22.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶ ନକ୍ସଲଙ୍କ ପାଇଁ ଡେଡ୍‌ଲାଇନ୍ ୨୦୨୬ ମାର୍ଚ୍ଚ ୩୧; ବନ୍ଧୁକ ଓ ହିଂସା ଛାଡ଼ି ଆତ୍ମସମର୍ପଣ କର

 ନକ୍ସଲଙ୍କ ପାଇଁ ଡେଡ୍‌ଲାଇନ୍ ୨୦୨୬ ମାର୍ଚ୍ଚ ୩୧; ବନ୍ଧୁକ ଓ ହିଂସା ଛାଡ଼ି ଆତ୍ମସମର୍ପଣ କର

ନୂଆଦିଲ୍ଳୀ: “୨୦୨୬ ମାର୍ଚ୍ଚ ସୁଦ୍ଧା ଭାରତ ନକ୍ସଲ ମୁକ୍ତ ହେବ । ଦେଶର କେତେକ ପ୍ରାନ୍ତରେ ସ୍ଥିତି ଜାହିର କରୁଥିବା ନକ୍ସଲଙ୍କ ପାଇଁ ୨୦୨୬, ମାର୍ଚ୍ଚ ୩୧ ତାରିଖକୁ ଡେଡ୍‌ଲାଇନ୍ ଭାବେ ଫିକ୍ସ (ଚୂଡାନ୍ତ) କରାଯାଇଛି । ଏହି ସମୟ ପୂର୍ବରୁ ହିଁ ଦେଶରୁ ନକ୍ସଲବାଦର ମୂଳୋତ୍ପାଟନ କରିଦିଆଯିବ । ଏହି ସମୟ ପୂର୍ବରୁ ନକ୍ସଲଙ୍କୁ ବନ୍ଧୁକ ତଥା ହିଂସାର ମାର୍ଗ ଛାଡି ଶାନ୍ତିର ମାର୍ଗକୁ ଫେରିବାକୁ ଅନୁରୋଧ କରାଯାଉଛି ।” ଶୁକ୍ରବାର ନକ୍ସଲ ପୀଡ଼ିତଙ୍କ ସହ ଆଲୋଚନା କରିବା ସମୟରେ ଏପ୍ରକାର ନିଜ ପୁରୁଣା କଥାକୁ ଦୋହରାଇଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ । ଛତିଶଗଡ଼ ରାଜଧାନୀ ରାୟପୁରରେ ଏକ ନକ୍ସଲ ବିରୋଧୀ ସଭାକୁ ସମ୍ବୋଧିତ କରିବା ବେଳେ ଶାହ ଏହା କହିଥିଲେ ।
ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନକୁ ଆସି ସାକ୍ଷାତ କରିଥିବା ପ୍ରାୟ ୫୫ଜଣ ଛତିଶଗଡ଼ ପ୍ରାନ୍ତୀୟ ନକ୍ସଲ ପୀଡ଼ିତ ସେମାନଙ୍କ ଯନ୍ତ୍ରଣାସିକ୍ତ ଜୀବନ ସମ୍ପର୍କରେ ଶାହଙ୍କୁ ଅବଗତ କରାଇଛନ୍ତି । ବସ୍ତର ଶାନ୍ତି କମିଟି ତତ୍ତ୍ୱାବଧାନରେ ଛତିଶଗଡ଼ର ଏଲଡବ୍ଲ୍ୟୁଇ ପ୍ରଭାବିତ ଅଞ୍ଚଳର ନକ୍ସଲ ହିଂସାରେ ପ୍ରଭାବିତ ଏହି ୫୫ ଜଣଙ୍କ ସମସ୍ୟା ସମ୍ପର୍କରେ ଶୁଣିସାରିବା ପରେ ସେମାନଙ୍କୁ ଆଶ୍ୱସ୍ତ କରିବାକୁ ଯାଇ ଶାହ ଉପରୋକ୍ତ ବିବୃତି ଦେଇଛନ୍ତି । ଶାହ କହିଛନ୍ତି, ମାଓବାଦୀମାନେ ଥରେ ପଶୁପତିନାଥ (ନେପାଳ)ରୁ ତିରୁପତି (ଆନ୍ଧ୍ରପ୍ରଦେଶ) ପର୍ଯ୍ୟନ୍ତ ଏକ କରିଡର ପ୍ରତିଷ୍ଠା କରିବାକୁ ଯୋଜନା କରିଥିଲେ କିନ୍ତୁ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଏପରି କରିବାକୁ ଦେଇନାହାନ୍ତି । ସେମାନଙ୍କ ସବୁ ଯୋଜନାକୁ ବିଫଳ କରାଯାଇଛି । ତେବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଖୁବ ଶୀଘ୍ର ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା ପୂର୍ବକ ଛତିଶଗଡର ନକ୍ସଲ ହିଂସା ପ୍ରଭାବିତ ଲୋକଙ୍କ ପାଇଁ ଏକ କଲ୍ୟାଣକାରୀ ଯୋଜନା ପ୍ରସ୍ତୁତ କରିବ । ଚାକିରୀ, ସ୍ୱାସ୍ଥ୍ୟସେବା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଆମର କଲ୍ୟାଣମୂଳକ ପଦକ୍ଷେପ ମାଧ୍ୟମରେ ଆମେ ଯେକୌଣସି ଉପାୟରେ ସାହାଯ୍ୟ କରାଯିବ । ସେହିପରି ହିଂସାମାର୍ଗକୁ ଆପଣାଇଥିବା ନକ୍ସଲଙ୍କ ପାଇଁ ମଧ୍ୟ କେନ୍ଦ୍ର ସରକାର ଏକ ନୂଆ ଆତ୍ମସମର୍ପଣ ନୀତି ଆସନ୍ତା ୨ ମାସ ମଧ୍ୟରେ ଆଣିବେ । ଏହି ପରିପ୍ରେକ୍ଷୀରେ ଶାହ, ହିଂସାର ମାର୍ଗ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ବାମପନ୍ଥୀ ଉଗ୍ରବାଦୀଙ୍କୁ ନିବେଦନ କରିଛନ୍ତି । ୨୦୨୬ ମାର୍ଚ୍ଚ ସୁଦ୍ଧା ବାମପନ୍ଥୀ ଉଗ୍ରବାଦର ସମ୍ପୂର୍ଣ୍ଣ ଉଚ୍ଛେଦ ପରେ ବସ୍ତର ପୁଣି ଥରେ ସୁନ୍ଦର, ଶାନ୍ତିପୂର୍ଣ୍ଣ ଏବଂ ବିକଶିତ ହେବ ବୋଲି ସେ ବିଶ୍ୱାସ କରୁଥିବା ଦର୍ଶାଇଛନ୍ତି ।
ଶାହ କହିଛନ୍ତି, ନକ୍ସଲବାଦ ଉଭୟ ମାନବିକତା ଓ ଦେଶର ଆଭ୍ୟନ୍ତରୀଣ ନିରାପତ୍ତା ପାଇଁ ବିପଦ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲବାଦକୁ ସମ୍ପୂର୍ଣ୍ଣ ରୂପେ ନିପାତ କରିବାକୁ ପ୍ରତିଶ୍ରୁତିବଦ୍ଧ । ତେବେ ଯେଉଁମାନେ ନକ୍ସଲଙ୍କ ମାନବିକ ଅଧିକାରକୁ ସମର୍ଥନ କରୁଛନ୍ତି ସେମାନେ ନକ୍ସଲବାଦ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କ ମାନବିକ ଅଧିକାର ବିଷୟରେ ମଧ୍ୟ ବିଚାର କରିବା ଉଚିତ୍ । ମାଓବାଦ ଶେଷ କରିବା ଦିଗରେ ଏକ ଶକ୍ତିଶାଳୀ ଓ କଠୋର ରଣନୀତି ଆବଶ୍ୟକ । ମାଓବାଦୀ ହିଂସା ଯୋଗୁ ବର୍ତ୍ତମାନ ସୁଦ୍ଧା ଦେଶରେ ୧୭ ହଜାର ଲୋକଙ୍କ ଜୀବନ ଯାଇଛି ।  ତେବେ ୨୦୦୪ରୁ ୨୦୧୪ ତୁଳନାରେ ୨୦୧୪ରୁ ୨୦୨୪ ମଧ୍ୟରେ ମାଓବାଦୀ ହିଂସା ଘଟଣା ୫୩% ହ୍ରାସ ପାଇଛି । ଏବେ ମାଓବାଦୀ ସମସ୍ୟା ବିରୋଧରେ ଶେଷ ଲଢ଼େଇର ସମୟ ଆସିଯାଇଛି । ୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶ ନିଶ୍ଚିତ ରୂପେ ନକ୍ସଲ ମୁକ୍ତ ହେବ । ଏହି ଅବସରରେ ସେ ମାଓବାଦୀଙ୍କୁ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ୱାନ ମଧ୍ୟ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking