15.1 C
Bhubaneswar
Thursday, December 11, 2025
Homeଓଡିଶାହଜାର କୋଟିର ସୁନା ଚାନ୍ଦିରେ ଝଟକୁଛି କଟକ

ହଜାର କୋଟିର ସୁନା ଚାନ୍ଦିରେ ଝଟକୁଛି କଟକ

କଟକ: କଟକରେ ଏବେ ଚହଟୁଛି ପାର୍ବଣର ମହମହ ବାସ୍ନା । ଧରା ଅବତରଣ କରିଛନ୍ତି ଦୁର୍ଗତୀନାସନୀ ମା’ଦୁର୍ଗା । ମନ୍ତ୍ରପାଠ ଓ ଶଙ୍ଖଧ୍ୱନିରେ ପ୍ରକମ୍ପିତ ହେଉଛି ସହରର ପରିବେଶ । ଆଜି ମଣ୍ଡପରେ ଦୁର୍ଗତୀନାଶିନୀ ମା’ ଦୁର୍ଗାଙ୍କର ୮ମୀ ପୂଜା ହୋଇଛି । ବିଭନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଲାଗିଛି ଭିଡ଼। ଦଶହରା ପୂଜା ଅବସରରେ ସଂପ୍ରତି ଝଲସୁଛି ରୌପ୍ୟ ନଗରୀ । ଅଦ୍ଭୁତପୂର୍ବ ଶୋଭାରାଜିରେ ଚମକୁଛି ସମସ୍ତ ପୂଜାମଣ୍ଡପ ।

କଟକର ବିଭିନ୍ନ ମଣ୍ଡପରେ ସୁନା ଚାନ୍ଦିମେଢ଼ରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିଗୁଡ଼ିକ ସଜ୍ଜିତ ହୋଇଛି । ଦଶହରାରେ ଚଳିତ ବର୍ଷ ସହରରେ ୩୪ଟି ମଣ୍ଡପରେ ଚାନ୍ଦି ମେଢ଼ ହୋଇଥିବାବେଳେ ୯ଟି ମେଢ଼ରେ ସୁନା ସାଜସଜ୍ଜାରେ ଝଲସୁଛନ୍ତି ମା’ ଦୁର୍ଗା । ତେବେ ଚାନ୍ଦିମେଢକୁ ନେଇ କଟକରେ କିଛି ବର୍ଷ ହେବ ଏକ ପ୍ରତିଯୋଗିତା ମୂଳକ ପରିବେଶ ରହିଛି। ଚାନ୍ଦିମେଢ ଗୁଡିକର ଓଜନ ୨ କ୍ୱିଣ୍ଟାଲ୍‌ରୁ ୪ କ୍ୱିଣ୍ଟାଲ୍ ପର୍ଯ୍ୟନ୍ତ ରହିଛି। ୩୪ଟି ଚାନ୍ଦିମେଢର ମୋଟ୍ ଓଜନ ଦେଖିଲେ ପ୍ରାୟ ୧୦୦ କ୍ୱିଣ୍ଟାଲ୍‌ରୁ ଅଧିôକ ହେବ। ଶହେ କ୍ୱିଣ୍ଟାଲ୍ ଓଜନର ଚାନ୍ଦି ଓ ଗଢାମୂଲ୍ୟ ସହ ୧ହଜାର କୋଟି ଟଙ୍କାକୁ ଟପିବ।

କେବଳ ଚାନ୍ଦି ନୁହଁ, ବରଂ ପୂଜା କମିଟି ମାନେ ଏଣିକି ସୁନା ବ୍ୟବହାର ନେଇ ମଧ୍ୟ ପ୍ରତିଯୋଗିତା ଆରମ୍ଭ କରିସାରିଛନ୍ତି। ୧୯୯୩ ମସିହାରେ ଚୌଧୁରୀବଜାର ଦେବୀ ଦୁର୍ଗାଙ୍କ ଲାଗି ସାଢେ ତିନିକିଲୋ ଓଜନର ପ୍ରଥମ ସୁନା ମୁକୁଟ ନିର୍ମାଣ କରି ସାରା ଓଡ଼ିଶାରେ ଚହଳ ପକାଇଥିଲା। ଏହାପରଠାରୁ ଅନ୍ୟ ପୂଜା କମିଟି ମାନେ ସୁନାମୁକୁଟ ଟ୍ରେଣ୍ଡ୍‌ରେ ଆଗେଇନେଲେ। ଶେଖ୍‌ବଜାର, ରାଣୀହାଟ, ଚାଉଳିଆଗଞ୍ଜ, ଖାନ୍‌ନଗର, କାଠଗଡ଼ାସାହି, ମଙ୍ଗଳାବାଗ୍ ଭଳି ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ମସ୍ତକରେ ସୁନାମୁକୁଟ ଶୋଭା ପାଇସାରିଛି। କେବଳ ସୁନା ମୁକୁଟ ନୁହେଁ, ମା’ଙ୍କ ଲାଗି ସୁନାସାଜ୍ଜସଜ୍ଜା, ହାର, ପାଶ୍ୱର୍ଦେବାଦେବୀଙ୍କ ଲାଗି ସୁନା ମୁକୁଟ କରିବାକୁ ମଧ୍ୟ ପୂଜା କମିଟି କାର୍ଯ୍ୟକର୍ତ୍ତା ମାନେ ଗୁରୁତ୍ୱ ଦେଇଆସୁଛନ୍ତି।

ସେହିପରି ଅନେକ ପୂଜା କମିଟି ସୁନାମୁକୁଟ ନକରି ମଧ୍ୟ ମା’ଙ୍କ ଲାଗି ସୁନା କାନଫୁଲ, ହାର, ନୋଥ, ଟିକିଲି, ସିନ୍ଥି ଆଦି ନିର୍ମାଣ କରିଛନ୍ତି। ତେଣୁ କଟକ ଦୁର୍ଗାପୂଜାରେ ମୋଟ୍ ସୁନାର ହିସାବ ଦେଖିଲେ ୧୦୦ କିଲୋରୁ ଅଧିକ ହେବ, ଯାହାର ବଜାର ମୂଲ୍ୟ ଆଜିର ଦିନରେ ୮୦ କୋଟି ଟଙ୍କା। ଗଢାମୂଲ୍ୟ ମିଶାଇଲେ କଟକ ଦୁର୍ଗାପୂଜାରେ ବ୍ୟବହୃତ ସୁନାମୂଲ୍ୟ ଶହେ କୋଟି ଟଙ୍କା ଛୁଇଁବ। ସାରା ବିଶ୍ୱରେ ଏକମାତ୍ର ସହର ଭାବେ କଟକ ପରିଚିତ ଯେଉଁଠି ଦୁର୍ଗାପୂଜା ସପ୍ତାହେ ବ୍ୟାପି ହଜାର କୋଟିର ଚାନ୍ଦି ଓ ଶହେ କୋଟିର ସୁନାର ଖୋଲା ପ୍ରଦର୍ଶନ ହୋଇଥାଏ। ଏବେ କଟକ ସହରରେ ସୁଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗ ବେରଙ୍ଗ ଆଲୋକମାଳାରେ ଝଲସୁଛି ପୂଜା ମଣ୍ଡପ । ପ୍ରତିବର୍ଷ ଭଳି କଟକ ଦଶହରା ଚଳିତ ବର୍ଷ ମଧ୍ୟ ଲୋକଙ୍କୁ ଆକର୍ଷିତ କରିଛି ।

ବିଭିନ୍ନ ପୂଜା କମିଟି ପକ୍ଷରୁ ଅତି ଆଡ଼ମ୍ବରପୂର୍ଣ୍ଣ ଆୟୋଜନ କରାଯାଇଛିା ଗଳିକନ୍ଦିଠୁ ଆରମ୍ଭ କରି ଛକବଜାର ଯାଏ ସବୁଠି ଦୁର୍ଗାପୂଜାର ମାହୋଲ । ବୁଲାବୁଲି କରି ମେଢ଼ ଦେଖିବା ପାଇଁ ମଧ୍ୟ ପାଗ ବେଶ ଅନୁକୂଳ ରହିଛି । ଏଣୁ ବିଭିନ୍ନ ପୂଜା ମଣ୍ଡପରେ ଜନସାଧାରଣଙ୍କର ପ୍ରବଳ ଗହଳି ପରିଲକ୍ଷିତ ହେଉଛି । ସେହିପରି ସହରର ବିଭିନ୍ନ ମଣ୍ଡପରେ ଆଖିଖୋଷି ହୋଇଯିବା ଭଳି ସାଜସଜ୍ଜା ଦେଖିବାକୁ ମିଳୁଛି । ଖାନନଗର, ରାଣୀହାଟ, ମଙ୍ଗଳାବାଗ, ବକ୍ସିବଜାର, ଶେଖ ବଜାର, ଚାନ୍ଦିନୀଚୌକ, ଚାଉଳିଆଗଞ୍ଜ ପ୍ରଭୃତି ସ୍ଥାନରେ ଆଲୋକମାଳା ଓ ଇଲେକ୍ଟ୍ରିତୋରଣ ଦେଖଣା ହାରୀଙ୍କ ମନକୁ ମୋହି ନେଉଛି । ଏହାଛଡ଼ା ଖାନନଗର-ଖପୁରିଆ ଶିଳ୍ପାଞ୍ଚଳ ପୂଜା ମଣ୍ଡପ ନିକଟରେ ବୈଷ୍ଣବଦେବୀ ତୋରଣ ଏବଂ ଶିଖରପୁର-ଗଣ୍ଡରପୁର-ମହାନଦୀବିହାର ପୂଜା କମିଟି ପକ୍ଷରୁ ରାମମନ୍ଦିର ତୋରଣ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । କଟକଚଣ୍ଡୀ, ଗଡ଼ଚଣ୍ଡୀ, ଚାଉଳିଆଗଞ୍ଜ ଓ ଝାଞ୍ଜିରମଙ୍ଗଳା ଆଦି ପ୍ରମୁଖ ଶକ୍ତିପୀଠଗୁଡ଼ିକ ସଂପ୍ରତି ଚଳଚଞ୍ଚଳ ହୋଇଉଠିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking