ଭୁବନେଶ୍ୱର: ପୁରୀ ଜିଲ୍ଲା ଚନ୍ଦନପୁର ନିକଟସ୍ଥ ମଙ୍ଗଳପୁରରେ ଜଣେ ମଣିଷ ଦେହରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି। ଏନେଇ ପରେ ସ୍ୱାସ୍ଥ୍ୟ ବିଭାଗ ସତର୍କ ହୋଇଛି। ଏଥିଲାଗି ପିପିଲି ଓ ସତ୍ୟବାଦୀରେ ସର୍ଭେଲାନ୍ସ ବଢ଼ାଇ ଦିଆଯାଇଛି। ୧ କିଲୋମିଟର ଭିତରେ ଓ ୧ରୁ୧୦ କିଲୋମିଟର ଭିତରେ ଦୁଇ ଥାକିଆ ସର୍ଭେଲାନ୍ସ କରାଯାଇଛି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସଂପୃକ୍ତ ବ୍ୟକ୍ତିଙ୍କୁ କାଶ ସହ ଜର ହୋଇଥିଲା । ସେ ବାର୍ଡ ଫ୍ଲୁ ଆକ୍ରାନ୍ତ ଥିବା ସନ୍ଦେହ ହେବା ପରେ ରକ୍ତ ନମୁନା ଜଗଜଉକୁ ପଠାଯାଇଛି । ରିପୋର୍ଟ ଆସିବା ପରେ ବାର୍ଡ ଫ୍ଲୁ କି ନୁହେଁ ସ୍ପଷ୍ଟ ହେବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।
ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ପୁରୀ ଜିଲ୍ଲା ମଙ୍ଗଳପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିବା ଜଣେ ରୋଗୀଙ୍କଠାରେ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସର୍ଭେଲାନ୍ସ ବଢ଼ାଇ ଦିଆଯାଇଛି। ଏନେଇ ସମ୍ପୃକ୍ତ ଅଞ୍ଚଳରେ ଆଶା କର୍ମୀମାନେ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରିବା ସହ ତାମିଫ୍ଲୁ ମେଡିସିନ ବିତରଣ କରୁଛନ୍ତି। ଲୋକଙ୍କୁ ଏନ୍-୯୫ ମାସ୍କ ବଣ୍ଟାଯାଉଛି। ସ୍ବାସ୍ଥ୍ୟ ଓ ପଶୁସମ୍ପଦ ବିଭାଗ ପରସ୍ପର ମଧ୍ୟରେ ସମନ୍ବୟ ରଖି ଏଦିଗରେ କାମ କରାଯାଉଛି।