ଭୁବନେଶ୍ୱର: ୧୦୮ ଗରା ସୁବାସିତ ଜଳରେ ଦିବ୍ୟସ୍ନାନ ପରେ ଜ୍ବରରେ କମ୍ପୁଛନ୍ତି ଶ୍ରୀଜିଉ । ୧୪ ଦିନ ଧରି ଚାଲିବ ଅଣସର ନୀତି । ଦଇତାପତିମାନେ ଜ୍ଵରାକ୍ରାନ୍ତ ମହାପ୍ରଭୁଙ୍କୁ ଗୁପ୍ତ ଉପଚାର ଓ ଗୁପ୍ତ ସେବା କରୁଛନ୍ତି । ଅଣସର ସମୟରେ ଶ୍ରୀଜିଉମାନେ ଶ୍ବେତବସ୍ତ୍ର ପରିଧାନ କରିବାର ବିଧି ରହିଥିବାବେଳେ ତୁଳସୀ ମଧ୍ୟ ଲାଗି କରାଯାଇନଥାଏ । ମହାପ୍ରଭୁଙ୍କୁ କେବଳ ଧଳା ଫୁଲ ଲାଗି କରାଯାଇଥାଏ । ଅଣସର ଘରେ ଥିବା ମହାପ୍ରଭୁଙ୍କ ପାଖେ ଚକଟା ଏବଂ ପଣା ଭୋଗ କରାଯାଇଥାଏ । ସେହିପରି ଆଜିଠୁ ଶ୍ରୀମନ୍ଦିରରେ ପଟିଦିଅଁ ଦର୍ଶନ । ସେପଟେ ବ୍ରହ୍ମଗିରି ଅଲାରନାଥ ପୀଠରେ ଆଜିଠୁ ଅଣବସର ଦର୍ଶନ ଚାଲିଛି । ଦାରୁବ୍ରହ୍ମଙ୍କୁ ଦର୍ଶନ ନପାଇ ଭକ୍ତଙ୍କ ମନ ବ୍ୟାକୁଳ ହୋଇପଡିଛି । ଶ୍ରୀକ୍ଷେତ୍ର ଛାଡି ଶିଳାକ୍ଷେତ୍ରକୁ ଧାଇଁ ଆସୁଛନ୍ତି ଭକ୍ତ ।