26.1 C
Bhubaneswar
Saturday, March 14, 2026
Homeଦେଶ ବିଦେଶ୪୪ ବର୍ଷ ପୂର୍ବ ଦେହୁଲି ଗଣହତ୍ୟାକାଣ୍ଡ ମାମଲାରେ ଆସିଲା କୋର୍ଟ ରାୟ; ମୃତ୍ୟୁଦଣ୍ଡ ଶୁଣି କାନ୍ଦିଲେ...

୪୪ ବର୍ଷ ପୂର୍ବ ଦେହୁଲି ଗଣହତ୍ୟାକାଣ୍ଡ ମାମଲାରେ ଆସିଲା କୋର୍ଟ ରାୟ; ମୃତ୍ୟୁଦଣ୍ଡ ଶୁଣି କାନ୍ଦିଲେ ୩ ଦୋଷୀ

ମୈନପୁରୀ: ୪୪ ବର୍ଷ ପୂର୍ବେ ଅର୍ଥାତ୍ ନଭେମ୍ବର ୧୮, ୧୯୮୧ରେ ଘଟିଥିବା ଏକ ଗଣହତ୍ୟାକାଣ୍ଡ ମାମଲାରେ ସେସନ୍ସ କୋର୍ଟ ରାୟ ସାମ୍ନାକୁ ଆସିଛି। କୋର୍ଟ ଏହି ମାମଲାରେ ୩ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ସେମାନଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି। କୋର୍ଟ ମୃତ୍ୟୁଦଣ୍ଡ ଦେବା ଶୁଣି ଏହି ୩ ଦୋଷୀ ଏବଂ କୋର୍ଟ ବାହାରେ ଥିବା ସେମାନଙ୍କ ପରିବାର ସଦସ୍ୟ କାନ୍ଦି ପକାଇଥିଲେ ଏବଂ କରିଥିବା ଭୁଲ୍ ପାଇଁ କୋର୍ଟଙ୍କୁ କ୍ଷମା କରିଦେବାକୁ ଅନୁରୋଧ କରିଥିଲେ। ତେବେ କୋର୍ଟ କିନ୍ତୁ ନିଜ ରାୟରେ ସ୍ଥିର ରହିଥିଲେ। ଫିରୋଜାବାଦର ଜସରାଣାର ଦେହୁଲି ଗାଁରେ ଘଟିଥିବା ୨୪ଜଣ (କିଛି ମହିଳାଙ୍କ ସମେତ ଜଣେ ୬ ମାସର ନବଜାତକ ଏବଂ ଜଣେ ୨ବର୍ଷୀୟ ଶିଶୁ) ଦଳିତଙ୍କୁ ଗଣହତ୍ୟା ଘଟଣାରେ ମଙ୍ଗଳବାର କୋର୍ଟ ତିନି ଜଣ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଏହି ୩ ଦୋଷୀ ହେଲେ କପ୍ତାନ ସିଂହ, ରାମସେବକ ଏବଂ ରାମପାଲ। ୨ ଦୋଷୀଙ୍କ ଉପରେ ୨ ଲକ୍ଷ ଟଙ୍କା ଲେଖାଏ ଏବଂ ଜଣେ ଦୋଷୀଙ୍କ ଉପରେ ୧ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି।

୧୯୮୧, ନଭେମ୍ବର ୧୮ରେ ଏହି ଅଘଟଣ ଘଟିଥିଲା। ଏକ ୧୭ଜଣିଆ ଡକାୟତ ଗ୍ୟାଙ୍ଗ୍ ଡକାୟତି କରିବା ଉଦ୍ଦେଶ୍ୟରେ ପୋଲିସ୍ ୟୁନିଫର୍ମ ପିନ୍ଧି ଦେହୁଲି ଗ୍ରାମରେ ପଶିଥିଲେ। ଏମାନେ ମୁଖ୍ୟତଃ ଦଳିତଙ୍କୁ ଟାର୍ଗେଟ୍ କରିଥିଲେ। ସେମାନଙ୍କୁ ରୋକିବାକୁ ଚେଷ୍ଟା କରିଥିବା ପ୍ରାୟ ୨୪ ଦଳିତଙ୍କୁ ଏମାନେ ଅତ୍ୟନ୍ତ ବିଭତ୍ସ ଭାବେ ହତ୍ୟା କରିଥିଲେ। ସେତେବେଳେ ଏହି ଗଣହତ୍ୟାକାଣ୍ଡର ଅଭିଯୁକ୍ତଙ୍କ ମଧ୍ୟରୁ ଅନେକ ମୃତ୍ୟୁବରଣ କରିସାରିଥିବା ବେଳେ ଏହି ୩ଜଣ ଏବେ ଜୀବିତ ଅଛନ୍ତି। ତେବେ ଏମାନେ ଏବେ ୭୦ ବର୍ଷରେ ଉପନୀତ ହୋଇସାରିଛନ୍ତି।

ପ୍ରକାଶ, ସରକାରୀ ପକ୍ଷ ପକ୍ଷରୁ ରୋହିତ ଶୁକ୍ଳା କୋର୍ଟରେ ବିଭିନ୍ନ ଯୁକ୍ତି ଉପସ୍ଥାପନ କରିଥିଲେ ଏବଂ ଗଣହତ୍ୟାର ପ୍ରମାଣ ଏବଂ ସାକ୍ଷ୍ୟ ଉଲ୍ଲେଖ କରି ଏହି ୩ ଦୋଷୀଙ୍କ ପାଇଁ ମୃତ୍ୟୁଦଣ୍ଡ ଦାବି କରିଥିଲେ। ଅନ୍ୟପକ୍ଷେ ପ୍ରମାଣ ଏବଂ ସାକ୍ଷ୍ୟ ଆଧାରରେ, କୋର୍ଟ ମଧ୍ୟ ଏହି ଘଟଣାକୁ ଅତ୍ୟନ୍ତ ବିଭତ୍ସ ତଥା ଭୟଙ୍କର ଭାବେ ଅଭିହିତ କରିବା ସହ ଏମାନଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପରେ, ପୋଲିସ ତିନି ଜଣଙ୍କୁ ମୈନପୁରୀ ଜିଲ୍ଲା ଜେଲକୁ ଫେରାଇ ନେଇଯାଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ମୃତ୍ୟୁଦଣ୍ଡ ବିରୋଧରେ ଏହି ୩ ଦୋଷୀ ସେମାନଙ୍କର ଆଇନଗତ ଅଧିକାର ବ୍ୟବହାର କରିପାରିବେ ଏବଂ ୩୦ଦିନ ମଧ୍ୟରେ ହାଇକୋର୍ଟରେ ଆବେଦନ କରିପାରିବେ। ସେସନ୍ସ କୋର୍ଟର ନିଷ୍ପତ୍ତି ସମୀକ୍ଷା କରିବା ପରେ, ହାଇକୋର୍ଟ ନିଜର ନିଷ୍ପତ୍ତି ଶୁଣାଇବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking