28.1 C
Bhubaneswar
Tuesday, February 3, 2026
Homeଓଡିଶାବଙ୍ଗୋପସାଗରରେ ଆସୁଛି ବାତ୍ୟା; ପ୍ରବଳ ପବନ ସହ ନିର୍ଧୁମ ବର୍ଷିବ!

ବଙ୍ଗୋପସାଗରରେ ଆସୁଛି ବାତ୍ୟା; ପ୍ରବଳ ପବନ ସହ ନିର୍ଧୁମ ବର୍ଷିବ!

ଭୁବନେଶ୍ୱର: ବଙ୍ଗୋପସାଗରରେ ଆସୁଛି ବାତ୍ୟା। ବର୍ଷିପାରେ ନିର୍ଧୁମ ବର୍ଷା। ବହିପାରେ ପ୍ରବଳ ପବନ। ହେଲେ କୁଆଡ଼େ ରହିବ ବାତ୍ୟାର ଗତିପଥ ? ସସପେନ୍ସ ବଢ଼ାଉଥିବା ଶୀତକାଳୀନ ସାଇକ୍ଲୋନ୍‌, ବୁଧବାର ନଚେତ ଗୁରୁବାର ସ୍ପଷ୍ଟ ହୋଇଯିବ। କାରଣ ଅତି ମନ୍ଥର ଗତିରେ ଦାନା ବାନ୍ଧୁଛି ଏହି ବାତ୍ୟା। ମାଲାକ୍କା ସମୁଦ୍ର ସନ୍ଧି ଓ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ସ୍ପଷ୍ଟଚିହ୍ନିତ ଲଘୁଚାପଟି ପ୍ରଥମେ ଅବପାତର ରୂପ ନେବ। ଏହାର ୪୮ ଘଣ୍ଟା ଭିତରେ ତଥା ବୁଧବାର କିମ୍ବା ଗୁରୁବାର ସୁଦ୍ଧା ବାତ୍ୟାର ରୂପ ଧାରଣ କରି ପଶ୍ଚିମ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିପାରେ। କିନ୍ତୁ ଓଡ଼ିଶା ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିନପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତଥାପି ୪୮ ଘଣ୍ଟା ପରେ କିଛି ସ୍ଥାନରେ ମେଘୁଆ ପାଗ ରହିବ ଏବଂ ୨ରୁ ୩ଦିନ ଡିଗ୍ରୀ ଯାଏଁ ତାପମାତ୍ରା ଖସିବ ବୋଲି କହିଛି ପାଣିପାଗ ବିଭାଗ। ତେବେ ସମ୍ଭାବ୍ୟ ବାତ୍ୟା ଆନ୍ଧ୍ର ମୁହାଁ ହେବ ନା ତାମିଲନାଡୁ ସେନେଇ କିନ୍ତୁ ଆଇଏମ୍‌ଡି ସ୍ପଷ୍ଟତା ଆଣିନାହିଁ। କାରଣ ଦ୍ୱନ୍ଦ୍ୱ ବଢ଼ାଉଛି ବଙ୍ଗୋପସାଗର ସୃଷ୍ଟି ହୋଇଥିବା ଦୁଇ ଦୁଇଟି ସିଷ୍ଟମ୍‌। ଗୋଟିଏ ମାଲାକ୍କା ନିକଟରେ ସୃଷ୍ଟି ହୋଇଥିବାବେଳେ ଆଉ ଗୋଟିଏ ଶ୍ରୀଲଙ୍କା ନିକଟରେ ସୃଷ୍ଟି ହୋଇଛି।

ତେବେ ପାଣିପାଗ ବିଜ୍ଞାନୀଙ୍କ ମତ ଅନୁସାରେ ମାଲାକ୍କା ସିଷ୍ଟମ ଆଜି ମାଲେସିଆ ଉପରେ ସକ୍ରିୟ ହେବା ସହ ଅବପାତ ଭିତରେ ସୀମିତ ରହିପାରେ। କିନ୍ତୁ ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବାତ୍ୟାର ରୂପ ନେଇପାରେ। ଯଦି ବାତ୍ୟା ହୁଏ, ତେବେ ୩୦ ବେଳକୁ ତାମିଲନାଡୁରେ ଲ୍ୟାଣ୍ଡଫଲ୍ କରିପାରେ। ଯାହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି। ଅମଳ ବେଳେ ସମ୍ଭାବ୍ୟ ବାତ୍ୟାକୁ ନେଇ ଚାଷୀ ମନରେ ଛନକା ପଶିଛି। କାରଣ କେଉଁଠି ପାଚିଆସିଲାଣି ଧାନ କେଣ୍ଡା ତ ଆଉ କେଉଁଠି ଚାଲିଛି ଅମଳ ପ୍ରକ୍ରିୟା। ଏଭଳି ସ୍ଥିତିରେ ବାତ୍ୟା କି ବର୍ଷା ବି ଯଦି ହୁଏ, ତାହେଲେ ବର୍ଷକର ଦାନାପାଣି ବରବାଦ ହୋଇଯିବ। ଅନ୍ୟପକ୍ଷରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି ଯେ ବାତ୍ୟା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ସମ୍ଭାବ୍ୟ ବାତ୍ୟା ୨୫ ତାରିଖ ପରେ ସ୍ପଷ୍ଟତା ଆସିଲେ ଅନ୍ୟାନ୍ୟ ପ୍ରସ୍ତୁତି କରାଯିବ। ଓଡ଼ିଶା ଅପେକ୍ଷା ତାମିଲନାଡୁରେ ପ୍ରଭାବ ଅଧିକ ରହିପାରେ ବୋଲି ଆକଳନ କରାଯାଇଛି। କିନ୍ତୁ ଏଯାଏଁ କୌଣସି ସ୍ପଷ୍ଟତା ନାହିଁ, ସବୁ ସ୍ଥିତି ପାଇଁ ଆମେ ପ୍ରସ୍ତୁତ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking