କମର୍ସିଆଲ ପାଇଲଟ୍ ହେବାର ସୁଯୋଗ କେବଳ ବିଜ୍ଞାନ ଷ୍ଟ୍ରିମ୍ ଛାତ୍ରମାନଙ୍କ ପାଇଁ ଥିଲା । ଏହା ପୂର୍ବରୁ, କେବଳ ଦଶମ ପାସ୍ କରିବା ଯଥେଷ୍ଟ ଥିଲା, ଯାହାକୁ ପରିବର୍ତ୍ତନ କରାଯାଇ ୧୯୯୦ ମଧ୍ୟଭାଗରେ ଗଣିତ ବିଷୟ ବସ୍ତୁ ସହ ଯୁକ୍ତ ୨ ବିଜ୍ଞାନ ଉତ୍ତୀର୍ଣ୍ଣ ଜରୁରି ବୋଲି ନିୟମ କରିଦିଆଯାଇଥିଲା । ତେବେ ଅନେକ ବରିଷ୍ଠ ପାଇଲଟ ଏହାକୁ ଏକ ପୁରୁଣା ଏବଂ ଅଦରକାରୀ ନିୟମ ବୋଲି ବର୍ଣ୍ଣନା କରିଛନ୍ତି । ସେମାନେ ବିଶ୍ୱାସ କରନ୍ତି ଯେ ଜଣେ ପାଇଲଟ୍ ପାଇଁ ଆବଶ୍ୟକ ସମସ୍ତ ଜ୍ଞାନ ଏବଂ ଗଣିତ, ସ୍କୁଲର ପ୍ରାରମ୍ଭିକ ବର୍ଷଗୁଡ଼ିକରେ ଉପଲବ୍ଧ । ଭାରତକୁ ଛାଡିଦେଲେ ବୋଧହୁଏ ବିଶ୍ୱରେ ଏପରି କୌଣସି ଦେଶ ନାହିଁ ଯେଉଁଠାରେ ପାଇଲଟ୍ ହେବା ପାଇଁ ଯୁକ୍ତ ୨ ଏବଂ ଗଣିତ ବିଷୟବସ୍ତୁ ରହିବା ବାଧ୍ୟତାମୂଳକ ରହିଛି ।

ନିୟମ ପରିବର୍ତ୍ତନ ପରେ, ଡାକ୍ତରୀ ଫିଟନେସ୍ ଏବଂ ଅନ୍ୟାନ୍ୟ ପରୀକ୍ଷାରେ ପାସ୍ କରିଥିବା ଯେକୌଣସି ଦ୍ୱାଦଶ ପାସ୍ ଛାତ୍ରଙ୍କୁ ପାଇଲଟ୍ ହେବା ପାଇଁ ଯୋଗ୍ୟ ବିବେଚନା କରାଯିବ । ଫଳରେ ପାଇଲଟ୍ ହେବାକୁ ଚାହୁଁଥିବା ଛାତ୍ରଙ୍କ ସଂଖ୍ୟା ବହୁତ ବୃଦ୍ଧି ପାଇବ । ଏହାକୁ ଦୃଷ୍ଟିରେ ରଖି, ଭାରତର ଫ୍ଲାଇଂ ସ୍କୁଲଗୁଡ଼ିକୁ ଉନ୍ନତ କରିବା ପାଇଁ ଏକ ଯୋଜନାରେ କାମ ମଧ୍ୟ ଆରମ୍ଭ କରାଯାଇଛି । ଡିଜିସିଏ ମୁଖ୍ୟ ଫୈଜ ଅହମ୍ମଦ କିଦୱାଇ ସମସ୍ତ ଫ୍ଲାଇଂ ସ୍କୁଲଗୁଡ଼ିକୁ ସେମାନଙ୍କର ୱେବସାଇଟରେ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେପରିକି ତାଲିମ ସମୟ, ବିମାନ ସଂଖ୍ୟା, ପ୍ରଶିକ୍ଷକଙ୍କ ଉପଲବ୍ଧତା, ସିମୁଲେଟରର ଅବସ୍ଥା ଇତ୍ୟାଦି ବିଷୟରେ ଅପଡେଟ କରିବାକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking