24.1 C
Bhubaneswar
Thursday, October 24, 2024
Homeଓଡିଶାରାତି ୩ଟାରୁ ଭୋର ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ଦାନା’

ରାତି ୩ଟାରୁ ଭୋର ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା ‘ଦାନା’

ଘଣ୍ଟାପ୍ରତି ୧୦ କିମି ବେଗରେ ବାତ୍ୟା ସ୍ଥଳଭାଗ ମୁହାଁ
ଲ୍ୟାଣ୍ଡଫଲ୍ ପରେ ବଦଳିବ ଜତିପଥ
ଆଜିଠୁ ପ୍ରବଳ ବର୍ଷା, ୭ ଜିଲ୍ଲାରେ ହେବ ପ୍ରବଳରୁ ଅତିପ୍ରବଳ ବର୍ଷା
ବନ୍ୟା ଆଶଙ୍କା, ପ୍ରଭାବିତ ହେବ୧୬ ଜିଲ୍ଲା, ୧୩ ଜିଲ୍ଲାରେ ହାଇଆଲର୍ଟ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ନେଇ ଓଡ଼ିଶା ଉପକୂଳ ମୁହାଁ ହେଉଛି ‘ଦାନା’। ଘଣ୍ଟାପ୍ରତି ୧୦ କିମି ବେଗରେ ଏହା ଗତି କରୁଛି। ତେବେ ରାତି ସାଢ଼େ୯ଟା ସୁଦ୍ଧା ‘ଦାନା’ ପାରାଦୀପର ଦକ୍ଷିଣପୂର୍ବକୁ ୧୫୦ କିମି ଦୂରରେ ରହିଛି। ସେହିଭଳି ଧାମରାର ଦକ୍ଷିଣ ଓ ଦକ୍ଷିଣ-ପୂର୍ବରେ ୧୫୦ କିମି ଦୂରରେ ରହିଥିଲା। ଆଜି ମଧ୍ୟରାତି ଓ କାଲି ସକାଳ ମଧ୍ୟରେ ଏହା ଲ୍ୟାଣ୍ଡଫଲ୍ କରିବ ବା ଓଡ଼ିଶା ଉପକୂଳ ଅତିକ୍ରମ କରିବ। ଏହା ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବୋଲି ଆକଳନ କରାଯାଇଛି। ମଧ୍ୟରାତ୍ରରୁ ‘ଦାନା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଯିବ। ରାତି ୩ଟାରୁ ଭୋର ମଧ୍ୟରେ ଏହା ଲ୍ୟାଣ୍ଡଫଲ୍ କରିବ ବୋଲି ପୂର୍ବାନୁମାନ କରାଯାଇଛି।

ବାତ୍ୟାର ସବୁଠୁ ଅଧିକ ପ୍ରଭାବ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ଜଗତସିଂହପୁର ଜିଲ୍ଲା ଉପରେ ପଡ଼ିବ। ଲ୍ୟାଣ୍ଡଫଲ୍ ବେଳେ ଅତି ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୧୦୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି। ମୟୂରଭଞ୍ଜ, ଯାଜପୁର, କଟକରେ ଘଣ୍ଟାକୁ ୬୦ରୁ ୮୦କିମି, କେନ୍ଦୁଝର, ଢେଙ୍କାନାଳ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ୬୦ ରୁ ୭୦, ସୁନ୍ଦରଗଡ଼ ଜିଲ୍ଲାରେ ୫୦ ରୁ ୬୦ କିମି ବେଗରେ ପବନ ବହିପାରେ। ସ୍ଥଳଭାଗ ଛୁଇଁବା ପରେ ଭୀଷଣ ବାତ୍ୟା ‘ଦାନା’ ଦୁର୍ବଳ ହେବା ସହ ଏହାର ଗତିପଥରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ। ଏହା ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗକୁ ରିକର୍ଭ ହୋଇପାରେ ବୋଲି ଆକଳନ କରାଯାଇଛି । ଆସନ୍ତାକାଲି ପୂର୍ବାହ୍ଣ ସାଢ଼େ ୧୧ଟା ସୁଦ୍ଧା ଏହା ଦୁର୍ବଳ ହୋଇ ଭୀଷଣ ବାତ୍ୟାରୁ ବାତ୍ୟା ଏବଂ କାଲି ରାତି ସାଢ଼େ ୧୧ଟା ସୁଦ୍ଧା ଗଭୀର ଅବପାତରେ ପରିଣତ ହୋଇପାରେ।

ବାତ୍ୟା ପ୍ରଭାବରେ ମଧ୍ୟାହ୍ନରୁ ଉପକୂଳ ଓ ଉତ୍ତର ଓଡ଼ିଶାରେ ତୁହାକୁ ତୁହା ବର୍ଷା ସହ ବଢୁଛି ପବନର ବେଗ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ସକ୍ରିୟ ରହିଛି ଭୀଷଣ ବାତ୍ୟା। ବାତ୍ୟା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା କରହିଛି। ବିଶେଷ କରି ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କେନ୍ଦୁଝର, ଯାଜପୁର, କଟକ, ଢେଙ୍କାନାଳ, ଖୋର୍ଦ୍ଧା ଓ ପୁରୀରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଲ୍ୟାଣ୍ଡଫଲ ପରେ ଭଦ୍ରକରୁ ରିକର୍ଭ କରି ପଶ୍ଚିମ ଓଡିଶାକୁ ମୁହିଁଇବ। କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ ଦେଇ ଅତିକ୍ରମ କରିବ ସିଷ୍ଟମ। ଆଜି ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର,ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, କଟକ, ଖୋର୍ଦ୍ଧାରେ ଭୀଷଣ ବର୍ଷା ହୋଇଥିବା ବେଳେ । କାଲିଠୁ ଆଭ୍ୟନ୍ତରୀଣ ଓଡିଶା ର ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ଼, ବୌଦ୍ଧ, ନୟାଗଡ଼ ଦେଇ ଅତିକ୍ରମ କରିବ ବାତ୍ୟାର ଅଂଶ। ୨୬ ତାରିଖରେ ଅବପାତ କିମ୍ବା ଲଘୁଚାପ ଭାବରେ ଦକ୍ଷିଣ ଓଡ଼ିଶାରେ ପହଞ୍ଚିବ। ଫଳରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳରେ ବି ବର୍ଷା ହେବ।

ଅପରପକ୍ଷେ ପୂର୍ବରୁ ଆଇଏମ୍‌ଡି ପୂର୍ବାନୁମାନ କରିଥିବା ସ୍ଥାନରେ ହିଁ ସ୍ଥଳଭାଗ ଛୁଇଁବ ବାତ୍ୟା। ଲ୍ୟାଣ୍ଡଫଲ୍ ବେଳେ ୧୦୦-୧୨୦ କିମି ବେଗରେ ବହିବ ପବନ। ଏହା ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ସାଙ୍ଗକୁ ପବନର ବେଗ ବି ବଢ଼ିଲାଣି । ମାତ୍ର ଏଯାଏ ‘ଦାନା’ର କୌଣସି ଆଖି ଦେଖାଯାଇନି ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଚନ୍ତି। ସେ କହିଛନ୍ତି ଯେ ସାଇକ୍ଲୋନ୍ ‘ଦାନା’ ବଙ୍ଗୋପସାଗରରୁ ବଳ ଗୋଟାଇ ଭୀଷଣ ରୂପ ଧାରଣ କରି ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି। ଭୀଷଣ ବାତ୍ୟା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଉପକୂଳ ଆଡ଼େ ମୁହାଁଉଛି। ଗୁରୁବାର ମଧ୍ୟରାତ୍ରିରୁ ଶୁକ୍ରବାର ସକାଳ ଭିତରେ ଭିତରକନିକା-ଧାମରା ପାଖରେ କରିବ ଲ୍ୟାଣ୍ଡଫଲ୍‌। ଲ୍ୟାଣ୍ଡଫଲ୍ ପରେ ବାତ୍ୟା ସାମାନ୍ୟ ରିକର୍ଭ କରିପାରେ ବୋଲି ସେ କହିଛନ୍ତି। ‘ଦାନା’ ଯୋଗୁ କେନ୍ଦ୍ରାପଡ଼ା-ଭଦ୍ରକ ଅଧିକ ପ୍ରଭାବିତ ହେବେ। ‘ଦାନା’ର କୋପ ଯୋଗୁ ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଗଲାଣି। ଧୀରେ ଧୀରେ ଏହା ବଢ଼ିବ। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବା ସହ ପ୍ରାୟ ୨ ମିଟର ଉଚ୍ଚର ଜୁଆର ଆସିବ ବୋଲି ସେ କହିଛନ୍ତି। ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, କଟକ, ମୟୂଭରଭଞ୍ଜ, ଢେଙ୍କାନାଳ, ଯାଜପୁର ଆଦି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ।

ସେହିପରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଅନଚସାରେ ଲ୍ୟାଣ୍ଡଫଲ୍ ପରେ ଏହାର ଗତିପଥ ସାମାନ୍ୟ ରିକର୍ଭ ହୋଇପାରେ। ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ‘ଦାନା’ ଏବେ ଉତ୍ତର- ପଶ୍ଚିମ ଦିଗକୁ ଗତି କରୁଛି। ବାତ୍ୟାର ଗତିପଥ ଯାହା ଥିଲା, ତାହା ରହିଛି। ବାତ୍ୟା ‘ଦାନା’ ଅତି ଭୀଷଣ ରୂପ ନେଇ ଆଜି ରାତିରୁ ଆସନ୍ତାକାଲି ସକାଳ ମଧ୍ୟରେ ଭିତରକନିଆ ଓ ଧାମରା ପାଖାପାଖି ଅତିକ୍ରମ କରିବ। ଲ୍ୟାଣ୍ଡଫଲ୍ ପରେ ଏହା ସାମାନ୍ୟ ପଶ୍ଚିମ ପଶ୍ଚିମ ଦକ୍ଷିଣ ଦିଗକୁ ରିକର୍ଭ କରିପାରେ ବୋଲି ସେ କହିଛନ୍ତି। ତେବେ ଲ୍ୟାଣ୍ଡଫଲ୍ ବେଳେ ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୨୦ କିଲୋମିଟର ରହିପାରେ ବୋଲି ଆକଳନ କରାଯାଇଛି।

ପାଣିପାଗକେନ୍ଦ୍ର ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ ଯାଜପୁର, କଟକ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏହି ସବୁ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି। ପୁରୀ, ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳ, କେନ୍ଦୁଝରର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସୁନ୍ଦରଗଡ଼, ଦେଓଗଡ଼, ଅନୁଗୁଳ, ବୌଦ୍ଧ, କନ୍ଧମାଳ,ଗଞ୍ଜାମ, ଝାରସୁଗୁଡ଼ା ଏବଂ ସମ୍ବଲପୁର ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଆସନ୍ତାକାଲି ପାଇଁ ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ ବାଲେଶ୍ୱର ପାଇଁ ରେଡ ଆଲର୍ଟ ଜାରି କରାଯାଇଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ପୁରୀ, ଖୋର୍ଦ୍ଧା, ଦେଓଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ନୟାଗଡ଼ ଓ ବୌଦ୍ଧ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ୨୬ ତାରିଖରେ ମାଲକାନଗିରି, କୋରାପୁଟ, କଳାହାଣ୍ଡି, ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।

୪ ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକରେ ରହିବ ସାଇକ୍ଲୋନର ଅଧିକ ପ୍ରଭାବ। ଏସବୁ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସହ ପବନ ବହିବ। ସେମିତି ପାର୍ଶ୍ୱବର୍ତ୍ତୀ ଜିଲ୍ଲା ପୁରୀ, ଖୋର୍ଦ୍ଧା, କଟକ, ମୟୂରଭଞ୍ଜ, କେନ୍ଦୁଝର ଓ ଢେଙ୍କାନାଳରେ ବି ପ୍ରବଳ ବର୍ଷିବ। ଆଜି ଓ ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏପଟେ ବାତ୍ୟା ପାଇଁ ପୁରୀ, ପାରାଦୀପ, ଗୋପାଳପୁର ଓ ଧାମରା ବନ୍ଦରରେ ବିପଦ ସଙ୍କେତ ନମ୍ବର କ୍ରମାଗତ ବଢ଼ାଯାଉଛି। କିଛି କିଛି ସ୍ଥାନରେ ଅତି ଭୀଷଣ ବର୍ଷା ହେବ। ଆଉ ଏହି ବର୍ଷା ଯୋଗୁ ୧୬ଟି ଜିଲ୍ଲାରେ ବନ୍ୟା ହେବାର ଆଶଙ୍କା ରହିଛି। ଏହି ସବୁ ଜିଲ୍ଲାଗୁଡ଼ିକରେ ଫ୍ଲାସ୍ ଫ୍ଲଡ ହୋଇପାରେ। ଅନୁଗୋଳ, ବାଲେଶ୍ୱର, ବୌଦ୍ଧ, ଭଦ୍ରକ, କଟକ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ,ନୟାଗଡ଼ ଓ ପୁରୀ ଜିଲ୍ଲାରେ ଫ୍ଲାସ୍ ଫ୍ଲଡ୍ ହୋଇପାରେ ବୋଲି ସୂଚନା ଦିଆଯାଇଛି।

ଅପରପକ୍ଷେ “ବାତ୍ୟା ଦୁର୍ବଳ ହେବାର କୌଣସି ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଜଣାପଡିଛି। ଏହା ଭୀଷଣ ବାତ୍ୟା ହୋଇଥିବାବେଳେ ଉପକୂଳ ଅତିକ୍ରମ କରିବ। ଏହି ସମୟରେ ଘଣ୍ଟା ପ୍ରତି ପବନର ବେଗ ୧୦୦ରୁ ୧୧୦ କିମ୍ବା ୧୨୦ କିଲୋମିଟର ଛୁଇଁପାରେ । ସେହିପରି ‘ଆଖି’ ସୃଷ୍ଟି ହେବା ନେଇ ଏପର୍ଯ୍ୟନ୍ତ କୌଣସି ଆକଳନ ହୋଇନାହିଁ। ରାତିରେ ଆହୁରି ବଢିବ ବର୍ଷାର ପରିମାଣ ବୋଲି କୁହାଯାଇଛି। ବାତ୍ୟା ପ୍ରଭାବରେ ପବନ ଓ ବର୍ଷା ପରିମାଣ ବୃଦ୍ଧି ପାଇଛି। ବାତ୍ୟା ‘ଦାନା’ ର ପ୍ରଭାବରେ ରାଜ୍ୟରେ ୨ ଦିନ ଧରି ବର୍ଷା ଲାଗି ରହିବ। ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର କେନ୍ଦ୍ରାପଡା, ଜଗତସିଂହୁର, କଟକ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି। ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ ଓ କେନ୍ଦୁଝରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସୁନ୍ଦରଗଡ, ଅନଗୋଳ, ବୌଦ୍ଧ କନ୍ଧମାଳ, ଗଞ୍ଜାମ, ଝାରସୁଗୁଡା ଏବଂ ସମ୍ବଲପୁରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଲ୍ୟାଣ୍ଡଫଲ୍ ପରେ ଗତି ଉତ୍ତର ଉତ୍ତର-ପଶ୍ଚିମ ଦିଗକୁ ରହିବ। ପ୍ରଭାବରେ ଆଜି ରାତି ଠାରୁ ବର୍ଷାର ପ୍ରଭାବ ଦେଖାଯିବ। ଲ୍ୟାଣ୍ଡଫଲ ପରେ ବାତ୍ୟାର ଗତି ପଶ୍ଚିମ ଉତ୍ତର-ପଶ୍ଚିମ ଦିଗକୁ ରହିବ।

ପରେ ଏହା ଦୁର୍ବଳ ହୋଇ ଅବପାତରେ ପରିଣତ ହେବ ବାତ୍ୟା। ଉତ୍ତର ଓଡ଼ିଶାରେ ଏହାର ବିଶେଷ ପ୍ରଭାବ ରହିବ। ଲ୍ୟାଣ୍ଡଫଲ ପରେ ଉତ୍ତର ଓଡ଼ିଶାରେ ବିଶେଷ ପ୍ରଭାବ ପଡ଼ିବା ସହ ପ୍ରବଳ ବର୍ଷା ହେବ। ବର୍ତ୍ତମାନ ବାତ୍ୟା ଦୁର୍ବଳ ହେବାର କୌଣସି ସମ୍ଭାବନା ନାହିଁ। ବାତ୍ୟା ଭୀଷଣ ରୂପ ଧାରଣ କରି ଉପକୂଳ ଅତିକ୍ରମ କରିବ। ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ୧୦୦ରୁ ୧୧୦ ପର୍ଯ୍ୟନ୍ତ ରହିବ। ଏହା ବୃଦ୍ଧି ପାଇଁ ୧୨୦ ମଧ୍ୟ ହୋଇପାରେ ବୋଲି ଆକଳନ କରାଯାଇଛି। ଲ୍ୟାଣ୍ଡଫଲ କରିବା ପରେ ପଶ୍ଚିମ-ଓଡିଶାକୁ ସାମାନ୍ୟ ମୁହାଁଇବ ବାତ୍ୟା। ଫଳରେ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ ଦେଇ ବାତ୍ୟା ଅତିକ୍ରମ କରିବାର ଅନୁମାନ କରାଯାଉଛି। ଏହାର ପ୍ରଭାବରେ ମୋଟ ଉପରେ ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, କଟକ, ଖୋର୍ଦ୍ଧା, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ଼, ବୌଦ୍ଧ, ନୟାଗଡ଼, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳରେ ଏହାର ପ୍ରଭାବରେ ବର୍ଷା ହେବ ।

ସ୍ୱତନ୍ତ୍ର ରିଲିଫ କମିଶନର( ଏସ୍‌ଆରସି) ଦେଓରଞ୍ଜନ କୁମାର ସିଂ କହିଛନ୍ତି ଯେ, ୧୧ଟି ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ସର୍ବାଧିକ ପ୍ରଭାବିତ ହେବ। ଏହିସବୁ ଜିଲ୍ଲାରେ ୩ ଲକ୍ଷ ୭୦ ହଜାର ୮୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବ। ଆଶ୍ରୟ ସ୍ଥଳରେ ଲୋକଙ୍କ ପାଇଁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଛି । ୧୧ ଜିଲ୍ଲାର ୬୦ ବ୍ଲକର ୨୧୩୧ ଗାଁ ଓ ୧୨ଟି ସହରାଞ୍ଚଳ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଏସବୁ ଅଞ୍ଚଳରେ ୪ ଲକ୍ଷ ଲୋକ ପ୍ରଭାବିତ ହେବେ। ବିଭିନ୍ନ ସ୍ଥାନରେ ୮୪୨ ସ୍ଥାୟୀ ଓ ୬୪୪୫ ଅସ୍ଥାୟୀ ମୋଟ ୭୩୦୭ ରିଲିଫ ସେଣ୍ଟର ବ୍ୟବସ୍ଥା ହୋଇଛି। ୪୭୫୬ ରିଲିଫ ସେଣ୍ଟରରେ ଅପରେସନ ଆରମ୍ଭ ହୋଇଛି । ପ୍ରାଣୀ ସମ୍ପଦ ପାଇଁ ୩୬୦ଟି ଆଶ୍ରୟସ୍ଥଳୀ ତିଆରି କରାଯାଇଛି। ୬୪୫୪ ପଶୁ ସ୍ଥାନାନ୍ତରିତ ହୋଇଛନ୍ତି। ସବୁ ରିଲିଫ କେନ୍ଦ୍ରରେ ରୋଷେଇ ଖାଦ୍ୟ ବ୍ୟବସ୍ଥା ହୋଇଛି। ପିଲାମାନଙ୍କ ପାଈଁ ଶିଶୁ ଖାଦ୍ୟ ଓ କ୍ଷୀର ବ୍ୟବସ୍ଥା ହୋଇଛି। ୨୧୩ ମେଡିକାଲ ଟିମ୍ ଅଛନ୍ତି। ପଶୁ ସମ୍ପଦ ପାଇଁ ୧୨୦ ଟିମ୍ ରହିଛନ୍ତି। ୩୭୦୦ ଗର୍ଭବତୀ ମହିଳାଙ୍କୁ ସ୍ଥାନାନ୍ତରିତ କରାଯାଇଛି। ୨ ଜଣ ସୁରକ୍ଷୀତ ପ୍ରସବ କରିଛନ୍ତି, ୩୮୫ ରେସପନ୍ସ ଟିମ୍ ଗ୍ରାଉଣ୍ଡରେ ଅଛନ୍ତି। ୧୯ ଏନଡିଆରଏଫ, ୫୧ ଓଡ୍ରାଫ, ୯୫ ଓଏଫଡିସି, ୨୨୦ ଅଗ୍ନିଶମ ଟିମ୍ ମୁତୟନ ହୋଇଛନ୍ତି। ଆଶା ଦିଦି ଓ ଅଙ୍ଗନବାଡି ଦିଦି ମୁତୟନ ଅଛନ୍ତି।

