20.1 C
Bhubaneswar
Sunday, December 21, 2025
Homeଓଡିଶାପଦାରେ ପଡ଼ିଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଦୁର୍ନୀତି; କାର୍ପେଟ ବଦଳରେ ସିଲକୋଟ୍ ଉପରେ ପଡ଼ିଲା ପ୍ୟାଚ୍

ପଦାରେ ପଡ଼ିଲା ଗ୍ରାମ୍ୟ ଉନ୍ନୟନ ବିଭାଗର ଦୁର୍ନୀତି; କାର୍ପେଟ ବଦଳରେ ସିଲକୋଟ୍ ଉପରେ ପଡ଼ିଲା ପ୍ୟାଚ୍

ରାଜନଗର: ରାଜନଗର ବ୍ଲକ ଗ୍ରାମ୍ୟ ଉନ୍ନୟନ ବିଭାଗ ସବଡିଭିଜନ କାର୍ଯ୍ୟାଳୟକୁ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବାଷଚନ୍ଦ୍ର ସାହୁ ଓ କନିଷ୍ଠ ଯନ୍ତ୍ରୀ ସମୀର ରଞ୍ଜନ ବେହେରା ରାସ୍ତା କାମ ନିମ୍ନମାନର ହେଉଥିବା ପ୍ରମାଣିତ କରିଛନ୍ତି। ଏହି ସବଡିଭିଜନ ଅଧିନରେ ଥିବା ସେକ୍ସନ-୨ରେ ରାଜନଗର ବ୍ଲକ ତରପଦାମଠ ଠାରୁ କହ୍ନୁଆ ଭାୟା ଗୁଳୁଦିଆ ଚଣ୍ଡିଆପଲୀ ରାସ୍ତା ମରାମତି କାମ କରାଯାଉଛି । ଠିକାଦାର ନିଜ ଇଛାରେ ନିମ୍ନମାନର କାମ କରୁଥିବା ବେଳେ କନିଷ୍ଠ ଯନ୍ତ୍ରୀ ରାସ୍ତା ନିର୍ମାଣ ସ୍ଥାନକୁ କେବେ ନଯାଇ ଦଲାଲଙ୍କ ଜରିଆରେ ସିଲକୋଟ କାମ କରାଉଥିବା ଅଭିଯୋଗ ହୋଇଆସୁଥିଲା । ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ କନିଷ୍ଠ ଯନ୍ତ୍ରୀ କାମ ହୋଇଥିବା ଯାଇଥିଲେ । ସେଠାରେ ଗାଁ ଲୋକମାନେ ନିମ୍ନମାନର କାମ ହେଉଥିବା ଦର୍ଶାଇବା ସହ ଗୋଡ ମାରିବାରୁ ପିଚୁ ବାହାରି ଯାଉଥିବା ଦେଖାଇଥିଲେ। ସରକାରଙ୍କ ନିୟମାନୁଯାୟୀ କାମ ହେବା ପୂର୍ବରୁ ସୂଚନା ଫଳକଟିଏ ଲାଗିବାର ନିୟମ ରହିଛି । ଯେଉଁଥିରେ କାମ ହେଉଥିବା ପ୍ରକଳ୍ପର ନାମ, ବ୍ୟୟ ଅଟକଳ, ନିର୍ମାଣ ଓ କାମ ଶେଷ ହେବାର ତାରିଖ, ଠିକା ନେଇଥିବା ସଂସ୍ଥାର ନାମ ପ୍ରଭୃତି ଉଲ୍ଲେଖ ରହିବା କଥା । ମାତ୍ର ଏହି ରାସ୍ତାର କୌଣସି ସ୍ଥାନରେ ଏଭଳି ସୂଚନା ଫଳକ ଦେଖିବାକୁ ମିଳିନାହିଁ । ତରପଦା ଗାଁ ନିକଟ ରାସ୍ତାରେ ହେଉଥିବା ପିଚୁ କାମ ୨୦ଏମଏମ(୧୦ରୁ ୧୨ ଏମଏମ ଚିପ୍ସ) କାର୍ପେଟ ଓ ୫ ଏମଏମ (ବଜୁରୀ)ରେ ସିଲକୋଟ କରାଯିବାର ନିୟମ ରହିଛି । ମାତ୍ର କେବଳ ୫/୬ଏମଏମ ସିଲକୋଟରେ କାମ କରାଯାଇଥିଲା ।

ଯେଉଁଥିରେ କି ଗୋଡ ମାରିଲେ ପିଚୁ ଉଠି ଯାଉଥିବା ନେଇ ସ୍ଥାନୀୟ ଅଧିବାସୀ ରାସ୍ତା ନିର୍ମାଣସ୍ଥଳରେ ଯନ୍ତ୍ରୀଙ୍କୁ ଦେଖାଇଥିଲେ। ଯାହାଫଳରେ ଯନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏହି ନିମ୍ନମାନର କାମକୁ ଲୁଚାଇବା ପାଇଁ ସିଲକୋଟ ଉପରେ ପୁନର୍ବାର ୫/୬ ଏମଏମର ସିଲକୋଟରେ ରାସ୍ତାର କିଛି ଅଂଶ ଛାଡି ପ୍ୟାଚ ପକାଇ କାମ ସାରିଦେଇଥିବା ଦେଖିବାକୁ ମିଳିଛି । ଏହି ରାସ୍ତାରେ ନିମ୍ନମାନର କାମ ହେଉଥିବା ନେଇ ଖୋଦ ଯନ୍ତ୍ରୀ ପ୍ରମାଣିତ କରିଦେଲେ ବୋଲି ସାଧାରଣରେ ଆଲୋଚନା ହେଉଛି । ସବୁଠାରୁ ବଡକଥା ହେଉଛି, ରାସ୍ତାକାମ କରାଯିବା ସମୟରେ ତଦାରଖ କରିବାକୁ କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ରହି ତଦାରଖ କରିବା କଥା । ମାତ୍ର ଯନ୍ତ୍ରୀ ଅନୁପସ୍ଥିତ ରହି ଠିକାଦାରଙ୍କ ଉପରେ କାମ ନ୍ୟସ୍ତ କରିବା ଘଟଣା ତାଙ୍କର ମନ୍ଦ ଉଦ୍ଦେଶ୍ୟକୁ ଇଙ୍ଗିତ କରୁଛି । ଖାଲି ଏହି ଗୋଟିଏ ରାସ୍ତା ନୁହେଁ, ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ନିର୍ମାଣ ଓ ମରାମତି ହୋଇଥିବା ରାସ୍ତାଗୁଡିକ ନିମ୍ନମାନର କାମ ଯୋଗୁଁ ଖାଲଖମାରେ ପରିଣତ ହେଲାଣି । ଏନେଇ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ସହ ବିଭାଗୀୟ ମୁଖ୍ୟଯନ୍ତ୍ରୀ ରାସ୍ତାଗୁଡିକୁ ତନଖି କରାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି । ରାସ୍ତା ନିର୍ମାଣ ସମ୍ପର୍କରେ ସବିଶେଷ ତଥ୍ୟ ପାଇଁ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବାଷଚନ୍ଦ୍ର ସାହୁ ଓ କନିଷ୍ଠ ଯନ୍ତ୍ରୀ ସମୀର ରଞ୍ଜନ ବେହେରାଙ୍କୁ ଯୋଗାଯୋଗ କଲେ, ବର୍ତ୍ତମାନ ସିସି ଅଫିସରେ ଅଛୁ, ଫାଇଲ ଦେଖିଲେ କହିବୁ ବୋଲି କହି କଥାକୁ ଏଡାଇ ଯାଉଛନ୍ତି । ଯାହାଫଳରେ ରାସ୍ତା ନିର୍ମାଣ ସଂକ୍ରାନ୍ତୀୟ କୌଣସି ତଥ୍ୟ ମିଳୁନଥିବାରୁ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଅବ୍ୟାହତ ରହିଥିବା ଜଣାପଡୁଛି । ଏହି ସବଡିଭିଜନ ଅଧିନରେ ରାସ୍ତା ନିର୍ମାଣ ଓ ମରାମତି କାମର ଭିଜିଲାନ୍ସ ତଦନ୍ତ କରାଗଲେ ବହୁ ରହସ୍ୟ ପଦାକୁ ଆସିବ ବୋଲି ନାମ ଗୋପନ ସୂତ୍ରରେ ଜନୈକ କର୍ମଚାରୀ ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking