25.9 C
Bhubaneswar
Monday, April 6, 2026
Homeଓଡିଶାଜୀବନ, ଜୀବିକା, ପ୍ରାକୃତିକ ସମ୍ପଦ ଓ ପରିବେଶ ସୁରକ୍ଷା ପାଇଁ ବେଆଇନ ବିସ୍ଥାପନ ବନ୍ଦ ଦାବିରେ...

ଜୀବନ, ଜୀବିକା, ପ୍ରାକୃତିକ ସମ୍ପଦ ଓ ପରିବେଶ ସୁରକ୍ଷା ପାଇଁ ବେଆଇନ ବିସ୍ଥାପନ ବନ୍ଦ ଦାବିରେ ସିପିଆଇ ପକ୍ଷରୁ ରାଜ୍ୟସ୍ତରୀୟ ଗଣଧାରଣା

ଭୁବନେଶ୍ୱର: ଓଡ଼ିଶାରେ ଶିଳ୍ପାୟନ ଓ ତଥାକଥିତ ବିକାଶ ନାମରେ ସଂଖ୍ୟାଗରିଷ୍ଠ ଜନଗଣଙ୍କ ଜୀବନ ଓ ଜୀବିକା ବିପନ୍ନ କରାଇ ବେଆଇନ ବିସ୍ଥାପନ କରାଉଛନ୍ତି ସରକାର । ରାହୁ ପୁଞ୍ଜିପତିଙ୍କ ଦ୍ୱାରା ପ୍ରାକୃତିକ ଓ ଖଣିଜ ସମ୍ପଦ ଲୁଣ୍ଠନର ସାହାଣ ମେଲା କରିଥିବାବେଳେ ରାଜ୍ୟର ପ୍ରାକୃତିକ ପରିବେଶ ଧ୍ୱଂସ କରି ରାଜ୍ୟକୁ ମରଣ ଯନ୍ତାରେ ପରିଣତ କରିଛନ୍ତି ସରକାର । ଏହା ବିରୋଧରେ ରାଜ୍ୟର ଜନଗଣଙ୍କ ଜୀବନ, ଜୀବିକା, ପ୍ରାକୃତିକ ସମ୍ପଦ ଓ ପରିବେଶ ସୁରକ୍ଷା ଦାବିରେ ଆଜି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ସୁନ୍ଦରଗଡ଼, ଅବିଭାଜିତ ସମ୍ବଲପୁରର ହୀରାକୁଦ ଓ ଅନ୍ୟାନ୍ୟ ବିସ୍ଥାପିତ, କଳାହାଣ୍ଡିର ନିୟମଗିରି ଓ ସିଜିମାଳି, କେନ୍ଦ୍ରାପଡ଼ାର ମହାକାଳପଡ଼ା ଓ ବାଲେଶ୍ୱର ଜିଲ୍ଲାର ନୀଳଗିରିର କୁଳଡିହା ଇକୋ ସେନ୍‌ସିଟିଭ ଜୋନ ନାମରେ ବିପନ୍ନ ଜୀବନ ଜୀବିକାକୁ ନେଇ ରାଜ୍ୟସ୍ତରୀୟ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି ।

ମହାକାଳପଡ଼ାର ରାମଚଣ୍ଡି କୃଷକ ସଭା ନେତା ପ୍ରଶାନ୍ତ ଚୌଧୁରୀ, ସୁନ୍ଦରଗଡ଼ ଜିଲ୍ଲାର ବେଦାନ୍ତ, ଏମ୍‌ସିଏଲ, ଓଏମ୍‌ସି, ଏନଟିପିସିର ବିସ୍ଥାପନ ବିରୋଧୀ ଆନ୍ଦୋଳନର ନେତା ଶୁକଦେବ ପ୍ରଧାନ, କଳାହାଣ୍ଡିର ନିୟମଗିରି, ସିଜିମାଳି, ଖଣ୍ଡୁଆଳମାଳି ବିସ୍ଥାପନ ବିରୋଧୀ ଆନ୍ଦୋଳନର ନେତା ସଞ୍ଜୟ ସୁନାନୀ, ଅବିଭାଜିତ ସମ୍ବଲପୁରର ହୀରାକୁଦ ବନ୍ଧ ଦ୍ୱାରା ବିସ୍ଥାପନ ବିରୋଧୀ ନେତା ତଥା ସିପିଆଇ ରାଜ୍ୟ ସହସମ୍ପାଦକ କ୍ଷୀରୋଦ ସିଂହଦେଓ, ବାଲେଶ୍ୱର ଜିଲ୍ଲାର ନୀଳଗିରି କୁଳଡିହା ବଣ୍ୟଜନ୍ତୁ ଅଭୟାରଣ୍ୟ ପାଇଁ ଘୋଷିତ ଇକୋ ସେନ୍‌ସିଟିଭ ଜୋନ ଦ୍ୱାରା ପ୍ରଭାବିତ ନୀଳଗିରି କୃଷକ ମଞ୍ଚର ନେତା ଭାଗବତ ପ୍ରତିହାରୀଙ୍କୁ ନେଇ ଗଠିତ ସଭାପତିମଣ୍ଡଳୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗଣଧାରଣା ସିପିଆଇ ରାଜ୍ୟ ସମ୍ପାଦକ ଡ. ପ୍ରଶାନ୍ତ କୁମାର ମିଶ୍ର ଉଦ୍‌ବୋଧନ ଦେଇ ପେସା ଆଇନ-୧୯୯୬ର ରାଜ୍ୟ ନିୟମାବଳୀ ପ୍ରଣୟନ ପାଇଁ ତ୍ୱରିତ କାର୍ଯ୍ୟାନୁଷ୍ଠାନ, ଫରେଷ୍ଟ ରାଇଟ୍‌ସ ଆଇନ-୨୦୦୬ ସଠିକ୍ ପ୍ରୟୋଗ, ଶିଳ୍ପାୟନ ଜନିତ ଭୂମି ଅଧିଗ୍ରହଣ ଆଇନ ସମ୍ମତ କ୍ଷତିପୂରଣ ଓ ଥଇଥାନ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ଦାବି ସହ ଉପରୋକ୍ତ ସମସ୍ତ ଆନ୍ଦୋଳନର ଦାବି ସମ୍ପର୍କରେ ସୂଚନା ଦେଇଥିଲେ ।

