ଭୁବନେଶ୍ୱର: ଓଡ଼ିଶା ଉପରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହା ପ୍ରଭାବରେ ଉତ୍ତର ଓଡ଼ିଶାରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ହୋଇପାରେ । ଏଥିପାଇଁ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁସାରେ, ରବିବାର କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ସୁନ୍ଦରଗଡ଼ର ବିଭିନ୍ନ ସ୍ଥାନରେ ଝଡ଼ବର୍ଷାର ଆଶଙ୍କା ଅଛି । ଏହି ସବୁ ସ୍ଥାନରେ ୪୦ରୁ ୫୦ କିମି ବେଗରେ ପବନ ବହିପାରେ । କେବଳ ୪ ଜିଲ୍ଲା ନୁହେଁ, ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଏକାଧିକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।
ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ବୌଦ୍ଧର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ ରହିଛି । ୯ ତାରିଖ(ସୋମବାର) ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ଆଶଙ୍କା ଅଛି । ସୋଆ ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, କାଳବୈଶାଖୀ ପ୍ରଭାବରେ ରବିବାର ଓ ସୋମବାର କିଛି ସ୍ଥାନରେ ବର୍ଷା ହୋଇପାରେ । ଉପକୂଳ ଓଡ଼ିଶା ଓ ଉତ୍ତର ଓଡ଼ିଶାର ବିକ୍ଷିପ୍ତ ସ୍ଥାନରେ ବର୍ଷା ହୋଇପାରେ । କିନ୍ତୁ ବଡ଼ଧରଣର ବା ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା ନାହିଁ । ଶନିବାର ସୋନପୁରରେ ଦିନ ତାପମାତ୍ରା ସର୍ବାଧିକ ୩୭.୭ ଡିଗ୍ରୀ ସେଲସିୟସ୍ ରହିଥିଲା । ଟିଟିଲାଗଡ଼ରେ ୩୭.୬, ସମ୍ବଲପୁର ଓ ବଲାଙ୍ଗୀରରେ ୩୬.୪, ଝାରସୁଗୁଡ଼ାରେ ୩୬.୨, ନବରଙ୍ଗପୁରରେ ୩୬ ଡିଗ୍ରୀ ରହିଥିଲା ।










