25.1 C
Bhubaneswar
Saturday, December 6, 2025
Homeଓଡିଶାଅବପାତ ଜନିତ ମାତ୍ରାଧିକ ବୃଷ୍ଟିପାତ ପରିପ୍ରେକ୍ଷୀରେ ଫସଲ ପରିଚାଳନା ପାଇଁ ପରାମର୍ଶ

ଅବପାତ ଜନିତ ମାତ୍ରାଧିକ ବୃଷ୍ଟିପାତ ପରିପ୍ରେକ୍ଷୀରେ ଫସଲ ପରିଚାଳନା ପାଇଁ ପରାମର୍ଶ

ଭୁବନେଶ୍ୱର: ପଶ୍ଚିମବଙ୍ଗ ଉପକୂଳ ଓ ତତସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଇଥିବା ଅବପାତ ପ୍ରଭାବରେ ଓଡିଶାର ଅନେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଫସଲ ସୁପରିଚାଳନା ପାଇଁ ଚାଷୀଭାଇମାନଙ୍କୁ ନିମ୍ନୋକ୍ତ କୃଷି ପରାମର୍ଶ ପ୍ରଦାନ କରିଛି କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ। ଧାନ ରୁଆ ଓ ବିଭିନ୍ନ ଫସଲ ରୋଇବା ସାମୟିକ ସ୍ଥଗିତ ରଖନ୍ତୁ । ମକା, କପା, ମୁଗ, ବିରି ଓ ଅନ୍ୟାନ୍ୟ ଡାଲିଜାତୀୟ ଫସଲରେ ଜଳ ନିଷ୍କାସନ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ । ଫସଲରେ ସାର ପ୍ରୟୋଗ ଓ କୀଟନାଶକ ସିଞ୍ଚନ ସାମୟିକ ବନ୍ଦ ରଖନ୍ତୁ ।ଅଧିକ ପାଣି ଜମିଥ‌ିବା ଅଞ୍ଚଳରେ ଧାନ ଫସଲରେ ପତ୍ର ଆଚ୍ଛାଦ ପୋଡା ରୋଗ (ସଢ଼ା ରୋଗ) ଲାଗିବାର ସମ୍ଭାବନା ଅଛି । ଏହି ରୋଗର ସଂକ୍ରମଣ ଅଧିକ ହେଲେ ପାଣି କାଟି ପ୍ରତି ଲିଟର ପାଣିରେ ୨ମି.ଲି. ହିସାବରେ ହେକ୍ସାକୋନାଜୋଲ କିମ୍ବା ଭାଲିଡାମାଇସିନ କିମ୍ବା ୦.୫ ଗ୍ରାମ ହିସାବରେ ଟେବୁକୋନାଜୋଲ + ଟ୍ରାଇପ୍ଟୋକ୍ସିଷ୍ଟ୍ରୋବିନ ଆଦି କବକ ନାଶକ ମିଶାଇ ପତ୍ର ସିଂଚନ କରନ୍ତୁ ।

ମାତ୍ରାଧିକ ବର୍ଷା ପରେ ନାଳ,ନଦୀ ଓ କେନାଲ ନିକଟବର୍ତୀ ତଳିଘେରା ଓ ମୂଖ୍ୟ ଧାନ ଫସଲରେ ଲେଡା ପୋକ ପ୍ରାଦୁର୍ଭାବ ଦେଖାଦେଇ ପାରେ । ଏଥିପାଇଁ ଅପରାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ହିଡ ଚାରିକଡେ ଓ ଫସଲ କ୍ଷେତ ଭିତରେ ଏକର ପ୍ରତି ୪୦୦ ମି.ଲି. (କ୍ଲୋରୋପାଇରିଫସ+ସାଇପରମେଥୀନ) କିମ୍ବା (କୁଇନାଲୋଫୋସ+ସାଇପରମେଥୀନ) ୨୦୦ ଲିଟର ପାଣିରେ ମିଶାଇ ସିଂଚନ କରନ୍ତୁ । ଧାନ କିଆରୀ ନିକଟରେ ଆଲୋକ ଯନ୍ତା ବସାଇ ପୂର୍ଣାଙ୍ଗ ପୋକକୁ ଧରି ନଷ୍ଟ କରି ଦିଅନ୍ତୁ । ବର୍ଷା ଯୋଗୁଁ ପୋଟଳ, କାକୁଡି, କଖାରୁ, ଜହ୍ନି ଆଦି ଲତା ଜାତୀୟ ପନିପରିବା ଓ ବାଇଗଣ, ଭେଣ୍ଡି ଆଦି ଫସଲ ପ୍ରଭାବିତ ହେବାର ସମ୍ଭାବନା ଥିବାରୁ ଅମଳ ଉପଯୋଗୀ ପନିପରିବାକୁ ତୋଳି ଦିଅନ୍ତୁ ତଥା ବର୍ଷା ପରେ ରଞ୍ଜା/ଟ୍ରେଲି ଓଲଟି ପଡିଥିଲେ ସଳଖ କରି ଦିଅନ୍ତୁ ।