ଏହି ଗଣଧାରଣାରେ ସିପିଆଇ ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା ସରକାରଙ୍କ ଆଦିବାସୀ ଓ ଦଳିତଙ୍କୁ ଭିଟାମାଟିରୁ ହଟାଇବା ଷଡ଼ଯନ୍ତ୍ର କରିଛନ୍ତି ବୋଲି କ୍ଷୋଭ ପ୍ରକାଶ କରିଥିଲେ ଓ ମୋଦି ସରକାର କ୍ଷମତାରେ ବସିବାଠାରୁ ଏ ପର୍ଯ୍ୟନ୍ତ କେବଳ ଓଡ଼ିଶାକୁ ଲୁଣ୍ଠନ କରିଛନ୍ତି ବୋଲି ମତ ପ୍ରକାଶ କରିବା ସହ ଏହାର ପ୍ରତିବାଦ ପାଇଁ ଏହି ଗଣଧାରଣା ଅନୁଷ୍ଠିତ ହୋଇଥିବା ସୂଚାଇଥିଲେ । ଏହି ଗଣଧାରଣାରେ ଗୋପାଳପୁର ଟାଟା ଷ୍ଟିଲ ଭୂମି ଅଧିଗ୍ରହଣ ବିରୋଧୀ ଗଣ ସଂଗ୍ରାମ ସମିତିର ଅଧ୍ୟକ୍ଷ ତଥା ସିପିଆଇର ପୂର୍ବତନ ବିଧାୟକ ଏନ. ନାରାୟଣ ରେଡି, ରାଜ୍ୟ ସହସମ୍ପାଦକ ଜୟନ୍ତ ଦାସ, ସିପିଆଇ ନେତା ଦାମୋଦର ବେହେରା, ରମଣୀରଞ୍ଜନ ରାଉତରାୟ, ନୀଳଗିରି କୃଷକ ମଞ୍ଚର ନିରଞ୍ଜନ ବାରିକ, ରାମଚଣ୍ଡୀ କୃଷକ ସଭାର ଧିରେନ୍ଦ୍ର ସାମଲ, ହରେକୃଷ୍ଣ ମାଝୀ, ଅଖିଳ ଭାରତ କୃଷକ ସଭାର ରାଜ୍ୟ ସଭାପତି ଶଶୀଭୂଷଣ ସ୍ୱାଇଁ, ଅଖିଳ ଭାରତ ଆଦିବାସୀ ମହାସଭାର ହଳଧର ପୂଜାରୀ, ସୁନ୍ଦରଗଡ଼ ବିସ୍ଥାପନ ଆନ୍ଦୋଳନର ତଥା ସିପିଆଇ ନେତା ରାଜେନ୍ଦ୍ର ନାଏକ, ଭାରତୀୟ କ୍ଷେତ ମଜଦୁର ୟୁନିୟନ ରାଜ୍ୟ ସମ୍ପାଦକ ସୁର ଜେନା, ସାରଙ୍ଗଧର ମିଶ୍ର, ମିତ୍ରଭାନୁ ପୋଢ଼, ପ୍ରମୋଦ ଚନ୍ଦ୍ର ସ୍ୱାଇଁ, ସୁବାସ ମହାପାତ୍ର, ପ୍ରଶାନ୍ତ ପାଇକରାୟ ପ୍ରମୁଖ ଉଦ୍‌ବୋଧନ ଦେଇ ତୁରନ୍ତ ରାଜ୍ୟ ସରକାର ବିସ୍ଥାପନ ଦ୍ୱାରା ଉତ୍‌ଖାତ ହେଉଥିବା ଜନଗଣଙ୍କ ଦାବିକୁ ଗ୍ରହଣ କରିବାକୁ ଆହ୍ୱାନ ଜଣାଇଥିଲେ । ଭାରତୀୟ କମ୍ୟୁନିଷ୍ଟ ପାର୍ଟି ରାଜ୍ୟ ପରିଷଦ ପକ୍ଷରୁ ରାଜ୍ୟ ସମ୍ପାଦକ ଡ. ପ୍ରଶାନ୍ତ କୁମାର ମିଶ୍ର, ଏନ. ନାରାୟଣ ରେଡି, କ୍ଷୀରୋଦ ସିଂହଦେଓ, ପ୍ରଶାନ୍ତ ଚୌଧୁରୀ, ନିରଞ୍ଜନ ବାରିକ, ରାଜେନ୍ଦ୍ର ନାଏକ, ଦାମୋଦର ବେହେରା ପ୍ରମୁଖ ଏକ ପ୍ରତିନିଧିମଣ୍ଡଳୀରେ ଯାଇ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking