ଭୁବନେଶ୍ୱର: ରାଜ୍ୟସଭାର ଚତୁର୍ଥ ଆସନ ପାଇଁ ସାଧାରଣ ତଥା ସ୍ୱାଧୀନ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତା ଆଜି ଭୁବନେଶ୍ୱରର ଜୟଦେବ ବିହାର ସ୍ଥିତ ସି.ପି.ଆଇ.(ଏମ୍) ରାଜ୍ୟ ଅଫିସକୁ ଆସି ସି.ପି.ଆଇ.(ଏମ୍) ରାଜ୍ୟ ନେତୃତ୍ୱ ସହ ରାଜ୍ୟସଭା ନିର୍ବାଚନ ସମ୍ବନ୍ଧୀୟ ଆଲୋଚନା କରିଥିଲେ ଏବଂ ସି.ପି.ଆଇ.(ଏମ୍) ର ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କୁ ଭେଟିଥିଲେ। ଏହି ସମୟରେ ସି.ପି.ଆଇ.(ଏମ୍) କେନ୍ଦ୍ରୀୟ ସମ୍ପାଦକମଣ୍ଡଳୀ ସଦସ୍ୟା କମ୍ରେଡ ଡାକ୍ତର କେ. ହେମଲତା ଓ ରାଜ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ।
ଲୋକତନ୍ତ୍ରର ସୁରକ୍ଷା, ସାମ୍ବିଧାନିକ ମୂଲ୍ୟବୋଧ, ଧର୍ମନିରପେକ୍ଷତା ଏବଂ ସଂସଦୀୟ ଗଣତନ୍ତ୍ରର ବିଧି ବ୍ୟବସ୍ଥାକୁ ରକ୍ଷା କରିବା ପାଇଁ ବଣାଇ ନିର୍ବାଚନ ମଣ୍ଡଳୀର ସି.ପି.ଆଇ.(ଏମ୍) ବିଧାୟକ କମ୍ରେଡ ଲକ୍ଷ୍ମଣ ମୁଣ୍ଡା ଆସନ୍ତା ରାଜ୍ୟସଭା ନିର୍ବାଚନରେ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବେ। ସି.ପି.ଆଇ.(ଏମ୍) ମତ ପ୍ରକାଶ କରିଛି ଯେ, ଆବଶ୍ୟକ ବିଧାୟକ ସଂଖ୍ୟା ନଥିବା ସତ୍ତ୍ୱେ ବିଜେପି ପ୍ରାୟୋଜିତ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କୁ ବିଜେପି ମଞ୍ଚକୁ ଆଣିଛି, ଯାହା ଗଣତାନ୍ତ୍ରିକ ଵ୍ୟଵସ୍ଥାକୁ କଳୁଷିତ କରୁଛି । ଗଣତନ୍ତ୍ର ଓ ସଂସଦୀୟ ବ୍ୟବସ୍ଥା ପ୍ରତି ସାଧାରଣ ଲୋକଙ୍କ ଆସ୍ଥା ଅତୁଟ ରଖିବା ପାଇଁ ସମସ୍ତ ଧର୍ମନିରପେକ୍ଷ ଦଳର ବିଧାୟକମାନେ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ଆହ୍ୱାନ କରିଛି। ଏହି ଅବସରରେ ପାର୍ଟିର ବରିଷ୍ଠ ନେତା ଜନାର୍ଦ୍ଦନ ପତି, ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀଙ୍କ ସମେତ ରାଜ୍ୟ ସମ୍ପାଦକମଣ୍ଡଳୀ ସଦସ୍ୟ ସନ୍ତୋଷ ଦାସ, ବିଷ୍ଣୁ ମହାନ୍ତି, ଦୁଷ୍ମନ୍ତ କୁମାର ଦାସ, ପ୍ରମୋଦ କୁମାର ସାମଲ, ପୁଷ୍ପା ଦାସ, ବଦ୍ରି ନାରାୟଣ ଦାସ ଓ ଜମେଶ୍ୱର ସାମନ୍ତରାୟ ପ୍ରମୁଖ ରାଜ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ।










