21.1 C
Bhubaneswar
Monday, December 8, 2025
Homeଓଡିଶା“ମୋଦୀ ହେ ତୋ, ମୁମକିନ ହେ”

“ମୋଦୀ ହେ ତୋ, ମୁମକିନ ହେ”

ଭୁବନେଶ୍ୱର: ଆଜି ଓଡ଼ିଶାବାସୀଙ୍କ ପାଇଁ ଏକ ଗରିମାମୟ ଅବସର। ଏକ ବର୍ଷ ପୂର୍ବରୁ, ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ, ଓଡ଼ିଶାର ନୂତନ ସରକାର ଶପଥ ଗ୍ରହଣ କରିଥିଲା ଏବଂ ଏହି ସଫଳ ଏକ ବର୍ଷର ଯାତ୍ରା ପରେ, ଆଜି ଆପଣଙ୍କ ଉପସ୍ଥିତି ଆମ ସମସ୍ତଙ୍କ ମନୋବଳକୁ ବଢ଼ାଇଛି। ଆମ ସରକାର ଗଠନ ପରେ ଆପଣଙ୍କର ଏହା ଷଷ୍ଠ ଥର ଓଡ଼ିଶା ଆଗମନ। ଏହା ଆପଣଙ୍କର ଓଡ଼ିଶାପ୍ରତି ଭଲପାଇବା ଓ ଶୁଭେଚ୍ଛାର ପ୍ରତୀକ। କିଛି ଦିନ ପୂର୍ବରୁ ଆପଣଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ତାର ୧୧ ବର୍ଷର ଯାତ୍ରା ପୂର୍ଣ୍ଣ କଲା, ଏବଂ ତୃତୀୟ ଅବଧିର ପ୍ରଥମ ବର୍ଷ ମଧ୍ୟ ପୂରା କରିଛି। ମୁଁ ଗର୍ବ ଓ ଗୌରବର ସହିତ କହିବାକୁ ଚାହୁଁଛି ଯେ ଦେଶ ଆପଣଙ୍କ ହାତରେ ସୁରକ୍ଷିତ ଅଛି। ଆପଣଙ୍କ ନେତୃତ୍ୱରେ ଆମର ସେନାବାହିନୀ, ଆତଙ୍କବାଦୀ ଓ ସେମାନଙ୍କ ପୃଷ୍ଠପୋଷକଙ୍କ ଅସ୍ତିତ୍ଵ ହଜେଇ ଦେଇଛନ୍ତି। ଅପରେସନ ସିନ୍ଦୁର” କେବଳ ଆତଙ୍କବାଦୀଙ୍କ ବିରୋଧରେ ଏକ ସେନା ଅଭିଯାନ ନୁହେଁ, ଏହା ଭାରତର ମାଆ, ଭଉଣୀ ଓ ଝିଅ ମାନଙ୍କ ପାଇଁ ଏକ ଭରସା । ଅପରେସନ ସିନ୍ଦୁର ସହ ଏକ ନୂଆ ଭାରତ ଉଦୟ ହେଇଛି – ଯାହା କୌଣସି ପରିସ୍ଥିତିରେ ମୁଣ୍ଡ ନୁଆଇଁବ ନାହିଁ। ଏହି ନୂଆ ଭାରତ ନିଜ ଭାଗ୍ୟ ନିଜେ ଲେଖିବ । ପୂର୍ବରୁ ଲୋକମାନେ କହୁଥିଲେ – “ମୋଦୀ ହେ ତୋ, ମୁମକିନ ହେ”, ଆଜି ସମଗ୍ର ଦେଶ କହୁଛି – “ମୋଦୀ ହେ ତୋ, ଦେଶ ସୁରକ୍ଷିତ ହେ”। ଆପଣଙ୍କ ନେତୃତ୍ୱରେ ଦେଶ ବିକାଶର ନୂତନ ଶିଖର ଛୁଇଁଁଛି। ବିଗତ ୧୧ ବର୍ଷ ମଧ୍ୟରେ ଦେଶର ପ୍ରତ୍ୟେକ ଶ୍ରେଣୀର ଲୋକ ମାନଙ୍କର ଉନ୍ନତି ଘଟିଛି। ଆଜି ଭାରତ ବିଶ୍ୱର ଚତୁର୍ଥ ସବୁଠୁ ବଡ଼ ଅର୍ଥନୀତି ହୋଇଛି, ଏବଂ ଖୁବ ଶୀଘ୍ର ୫ ଟ୍ରିଲିଅନ୍ ଡଲାର ଅର୍ଥନୀତି ହେବାକୁ ଯାଉଛି। ଦେଶରେ ଅତି ଗରିବୀ (Extreme Poverty) ୨୭.୧% ରୁ କମି ୫.୩% ହୋଇଯାଇଛି। ଏହା ପ୍ରମାଣିତ କରୁଛି ଯେ ଆପଣଙ୍କ ନେତୃତ୍ୱରେ ଦେଶ ବଦଳୁଛି ଓ ଦୃତ ଗତିରେ ବିକାଶର ରାସ୍ତାରେ ଅଗ୍ରସର ହେଉଛି।

ପ୍ରଧାନମନ୍ତ୍ରୀଜୀ, ଆପଣଙ୍କ ମାର୍ଗଦର୍ଶନରେ ଗତ ୧ ବର୍ଷ ଧରି ଆମେ ଓଡ଼ିଶାବାସୀଙ୍କ ସେବାରେ ନିରବଛିନ୍ନ ଭାବେ ପ୍ରତ୍ୟେକ ମୁହୂର୍ତ୍ତ କାମ କରିଛୁ। ଆପଣ ଦେଇଥିବା “ସବ୍‌କା ସାଥ୍, ସବ୍‌କା ବିକାଶ୍, ସବ୍‌କା ବିଶ୍ୱାସ୍, ସବ୍‌କା ପ୍ରୟାସ୍” ମନ୍ତ୍ରକୁ ଆଧାର କରି ଆମେ ଆଗକୁ ବଢ଼ୁଛୁ। ଆପଣ ଉଲ୍ଲେଖ କରିଥିବା ଚାରି ବର୍ଗ – ଗରିବ, ଅନ୍ନଦାତା, ମହିଳା ଓ ଯୁବା – ଏହି ସମସ୍ତଙ୍କୁ ନଜରରେ ରଖି ଆମର କାର୍ଯ୍ୟକ୍ରମ ଅବ୍ୟାହତ ରହିଛି । ଆଜି ଆମ ଦେଶର ମହାମହିମ ରାଷ୍ଟ୍ରପତି, ଆମ ଓଡିଶା ମାଟିର ଝିଅ, ଶ୍ରୀମତୀ ଦ୍ରୌପଦୀ ମୁର୍ମୁଜୀ ଙ୍କ ଜନ୍ମଦିନ। ଆଜିର ଏହି ଶୁଭ ଅବସରରେ ମୁଁ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଦେଶର ସେବାରେ ତାଙ୍କର ସୁସ୍ଥ ଓ ନିରାମୟ ଜୀବନ କାମନା କରୁଛି।
ବନ୍ଧୁଗଣ, ଆପଣମାନେ ଜାଣନ୍ତି, ଆମ ସରକାରଙ୍କ ପ୍ରଥମ ବର୍ଷରେ ଆମେ ଅନେକ ଉପଲବ୍ଧି ହାସଲ କରିପାରିଛୁ।

ଏହି ବର୍ଷକ ମଧ୍ୟରେ ଆମର କାର୍ଯ୍ୟକ୍ରମ ଓଡିଶାର ପ୍ରତ୍ୟେକ ଲୋକଙ୍କ ଜୀବନରେ କିଛି ନା କିଛି ପରିବର୍ତ୍ତନ ଆଣି ପାରିଛି। ତା ସହିତ ଆମେ, ଓଡିଶାବାସୀଙ୍କ ସୁନ୍ଦର ଭବିଷ୍ୟତ ପାଇଁ ସ୍ପଷ୍ଟ ରୋଡ୍‌ମ୍ୟାପ ମଧ୍ୟ ପ୍ରସ୍ତୁତ କରିଛୁ। ଏହି ବର୍ଷକ ଭିତରେ ମୁଁ ଓଡିଶାର ସମସ୍ତ ଜିଲ୍ଲାକୁ ଗସ୍ତ କରିଛି, ସମସ୍ତ ବର୍ଗର ଲୋକଙ୍କ ସହିତ ମିଶିଛି, ସମସ୍ତଙ୍କ ସୁଖଦୁଃଖ ସହିତ ସାମିଲ ହୋଇଛି, ସବୁ ଜିଲ୍ଲାର ସାଂସ୍କୃତିକ ସ୍ୱତନ୍ତ୍ରତା ସହିତ ପରିଚିତ ହୋଇଛି। ଗତ ୧୦ ତାରିଖରେ ମୁଁ ରାଜ୍ୟ ସରକାରଙ୍କ ଏକ ବର୍ଷର ଉପଲବ୍ଧିର ହିସାବ ରାଜ୍ୟବାସୀଙ୍କୁ ଦେଇଛି। ରାଜ୍ୟର ଚାଷୀ ଭାଇ, ଭଉଣୀ ମାନଙ୍କୁ ଧାନ କିଣାରେ କୁଇଣ୍ଟାଲ ପିଛା ୮୦୦ ଟଙ୍କାର ଅଧିକ ଇନପୁଟ୍ ଆସିଷ୍ଟାନ୍‌ସ ପ୍ରଦାନ ଓ ପିଏମ୍ କିଷାନ-ସିଏମ୍ କିଷାନ ଯୋଜନା ମାଧ୍ୟରେ ବାର୍ଷିକ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା, ସୁଭଦ୍ରା ଯୋଜନାରେ ୧ କୋଟିରୁ ଅଧିକ ମହିଳାଙ୍କୁ ସାମିଲ କରିବା, ପ୍ରାୟ ୧୭ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବା ଏବଂ ଲକ୍ଷପତି ଦିଦି ସୃଷ୍ଟିରେ ଓଡିଶା ଦେଶରେ ପ୍ରଥମ ହେବା, ବହୁ ପ୍ରତିକ୍ଷିତ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ କରିବା ଏବଂ ନୂତନ ଶିକ୍ଷାନୀତି-୨୦୨୦ ପରି ଐତିହାସିକ ଯୋଜନା ଗୁଡିକ ଲାଗୁ କରିଛୁ।

ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ରାଜ୍ୟର ପଞ୍ଚାୟତ ଗୁଡିକରେ ଚଳିତ ଆର୍ଥିକ ବର୍ଷଠାରୁ ବିଦ୍ୟାଳୟ ସ୍ଥାପନ ପାଇଁ ସ୍ଥାନ ନିରୂପଣ ସହିତ DPR ପ୍ରସ୍ତୁତ କରାଯାଉଛି। ଐତିହ୍ୟ ବିଦ୍ୟାଳୟ ଯୋଜନା ଓ ପିଏମ୍ ଶ୍ରୀ ଯୋଜନା ଶୁଭାରମ୍ଭ କରାଯାଇ ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଅଣାଯାଇଛି। ଏହା ସହିତ ରାଜ୍ୟର ଆଦିବାସୀ ବର୍ଗର ଛାତ୍ରଛାତ୍ରୀ ମାନଙ୍କ ଡ୍ରପଆଉଟ୍ ହାର କମ୍ କରିବା ପାଇଁ ମାଧୋ ସିଂ ହାତଖର୍ଚ୍ଚ ଯୋଜନା, ମା ମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ଆଦି କାର୍ଯ୍ୟକାରୀ କରାଯାଇଛି। ଏକ୍ ପେଡ୍ ମା’ କେ ନାମ୍ ଅଭିଯାନରେ ୬ କୋଟି ୬୯ ଲକ୍ଷ ବୃକ୍ଷ ରୋପଣ କରାଯାଇ, ଶତପ୍ରତିଶତ ଲକ୍ଷ୍ୟ ହାସଲ କରାଯାଇ ପାରିଛି।

ଆମ ସରକାର ଗ୍ରାମାଞ୍ଚଳର ସର୍ବାଙ୍ଗୀନ ଉନ୍ନତି ଓ ଜନ କଲ୍ୟାଣ ପାଇଁ ବିକଶିତ ଗାଁ, ବିକଶିତ ଓଡିଶା ଯୋଜନା, ଅନ୍ତ୍ୟୋଦୟ ଗୃହ ଯୋଜନା, ପ୍ରତି ବ୍ଲକରେ ଅତ୍ୟାଧୁନିକ ଷ୍ଟାଡିଅମ ନିର୍ମାଣ, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ଓ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଭଳି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଆମ ସରକାର ଆଜି ସୁଦ୍ଧା ୧୦ଟି ନିଯୁକ୍ତି ମେଳା ଆୟୋଜନ କରି ୨୮,୩୪୬ ଜଣ ଯୁବକ ଯୁବତୀଙ୍କୁ ସରକାରୀ ନିଯୁକ୍ତି ପ୍ରଦାନ କରିଛନ୍ତି। ଏହି ବର୍ଷ ଜାନୁଆରୀ ମାସରେ, ଆପଣ “ଉତ୍କର୍ଷ ଓଡ଼ିଶା- ମେକ ଇନ ଓଡ଼ିଶା” କାର୍ଯ୍ୟକ୍ରମରେ ସମଗ୍ର ବିଶ୍ୱର ଉଦ୍ୟୋଗପତିମାନଙ୍କୁ ଓଡ଼ିଶାରେ ନିବେଶ କରିବାପାଇଁ ଆହ୍ବାନ ଦେଇଥିଲେ। ଏହାର ଫଳସ୍ୱରୂପ, କେବଳ ଦୁଇ ଦିନ ମଧ୍ୟରେ ରେକର୍ଡ ସୃଷ୍ଟି କରି ପ୍ରାୟ ୧୭ ଲକ୍ଷ କୋଟି ଟଙ୍କାର ବିନିଯୋଗ ପ୍ରସ୍ତାବ ମିଳିଥିଲା। ଏହା କେବଳ ଆପଣଙ୍କ ଉପରେ ଉଦ୍ୟୋଗ ଜଗତର ଭରସା ଦ୍ୱାରା ସମ୍ଭବ ହୋଇଥିଲା। ଆମେ କେବଳ MoU ସାଇନ୍ କରି ରହି ଯାଇନୁ। ବିଗତ ୧୪୦ ଦିନ ମଧ୍ୟରେ, ପ୍ରାୟ ୧ ଲକ୍ଷ ୮୦ ହଜାର କୋଟି ଟଙ୍କାର ୫୬ଟି ଉଦ୍ୟୋଗ ଆରମ୍ଭ ମଧ୍ୟ କରିଛୁ।

ଆମର ଲକ୍ଷ୍ୟ ରହିଛି – ଓଡ଼ିଶାକୁ ପୂର୍ବ ଭାରତର ଏକ ପ୍ରମୁଖ ଔଦ୍ୟୋଗିକ କେନ୍ଦ୍ରରେ ପରିଣତ କରିବା। ମୋର ପୂର୍ଣ୍ଣ ବିଶ୍ୱାସ ଅଛି ଯେ, ଆପଣଙ୍କ ମାର୍ଗଦର୍ଶନରେ ଓଡ଼ିଶାରେ ନିଶ୍ଚିତ ଭାବେ “ପୂର୍ବୋଦୟ” ଘଟିବ। ଆଜି ମାନନୀୟ ପ୍ରଧାନମନ୍ତ୍ରୀ ଓଡିଶାରେ ୨ ହଜାର ୭୦୦ କୋଟି ଟଙ୍କାର ନୂଆ ରେଳ ପ୍ରକଳ୍ପର ଶୁଭାରମ୍ଭ କରୁଛନ୍ତି। ଆଜି ଓଡିଶାର ବୌଦ୍ଧ ଜିଲ୍ଲା ରେଳସେବା ସହିତ ଯୋଡି ହେଲା । ପ୍ରଧାନମନ୍ତ୍ରୀଜୀ ଆଜି ଦୁଇଟି ଟ୍ରେନ ସେବାର ମଧ୍ୟ ଶୁଭାରମ୍ଭ କରୁଛନ୍ତି । ଆଜି ମାନ୍ୟବର ପ୍ରଧାନମନ୍ତ୍ରୀଜୀଙ୍କ କରକମଳରେ ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଶ୍ରୀଗଣେଶ କରାଯାଉଛି। ରାଜ୍ୟରେ ରେଳ ଭିତ୍ତିଭୂମି, ସଡକ ନିର୍ମାଣ ଓ ବିମାନସେବା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ଅକୁଣ୍ଠ ସହଯୋଗ ପାଇଁ ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରୁଛି। ଓଡିଶାର ଭବିଷ୍ୟତକୁ ସୁଦୃଢ କରିବା ପାଇଁ ଆମେ ଆଜି ଠାରୁ ଯୋଜନା ଆରମ୍ଭ କରି ପ୍ରସ୍ତୁତ କରିଛୁ, ଭିଜନ ଡକୁମେଣ୍ଟ- ୨୦୩୬ ଓ ୨୦୪୭।

୨୦୩୬ ସୁଦ୍ଧା ୫୦୦ ବିଲିଅନ ଡଲାର ଅର୍ଥନୀତି ଓ ୨୦୪୭ ସୁଦ୍ଧା ୧.୫ ଟ୍ରିଲିଅନ ଡଲାର ଅର୍ଥନୀତିରେ ପହଞ୍ଚିବା ପାଇଁ ଲକ୍ଷ୍ୟ ରଖିଛୁ। ୩୬ ପାଇଁ ୩୬ଟି ସ୍ପଷ୍ଟ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ୨୦୪୭ ସୁଦ୍ଧା ମାନନୀୟ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ ବିକଶିତ ଭାରତରେ ଓଡିଶାର ମହତ୍ବପୂର୍ଣ୍ଣ ଯୋଗଦାନ ରହିବ। ମାନନୀୟ ପ୍ରଧାନମନ୍ତ୍ରୀ ମୋଦୀଜୀ ପ୍ରସ୍ତୁତ କରିଥିବା ରୋଡମ୍ୟାପକୁ ଆଧାର କରି ଆମ ରାଜ୍ୟ ହେବ ସମୃଦ୍ଧ ଓଡିଶା ଏବଂ ଦେଶ ହେବ ବିକଶିତ ଭାରତ। ଓଡ଼ିଶାର ସାଢେ ଚାରି କୋଟି ଜନସାଧାରଣଙ୍କ ପକ୍ଷରୁ, ମୁଁ ଆପଣଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି। ଆପଣଙ୍କ ଗରିମାମୟ ଉପସ୍ଥିତି, ଆମ କାର୍ଯ୍ୟକ୍ରମକୁ ଦିବ୍ୟ ଓ ଭବ୍ୟ ରୂପ ଦେଇଛି। ଆପଣଙ୍କ ସମର୍ଥନ ଓ ମାର୍ଗଦର୍ଶନ, ଓଡ଼ିଶାକୁ ଏକ ନୂତନ ଓଡ଼ିଶାରେ ପରିଣତ କରିବ। ମୋର ପୁରା ବିଶ୍ୱାସ ଅଛି ଯେ, 2036 ସୁଦ୍ଧା ଆମ ରାଜ୍ୟ ସମୃଦ୍ଧ ଓଡ଼ିଶା ହେବ ଏବଂ 2047 ରେ ଆମ ଦେଶ ବିକଶିତ ଭାରତରେ ପରିଣତ ହେବ। ଆସନ୍ତୁ, ଆମେ ସମସ୍ତେ ମିଶି, ଗଢିବା ଏକ ସମୃଦ୍ଧ ଓ ବିକଶିତ ଓଡିଶା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking