ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀରର ଉଧମପୁର ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଉଧମପୁର ଜିଲ୍ଲାର ବସନ୍ତଗଡ଼ ଅଞ୍ଚଳରେ ଏକ ସିଆରପିଏଫ ଗାଡ଼ି ୨୦୦ ଫୁଟ ଗଭୀର ଘାଟିରେ ଖସି ପଡ଼ିବା ଫଳରେ ତିନି ଜଣ ସୈନିକଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନେକ ସିଆରପିଏଫ ସୈନିକ ଆହତ ହୋଇଛନ୍ତି। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସ୍ଥାନୀୟ ପ୍ରଶାସନ ଏବଂ ରିଲିଫ୍ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ବସନ୍ତଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ସୈନିକମାନଙ୍କ ମଧ୍ୟରୁ କିଛିଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।
ଘଟଣାଟି ସକାଳ ପ୍ରାୟ ୧୦:୩୦ ସମୟରେ କଡୱା ଅଞ୍ଚଳରେ ଘଟିଥିଲା। ସେହି ସମୟରେ ସୈନିକମାନେ ବସନ୍ତଗଡ଼ରୁ ଏକ ଅପରେସନରୁ ଫେରୁଥିଲେ। ଗାଡ଼ିଟି ଅର୍ଦ୍ଧସାମରିକ ବାହିନୀର ୧୮୭ତମ ବାଟାଲିୟନକୁ ନେଇଯାଉଥିଲା। ଉଧମପୁରର ଅତିରିକ୍ତ ଏସ୍ପି ସନ୍ଦୀପ ଭଟ୍ କହିଛନ୍ତି ଯେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ଏବଂ ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଛି।
ଜମ୍ମୁ ଏବଂ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସେ ଏକ୍ସରେ ଲେଖିଛନ୍ତି, “ଉଧମପୁର ନିକଟରେ ଏକ ଦୁର୍ଘଟଣାରେ ସିଆରପିଏଫ କର୍ମଚାରୀଙ୍କ ମୃତ୍ୟୁରେ ମୁଁ ଦୁଃଖିତ। ଆମେ ରାଷ୍ଟ୍ର ପ୍ରତି ସେମାନଙ୍କର ଅନୁକରଣୀୟ ସେବାକୁ କେବେ ଭୁଲିପାରିବୁ ନାହିଁ। ଶୋକସନ୍ତପ୍ତ ପରିବାର ସହିତ ମୋର ସମବେଦନା। ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି। ସର୍ବୋତ୍ତମ ସମ୍ଭାବ୍ୟ ଯତ୍ନ ଏବଂ ସହାୟତା ସୁନିଶ୍ଚିତ କରିବାକୁ ମୁଁ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି।”









