ଭୁବନେଶ୍ୱର: ଜଣାଶୁଣା ଓଲିଉଡ ଅଭିନେତା ସାତ୍ୟକି ମିଶ୍ରଙ୍କୁ ଜୀବନରୁ ମାରିଦେବାକୁ ଧମକ । ପୈତୃକ ସମ୍ପତ୍ତି , ଏବଂ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକାନାକୁ ନେଇ ସୃଷ୍ଟି ହେଉଥିବା ବିବାଦ ଏବେ ଉଗ୍ର ରୂପ ଧାରଣ କରିଛି । ଏହି ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଟାନ ଦାବି କରି ଆଜି ସାତ୍ୟକି କଟକ ଡିସିପିଙ୍କୁ ଭେଟି ନିଜ ପରିବାରର ସୁରକ୍ଷା ଏବଂ ନୟାୟ ପାଇଁ ଗୁହାରି କରିଛନ୍ତି । କଟକ ବାଲୁବଜାର ସ୍ଥିତ ପ୍ରତିଷ୍ଠିତ ପୁସ୍ତକ ପ୍ରକାଶନ ସଂସ୍ଥା କଟକ ଷ୍ଟୁଡେଣ୍ଟ ମାଲିକାନାକୁ ନେଇ ଦୀର୍ଘ ଦିନ ହେବ ପାରିବାରିକ କଳହ ଲାଗି ରହିଛି । ସାତ୍ୟକି ମିଶ୍ରଙ୍କ ଅଭିଯୋଗ ଯେ, ତାଙ୍କର ଦୁଇ ବଡବାପାଙ୍କର ପୁଅ ସବ୍ୟସାଚୀ ମିଶ୍ର ଏବଂ ସୌମିତ୍ରୀ ମିଶ୍ର ଏହି ସଂସ୍ଥାକୁ ବେଆଇନ ଭାବରେ ଅକ୍ତିଆର କରିବାକୁ ଚେଷ୍ଟା କରୁଛନ୍ତି । ଗତ ୬ ତାରିଖ ସନ୍ଧ୍ୟାରେ ଅଭିଯୁକ୍ତମାନେ ସାତ୍ୟକିଙ୍କ ଘରେ ପଶି ତାଙ୍କର ୮୪ ବର୍ଷୀୟା ବୃଦ୍ଧ ପିତା ନୃସିଂହ ପ୍ରସାଦ ମିଶଙ୍କୁ ଗାଳି ଗୁଲଜ କରିବା ସହିତ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏଥି ସହିତ ଘରର ମହିଳାମାନଙ୍କ ପ୍ରତି ମଧ୍ୟ ଖରାପ ଆଚରଣ ପ୍ରଦର୍ଶନ କରିଥିଲେ । ଏନେଇ ସେ ପୁରୀ ଥାନାରେ ଲିଖିତ ଏତଲା ଦେଇଥିଲେ । ଅଭିଯୁକ୍ତଙ୍କ ବିରୁଦ୍ଧରେ କୌଣସି ଦୃଢ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରା ନ ଯାଇଥିବାରୁ ଆଜି ସାତ୍ୟକି ମିଶ୍ର କଟକ ଡିସିପିଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ତେବେ ସାତ୍ୟକିଙ୍କ ବଡାବାପାଙ୍କ ଦୁଇ ପୁଅଙ୍କର ପ୍ରତିକ୍ରିୟା ମିଳିପାରିନାହିଁ ।










