ନୂଆଦିଲ୍ଲୀ: ଗ୍ରାମୀଣ ରୋଜଗାର ପ୍ରାୟ ଦୁଇ ଦଶନ୍ଧି ଧରି ଭାରତର ସାମାଜିକ ସୁରକ୍ଷା ଢାଞ୍ଚାର ଆଧାର ହୋଇ ରହିଆସିଛି । ୨୦୦୫ରେ କାର୍ୟ୍ୟକାରୀ ହୋଇଥିବା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଆଇନ (ମନରେଗା) ମଜରୁ ଆଧାରିତ ରୋଜଗାର ପ୍ରଦାନ କରିବା, ଗ୍ରାମୀଣ ଆୟକୁ ସ୍ଥିର କରିବା ଏବଂ ମୌଳିକ ଭିତ୍ତିଭୂମି ନିର୍ମାଣରେ ମୁଖ୍ୟ ଭୂମିକା ନିର୍ବାହ କରିଛି। ତେବେ ସମୟ ସହିତ ଗ୍ରାମୀଣ ଭାରତର ଢାଞ୍ଚା ଏବଂ ଲକ୍ଷ୍ୟରେ ବ୍ୟାପକ ପରିବର୍ତ୍ତନ ଆସିଛି। ବର୍ଦ୍ଧିତ ଆୟ, ଯୋଗାଯୋଗ, ବ୍ୟାପକ ଡିଜିଟାଲ ପ୍ରସାର ଏବଂ ଭିନ୍ନ ଭିନ୍ନ ଜୀବିକା ଗ୍ରାମୀଣ ରୋଜଗାର ଆବଶ୍ୟକତାର ପ୍ରକୃତିରେ ପରିବର୍ତ୍ତନ ଆଣିଛି। ଏସବୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବିକଶିତ ଭାରତ – ରୋଜଗାର ଏବଂ ଜୀବିକା ଗ୍ୟାରେଣ୍ଟି ମିଶନ ବା ଭିବି ଜୀ ରାମ ଜୀ ବିଲ୍ ୨୦୨୫ ଆଣିଛନ୍ତି। ଏହି ବିଲ୍ ମନରେଗାରେ ବ୍ୟାପକ ପରିବର୍ତ୍ତନ ଆଣିବ। ଏହା ଗ୍ରାମୀଣ ରୋଜଗାରକୁ ବିକଶିତ ଭାରତ ୨୦୪୭ ସହିତ ଯୋଡ଼ିବ। ଏହା ଏକ ଉତ୍ତରଦାୟୀ ବ୍ୟବସ୍ଥା ଆଣିବ ଯାହା ମୌଳିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହିତ ଆୟ ସୁରକ୍ଷା ସୁନିଶ୍ଚିତ କରିବ। ଭିବି ଜୀ ରାମ ଜୀ ବିଲ୍ ୨୦୨୫ ବିଲ ମନରେଗା ସ୍ଥାନରେ ବିକଶିତ ଭାରତ ସଂକଳ୍ପ ଅନୁରୂପ ଏକ ଆଧୁନିକ ଗ୍ରାମୀଣ ନିଯୁକ୍ତି ଢାଞ୍ଚା ପ୍ରସ୍ତୁତ କରିବ। ଏହା ପ୍ରତି ପରିବାର ପିଛା ବାର୍ଷିକ ୧୨୫ ଦିନ ଶ୍ରମ ଆଧାରିତ ନିଯୁକ୍ତି ଗ୍ୟାରେଣ୍ଟି ଯୋଗାଇ ଦେବ। ପୂର୍ବରୁ ମନରେଗାରେ ୧୦୦ ଦିନର କାମ ଗ୍ୟାରେଣ୍ଟି ମିଳୁଥିଲା। ନୂଆ ବିଲରେ ଚାରିଟି ପ୍ରାଥମିକତା ଆଧାରିତ କ୍ଷେତ୍ରକୁ ଚୟନ କରାଯାଇଛି । ସେଗୁଡ଼ିକ ହେଲା ଜଳ ସୁରକ୍ଷା, ଗ୍ରାମୀଣ ଭିତ୍ତିଭୂମି, ଜୀବିକା ଭିତ୍ତିଭୂମି ଏବଂ ପ୍ରାକୃତିକ ବିପର୍ୟ୍ୟୟ ପ୍ରଶମନ।
ଜାତୀୟ ଭୂସ୍ଥାନିକ ପ୍ଲାଟଫର୍ମ ସହିତ ବିକଶିତ ଗ୍ରାମ ପଞ୍ଚାୟତର ସଂଯୋଗ ହେବ। ସ୍ଥାନୀୟ ଯୋଜନା ପ୍ରସ୍ତୁତିକୁ ଜାତୀୟ ସ୍ତର କାର୍ୟ୍ୟକ୍ରମ ସହିତ ସମନ୍ୱିତ କରାଯିବ। କୃଷି କ୍ଷେତ୍ରକୁ ସମର୍ଥନ କରାଯିବ। ଫସଲ ବୁଣା ଏବଂ ଅମଳ ଋତୁରେ ୬୦ ଦିନର କାର୍ୟ୍ୟ ବନ୍ଦ ଅବଧି ରଖାଯାଇଛି। ଏହି ଅବଧିକୁ ରାଜ୍ୟ ସରକାର ନିର୍ଦ୍ଧାରଣ କରିବେ। ନୂଆ ବିଲରେ ପୂର୍ବାନୁମାନଯୋଗ୍ୟ ପାଣ୍ଠିଯୋଗାଣ ବ୍ୟବସ୍ଥା ରହିଛି। ଏହା ରୋଜଗାର ଗ୍ୟାରେଣ୍ଟିକୁ ସୁନିଶ୍ଚିତ କରିବ। ସବୁ କାମର ଏଆଇ ତଦାରଖ କରାଯିବ। ବାସ୍ତବ ସମୟ ଡ୍ୟାଶବୋର୍ଡ ଏବଂ ସାମାଜିକ ଅଡିଟ୍ ସ୍ୱଚ୍ଛତା ଓ ତଦାରଖ ବ୍ୟବସ୍ଥାକୁ ସୁଦୃଢ଼ କରିବ । ନୂଆ ଯୋଜନାର କେନ୍ଦ୍ର ପ୍ରାୟୋଜିତ ଢାଞ୍ଚା ଜରିଆରେ କେନ୍ଦ୍ର ଏବଂ ରାଜ୍ୟ ସରକାର ପାଣ୍ଠି ଯୋଗାଣ ଉତ୍ତରଦାୟିତ୍ୱ ବହନ କରିବେ। ବିକଶିତ ଭାରତ ଜାତୀୟ ଗ୍ରାମୀଣ ଭିତ୍ତିଭୂମି ଷ୍ଟାକ୍ ମାଧ୍ୟମରେ ଜାତୀୟ ସ୍ତରରେ ସମନ୍ୱିତ ଏବଂ ବିକଶିତ ଗ୍ରାମ ପଞ୍ଚାୟତ ଯୋଜନା ବିକେନ୍ଦ୍ରୀକରଣକୁ ସୁଦୃଢ଼ କରିଥାଏ। ବିକଶିତ ଭାରତ – ଜୀ ରାମ ଜୀ ବିଲ୍ ୨୦୨୫ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟିକୁ ଆଧୁନିକୀକରଣ କରିବ। ଏହା ଦାୟିତ୍ୱକୁ ସୁଦୃଢ଼ କରି ଏବଂ ଦୀର୍ଘକାଳୀନ ଭିତ୍ତିଭୂମି ଓ ଜଳବାୟୁ ସ୍ଥିରତା ଲକ୍ଷ୍ୟ ସହିତ ନିଯୁକ୍ତି ସୃଷ୍ଟିକୁ ଯୋଡ଼ିବ। ନୂଆ ବିଲରେ ୧୨୫ ଦିନର କାମ ନ ମିଳିଲେ କାମ ଆରମ୍ଭ ତାରିଖ ଠାରୁ ବେକାରି ଭତ୍ତା ପ୍ରଦାନ କରିବାର ବ୍ୟବସ୍ଥା ରହିଛି। ରୋଜଗାରକୁ ଦୀର୍ଘସ୍ଥାୟୀ ଭିତ୍ତିଭୂମି ସହ ଯୋଡ଼ିବା ଫଳରେ ଦୀର୍ଘକାଳୀନ ଗ୍ରାମୀଣ ବିକାଶକୁ ସମର୍ଥନ ମିଳିବ। ଯୋଜନା ପ୍ରସ୍ତୁତି, ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଏବଂ ଆନୁଷ୍ଠାନିକରଣ ଦ୍ୱାରା ଉତ୍ତରଦାୟିତ୍ୱ ସୁନିଶ୍ଚିତ ହେବ। ବିକଶିତ ଗ୍ରାମ ପଞ୍ଚାୟତ ଯୋଜନା ମାଧ୍ୟମରେ ଯୋଜନା ପ୍ରସ୍ତୁତିକୁ ବିକେନ୍ଦ୍ରୀକରଣ କରାଯିବ। ଦୃଢ଼ ଡିଜିଟାଲ ଏବଂ ସାମାଜିକ ଉତ୍ତରଦାୟିତ୍ୱ ସୁନିଶ୍ଚିତ ହେବ ।
ମଜୁରୀ, ସାମଗ୍ରୀ ଏବଂ ପ୍ରଶାସନିକ ଖର୍ଚ୍ଚ ପାଇଁ ରାଜ୍ୟ ଅଂଶ ସମେତ ମୋଟ ବାର୍ଷିକ ପାଣ୍ଠି ଆବଶ୍ୟକତା ୧,୫୧,୨୮୨ କୋଟି ଟଙ୍କା ରହିଛି । ଏଥିମଧ୍ୟରୁ, କେନ୍ଦ୍ରୀୟ ଅଂଶ ୯୫,୬୯୨.୩୧ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହି ପରିବର୍ତ୍ତନ ରାଜ୍ୟଗୁଡ଼ିକ ଉପରେ କୌଣସି ଅନୁଚିତ ଆର୍ଥିକ ବୋଝ ଲଦିବ ନାହିଁ। ପାଣ୍ଠି ଢାଞ୍ଚା ରାଜ୍ୟ କ୍ଷମତା ଅନୁସାରେ ପ୍ରସ୍ତୁତ କରାଯାଇଛି। ଏଥିରେ କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକ ମଧ୍ୟରେ ୬୦:୪୦ ଖର୍ଚ୍ଚ-ବଣ୍ଟନ ଅନୁପାତ, ଉତ୍ତର-ପୂର୍ବ ଏବଂ ହିମାଳୟ ରାଜ୍ୟଗୁଡ଼ିକ ପାଇଁ ବର୍ଦ୍ଧିତ ୯୦:୧୦ ଅନୁପାତ ଏବଂ ବିଧାନସଭା ନଥିବା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଇଁ ୧୦୦ ପ୍ରତିଶତ କେନ୍ଦ୍ରୀୟ ପାଣ୍ଠି ଅନ୍ତର୍ଭୁକ୍ତ। ଏହି ବିଲ୍ ରୋଜଗାର ସୃଷ୍ଟିକୁ ଉତ୍ପାଦନଶୀଳ ସମ୍ପତ୍ତି ସୃଷ୍ଟି ସହିତ ଯୋଡ଼ି ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିଥାଏ, ଏହାଦ୍ୱାରା ପରିବାରର ଆୟ ବୃଦ୍ଧି ପାଇଥାଏ ଏବଂ ଅନୁକୂଳନ କ୍ଷମତାରେ ଉନ୍ନତି ଆସିଥାଏ। ଏହା ଜାତୀୟ, ରାଜ୍ୟ, ଜିଲ୍ଲା, ବ୍ଲକ ଏବଂ ଗ୍ରାମ ସ୍ତରରେ ସମନ୍ୱିତ, ଉତ୍ତରଦାୟୀ ଏବଂ ସ୍ୱଚ୍ଛ ଭାବରେ ମିଶନକୁ କାର୍ୟ୍ୟକାରୀ କରିବା ପାଇଁ ଏକ ସ୍ପଷ୍ଟ ସାଂଗଠନିକ ଢାଞ୍ଚା ସୃଷ୍ଟି କରେ। ନୂଆ ବିଲ୍ କେନ୍ଦ୍ର ସରକାରଙ୍କୁ କାର୍ୟ୍ୟକାରିତା ସମ୍ପର୍କିତ ଅଭିଯୋଗଗୁଡ଼ିକର ତଦନ୍ତ କରିବା, ଗୁରୁତର ଅନିୟମିତତା ଚିହ୍ନଟ ହେଲେ ପାଣ୍ଠି ପ୍ରଦାନକୁ ସ୍ଥଗିତ ରଖିବା ଏବଂ ତ୍ରୁଟି ଦୂର କରିବା ପାଇଁ ସଂଶୋଧନ କିମ୍ବା ପ୍ରତିକାରାତ୍ମକ ପଦକ୍ଷେପ ନେବାକୁ କ୍ଷମତା ପ୍ରଦାନ କରେ।










