ଭୁବନେଶ୍ୱର: ଆଜି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ନିମାପଡା ଓ ଗୋପ ଅଞ୍ଚଳ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ପ୍ରଥମେ ନିମାପଡାସ୍ଥିତ ଆଦର୍ଶ ବିଦ୍ୟାଳୟ ହଂସପଡା ଠାରେ ଆୟୋଜିତ ବନ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ “ଏକ ପେଡ ମା କେ ନାମ” ଅଭିଯାନରେ ମା’ ଙ୍କ ନାମ ରେ ଏକ ଗଛ ଲଗେଇବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି । ରଥ କାଠର ଆବଶ୍ୟକତାକୁ ପୂରଣ କରିବା ପାଇଁ ପୁରୀ ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ ଏକ “ରଥ ବାଟିକା” ସୃଷ୍ଟି କରିବା ପାଇଁ ଜଙ୍ଗଲ ଅଧିକାରୀମାନଙ୍କୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ନିର୍ଦ୍ଦେଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜଙ୍ଗଲ ଅଧିକାରୀ, ସହକାରୀ ବନ ସଂରକ୍ଷକ ଓ ନିମାପଡା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଓ ଚଅଁର ପଦା ସରପଞ୍ଚ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ନିଜେ ବୃକ୍ଷରୋପଣ କରିବା ସହିତ ଏକାକାଳୀନ 120 ଜଣ ମହିଳାମାନଙ୍କ ଦ୍ୱାରା ଵୃକ୍ଷ ରୋପଣ କରିଥିଲେ। ଏହି ଅବସରରେ ପିଲାମାନଙ୍କୁ ନିଜ ମାଆ ପାଇଁ ଗୋଟିଏ ଗଛ ରୋପଣ କରିବାକୁ ଆହ୍ୱାନ ଦେଇଥିଲେ।ଏହା ପରେ ଗୋପ ତହସିଲ ଦ୍ୱାରା ଆୟୋଜିତ ପ୍ରଥମ ପର୍ଯ୍ୟାୟ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ମାନନୀୟା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଯୋଗ ଦେଇ ୧୧୨ ଜଣଙ୍କୁ ପ୍ରଜାଖାନା ସଂଶୋଧିତ ପଟ୍ଟା (column 2 correction) ଓ 17ଟି ଶିକ୍ଷା ଅନୁଷ୍ଠାନକୁ ଆନୁଷ୍ଠାନିକ ପଟ୍ଟା ବଣ୍ଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାର ଉପ ଜିଲ୍ଲାପାଳଙ୍କ ସମେତ ଗୋପ ବିଡ଼ିଓ ଓ ତହସିଲଦାର, ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ କୁମାର ରାୟ, ବ୍ଲକ ଉପାଧ୍ୟାକ୍ଷ ବନ ରଂଜନ ପଟ୍ଟନାୟକ, ସାଂସଦ ପ୍ରତିନିଧି ସୁଶାନ୍ତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।