ବାଇଗଣ, ଲଙ୍କା, ସହଳ ଫୁଲକୋବି ଫସଲର ତଳି ପକାଇ ଥିଲେ ତାହାକୁ ଧଳା ଜରି ଦ୍ବାର ଆଚ୍ଛାଦିତ କରନ୍ତୁ । ପନିପରିବା ତଳିଘେରାରେ ତଳି ସଢି ଗଲେ ସଜ୍ଜା ତଳି ଉପାଡି ଦିଅନ୍ତୁ । ବର୍ଷା କମିଗଲା ପରେ ପ୍ରତି ଲିଟର ପାଣିରେ ୨ ଗ୍ରାମ (କାରବେଣ୍ଡାଜିମ+ମାଙ୍କୋଜେବ) କିମ୍ବା (ସାଇମୋକ୍ସାନିଲ+ମାଙ୍କୋଜେବ) ମିଶାଇ ମାଟି ଓ ମୂଳରେ ସିଂଚନ କରନ୍ତୁ। ବର୍ଷା କମିଗଲା ପରେ ପନିପରିବା ଫସଲରେ ସଢା ଡାଳ ସବୁ କାଟି ବାହାରେ ପକାଇ ଦିଅନ୍ତୁ ଓ ଗଛ ନଇଁ ଯାଇଥିଲେ ମାଟି ଟେକି ଦିଅନ୍ତୁ । ବର୍ଷା ପରେ ପନିପରିବା ଓ ଖରିଫ ବାଦାମ ଫସଲରେ ମୂଳ ଓ କାଣ୍ଡ ସଢାରୋଗ ଦେଖାଦେଲେ ପ୍ରତି ଲିଟର ପାଣିରେ ୨ ଗ୍ରାମ ହିସାବରେ (ମେଟାଲିକ୍ସଲ+ମାଙ୍କୋଜେବ) ଗୋଳାଇ ସିଂଚନ କରନ୍ତୁ ।

ଅଧିକ ବର୍ଷା ତଥା ବାୟୁମଣ୍ଡଳରେ ଆପେକ୍ଷିକ ଆଦ୍ରତା ହେତୁ ମୁଗ, ବିରି ଆଦି ଫସଲରେ ସରକୋସ୍କୋରା ପତ୍ର ଚିତା ରୋଗ ବୃଦ୍ଧି ପାଇବ । ଏହାକୁ ନିୟନ୍ତ୍ରଣ କରିବା ପାଇଁ ବର୍ଷା ପରେ ପ୍ରତି ଲିଟର ପାଣିରେ ୧ ଗ୍ରାମ (କାରବେଣ୍ଡାଜିମ+ମାଙ୍କୋଜେବ) ଓ ଡାଇଫେନୋକୋନାଜୋଲ କବକ ନାଶକ ମିଶାଇ ୮ରୁ୧୦ ଦିନ ଅନ୍ତରରେ ଅଦଳ ବଦଳ କରି ଦୁଇଥର ସିଞ୍ଚନ କରନ୍ତୁ । ବର୍ଷା ପରବର୍ତୀ ସମୟରେ ବାଇଗଣ ଫସଲରେ ଝାଉଁଳା ରୋଗ ନିରାକରଣ ପାଇଁ ପ୍ରତି ଏକ ଲିଟର ପାଣିରେ ୧ ମି.ଲି. ଟେବୁକୋନାଜୋଲ କିମ୍ବା ୨ ଗ୍ରାମ (କାରବେଣ୍ଡାଜିମ+ମାଙ୍କୋଳେବ) ସହିତ ୧ ଗ୍ରାମ ହିସାବରେ ପ୍ଲାଣ୍ଟୋମାଇସିନ ମିଶାଇ ଫସଲର ମୂଳରେ ସିଂଚନ କରନ୍ତୁ । କୃଷି ସମୃଦ୍ଧିରେ ପ୍ରସାରିତ କୃଷି ଉପଦେଶ ଗୁଡିକ ବହୁଳ ମାତ୍ରାରେ ବ୍ୟବହାର କରନ୍ତୁ । ଅଧିକ ଜାଣିବା ପାଇଁ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର, ଆଞ୍ଚଳିକ କୃଷି ଗବେଷଣା କେନ୍ଦ୍ର, କୃଷି ଅଧିକାରୀ ଓ କୃଷି ସମୃଦ୍ଧି ଦେୟମୁକ୍ତ ନମ୍ବର ୧୫୫୩୩୩ ସହ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking