33.1 C
Bhubaneswar
Wednesday, April 1, 2026
Homeଦେଶ ବିଦେଶ୨୦୫୦ ସୁଦ୍ଧା ଦେଶରେ ଦ୍ୱିଗୁଣିତ ହେବ ବୟସ୍କଙ୍କ ସଂଖ୍ୟା: ୟୁଏନ୍‌ଏଫ୍‌ପିଏ ଭାରତ ମୁଖ୍ୟ

୨୦୫୦ ସୁଦ୍ଧା ଦେଶରେ ଦ୍ୱିଗୁଣିତ ହେବ ବୟସ୍କଙ୍କ ସଂଖ୍ୟା: ୟୁଏନ୍‌ଏଫ୍‌ପିଏ ଭାରତ ମୁଖ୍ୟ

ନୂଆଦିଲ୍ଲୀ: ଭାରତରେ ଏବେ ବୟସ୍କଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ତେବେ ୨୦୫୦ ସୁଦ୍ଧା ଭାରତର ବୟସ୍କଙ୍କ ସଂଖ୍ୟା ଦ୍ୱିଗୁଣିତ ହେବ । ଏପ୍ରକାର ଏକ ପୂର୍ବାନୁମାନ କରାଯାଉଥିବା ନେଇ ୟୁଏନ୍‌ପିଏ (ୟୁନାଇଟେଡ୍ ନେସନ୍‌ସ୍ ପପୁଲେସନ୍ ଫଣ୍ଡ୍‌), ଇଣ୍ଡିଆର ମୁଖ୍ୟ ଆଣ୍ଡ୍ରିଆ ଓଜନାର୍ ସୂଚନା ଦେଇଛନ୍ତି । ରବିବାର ସମ୍ବାଦ ସରବରାହ ଏଜେନ୍ସି ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ ଓଜନାର୍ କହିଛନ୍ତି ଯେ, ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ଯୋଗୁ ବୟସ୍କଙ୍କ ମୃତ୍ୟୁହାର ହ୍ରାସ ପାଇଛି । ଏହା ଏକ ବହୁତ ଭଲ ଖବର ହୋଇପାରେ । କିନ୍ତୁ ଏହାର ପାଶ୍ୱର୍ପ୍ରତିକ୍ରିୟାଜନିତ ରିପୋର୍ଟ ଅଧିକ ନିଷ୍ଠୁର ଏବଂ ଭୟାବହ ହେବାକୁ ଯାଉଛି । ଓଜନାରଙ୍କ କହିବାନୁସାରେ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ଦେଶରେ ବୟସ୍କ ମହିଳାମାନେ ଏକାକୀ ଜୀବନଯାପନ କରିବାକୁ ବାଧ୍ୟ ହେବେ । ଏହା ମଧ୍ୟ ହୋଇପାରେ ଯେ ସେମାନେ ଆର୍ଥିକ ଅଭାବ ଅନାଟନ ମଧ୍ୟରେ ରହି ଉତ୍କଟ ଦାରିଦ୍ର‌୍ୟତାର ସମ୍ମୁଖୀନ ହୋଇପାରନ୍ତି । ସୁତରାଂ ଭାରତରେ ଏବେ ସ୍ୱାସ୍ଥ୍ୟସେବା, ପେନସନ୍‌, ବାସଗୃହ ନିର୍ମାଣ ଆଦି କ୍ଷେତ୍ରରେ ବା ଯୋଜନାରେ ବ୍ୟାପକ ପୁଞ୍ଜିନିବେଶ କରିବାର ଆବଶ୍ୟକତା ରହିଛି । ଓଜନାରଙ୍କ କହିବାନୁସାରେ ୨୦୫୦ ସୁଦ୍ଧା ଦେଶରେ ୬୦ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ବ୍ୟକ୍ତିବିଶେଷଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇ ୩୪୬ ନିୟୁତ ହେବ ବୋଲି ଆଶା କରାଯାଉଛି ।

ସୂଚନାଯୋଗ୍ୟ, ଆସନ୍ତା ମଙ୍ଗଳବାର ୨୦୨୪-୨୫ ଅର୍ଥ ବର୍ଷ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ । ତେବେ ବଜେଟ୍ ଆସିବାର ଠିକ୍ ୨ ଦିନ ପୂର୍ବରୁ ୟୁଏନ୍‌ଏଫ୍‌ପିଏ, ଇଣ୍ଡିଆ ମୁଖ୍ୟ ଶ୍ରୀମତୀ ଆଣ୍ଡ୍ରିଆ ଓଜନାରଙ୍କ ପକ୍ଷରୁ ଏପ୍ରକାର ଏକ ପୂର୍ବନାନୁମାନଜନିତ ତଥ୍ୟ ସାମ୍ନାକୁ ଆସିଛି । ତେବେ ଭାରତ ସରକାର ଏହାକୁ ଗୁରୁତ୍ୱ ଦେବାପୂର୍ବକ ବଜେଟ୍‌ରେ ଏନେଇ କିଛି ବିଶେଷ ପ୍ରାବଧାନ କରିପାରନ୍ତି ବୋଲି ଅନୁମାନ କରାଯାଉଛି । ସେହିପରି ଓଜନାର ଅନ୍ୟ ଏକ ସୂଚନା ଦେବାକୁ ଯାଇ ୨୦୫୦ ସୁଦ୍ଧା ଭାରତ ୫୦% ସହରୀକରଣ ହୋଇଯିବ ବୋଲି ମଧ୍ୟ କହିଛନ୍ତି । ଏହାର ଅର୍ଥ ଭାରତରେ ଏବେ ଗ୍ରାମାଞ୍ଚଳର ବିକାଶ କ୍ଷେତ୍ରରେ ନିଆଯାଉଥିବା କାର୍ଯ୍ୟକ୍ରମ ଗ୍ରାମକୁ ସହରର ରୂପ ଦେବାରେ ଲାଗିଛି । ଭାରତର ଅଧିକାଂଶ ଗ୍ରାମକୁ ସ୍ମାର୍ଟ ସହର, ସୁଦୃଢ ଭିତ୍ତିଭୂମି ଏବଂ ସୁଲଭ ଗୃହ ନିର୍ମାଣ ବସ୍ତି ଅଭିବୃଦ୍ଧି, ବାୟୁ ପ୍ରଦୂଷଣ ଏବଂ ପରିବେଶ ସମସ୍ୟା ପରିଚାଳନା ଦିଗରେ କରାଯାଉଥିବା ନବକଳେବର ଦେଶରେ ସହରୀକରଣ ପରିମାଣକୁ ବ୍ୟାପକ କରିବ ।

ଏହିକ୍ରମେ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ସହରାଞ୍ଚଳ ଯୋଜନା ଅନ୍ତର୍ଗତ ନାଗରିକଙ୍କ ସୁରକ୍ଷାକୁ ମଧ୍ୟ ବିଚାର କରିବା ଉଚିତ୍ ଏବଂ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରିବା ତଥା ସାମଗ୍ରିକ ଜୀବନ ଶୈଳୀରେ ଉନ୍ନତି ଆଣିବା ପାଇଁ ସ୍ୱାସ୍ଥ୍ୟସେବା ଏବଂ ଶିକ୍ଷା ତଥା ନିଯୁକ୍ତି ସୁଯୋଗକୁ ମଧ୍ୟ ବିଚାର କରିବା ଉଚିତ୍ ବୋଲି ଓଜନାର ପରାମର୍ଶ ଦେଇଛନ୍ତି । ଅନ୍ୟ ଏକ ପ୍ରସଙ୍ଗରେ ନିଜ ମତ ରଖି ଓଜନାର କହିଛନ୍ତି ଯେ, ବିଶ୍ୱବ୍ୟାପୀ ଦୃଶ୍ୟମାନ ହେଉଥିବା ଜଳବାୟୁ ପରିବର୍ତ୍ତନ ମହିଳାଙ୍କ ଗର୍ଭଧାରଣରେ ଜଟିଳତା ସୃଷ୍ଟି କରିପାରେ । ଜନସଂଖ୍ୟା ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ଦର୍ଶାଇବାକୁ ଯାଇ ସେ କହିଛନ୍ତି ଯେ, ଏହା ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇପାରେ ଏବଂ ଜରୁରୀକାଳୀନ ପରିସ୍ଥିତିରେ ସ୍ୱାସ୍ଥ୍ୟସେବାରେ ସୀମିତ ରହିଥାଏ । ଲିଙ୍ଗଗତ ସମାନତାଜନିତ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯିବା ଏବଂ ନିରନ୍ତର ବିକାଶ ଏସବୁ ସମସ୍ୟାର ଏକମାତ୍ର ସମାଧାନ ବୋଲି ମଧ୍ୟ ସେ କହିଛନ୍ତି । ଏହି ପରିପ୍ରେକ୍ଷୀରେ ସେ ଭାରତରେ ଗର୍ଭଧାରଣ ଓ ଗର୍ଭନିରୋଧ ଆଭିମୁଖ୍ୟ ଉପରେ ମଧ୍ୟ ନିଜ ମତ ରଖିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking