ଖୋର୍ଦ୍ଧା :କାନ୍ଥ ଭାଙ୍ଗି ଘରେ ପଶିଗଲା ଆମ୍ବୁଲାନ୍ସ, ୩ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା – ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ। ଗତକାଲି ରାତିରେ ଏକ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ବୁଗୁଡ଼ା ଛକରେ ଥିବା ବାବୁଲା ଗନ୍ତାୟତଙ୍କ ଘରକୁ ପଶି ଯାଇଥିଲା । ଫଳରେ ଘର ଭାଙ୍ଗିରୁଜି ଯାଇଥିବାବେଳେ ବାବୁଲାଙ୍କ ଘରର ୩ ଜଣ ଆହତ ହୋଇଥିଲେ। ୩ ଗୁରୁତରଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଆମ୍ବୁଲାନ୍ସଟି ଭୁବନେଶ୍ୱରରୁ ବୌଦ୍ଧ – ଫୁଲବାଣୀ ଅଭିମୁଖେ ଯାଉଥିବାବେଳେ ଏଭଳି ଅଘଟଣ ଘଟିଛି। ତେବେ ଦଶପଲ୍ଲା ବ୍ଲକର ବୁଗୁଡ଼ା ଓ ବୁଗୁଡ଼ା କଲୋନୀ ମଧ୍ୟରେ ଜାତୀୟ ରାଜପଥରେ କୌଣସି ସ୍ପିଡ ବ୍ରେକର ନଥିବା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି । ତେଣୁ ଏହି ରାସ୍ତାରେ ସ୍ପିଡ଼ ବ୍ରେକର ନିର୍ମାଣ କରିବା ପାଇଁ ସର୍ବସାଧାରଣରେ ଦାବି ହେଉଛି ।