ଆଜି ସାରା ରାଜ୍ୟରେ ପ୍ରବଳ ବର୍ଷା ହୋଇଥିବା ବେଳେ ପରାଦୀପରେ ସର୍ବାଧିକ ୬୨.୯ ମି.ମି. ବର୍ଷା ରେକର୍ଡ କରାଯାଇଛି। ସେହିପରି ଚାନ୍ଦବାଲି ରେ ୪୬.୨ ମିମି ବର୍ଷା ରେକର୍ଡ କରାଯାଇଛି। କୁଜଙ୍ଗ ଓ ରାଜନଗରରେ ୨୭ ମିମି ବର୍ଷା ରେକର୍ଡ କରାଯାଇଥିବା ନୀଳଗିରିରେ ୨୩ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ପଟ୍ଟାମୁଣ୍ଡାଇରେ ୨୨.୫ ମିମି, ଆଳିରେ ୨୧ ମିମି, ସୋର ଓ ବେତନଟୀରେ ୧୯ ମିମି, ଔପଦାରେ ୧୮ ମିମି, ଧାମନଗର ଓ ସାରସକଣାରେ ୧୬ ମିମି, ବାଙ୍ଗିରିପୋଷିରେ ୧୨.୬ ମିମି ଓ ଭଦ୍ରକରେ ୧୨.୩ ମିମି ବର୍ଷା ରେକର୍ଡ କରାଯାଇଛି। ବାତ୍ୟାର ପ୍ରଭାବରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, କଟକ ଓ ଢେଙ୍କାନାଳ ପରି ୧୧ଟି ଜିଲ୍ଲା ପ୍ରଭାବିତ ହେବ। ଏଥିରେ ୬୪ଟି ବ୍ଲକ୍ ର ୨୧୬୩ ଟି ଗ୍ରାମ ପ୍ରଭାବିତ ହୋଇଥିବା ବେଳେ, ୧୩ଟି ସହରାଞ୍ଚଳର ୬୪ଟି ୱାର୍ଡ ଓ ୪,୫୪,୮୦୦ ଜନସାଧାରଣ ପ୍ରଭାବିତ ହୋଇଛନ୍ତି। ଏବେ ସୁଦ୍ଧା ୮୬୨ କୁଇଣ୍ଟାଲ ଚୁଡା ଓ ୯୭ କୁଇଣ୍ଟାଲ ଗୁଡ ରିଲିଫ୍ ଆକାରରେ ବଣ୍ଟା ହୋଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ରାସ୍ତା ସଫା ଓ ସଂଯୋଗୀକରଣ ପାଇଁ ୨୫୬ ଟି ଟିମ ନିୟୋଜିତ ହୋଇଛନ୍ତି।

୧୯୯୯ ମସହା ମହାବାତ୍ୟା ପରେ ‘ଦାନା’ ହେଉଛି ଓଡ଼ିଶାରେ ଏକାଦଶ ତମ ବାତ୍ୟା। ଏହାପୂର୍ବରୁ ୨୦୧୩ରେ ଫାଇଲିନ୍‌,୨୦୧୪ରେ ହୁଡହୁଡ, ୨୦୧୮ରେ ତିତିଲି, ୨୦୧୯ରେ ଫନି, ୨୦୧୯ରେ ବୁଲ୍‌ବୁଲ୍‌, ୨୦୨୦ରେ ଅମ୍ଫାନ୍‌, ୨୦୨୧ରେ ୟସ୍‌, ଗୁଲାବ, ଜୱାଦ ବାତ୍ୟା ତାଣ୍ଡବ ରଚାଇଥିଲେ। 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking