ସମ୍ବଲପୁର : ସମବାୟ ଆମ ସମାଜର ଅବିଚ୍ଛେଦ୍ୟ ଅଙ୍ଗ। ଏହା କେବଳ ଏକ ବ୍ୟବସାୟିକ ମଡେଲ୍ ନୁହେଁ, ଏହା ହେଉଛି ଏକ ବିଚାର। ମଧୁବାବୁଙ୍କ ଉତ୍କଳ ଟ୍ୟାନେରୀ ହେଉ କିମ୍ବା ସର୍ଦ୍ଦାର ପଟେଲଜୀଙ୍କ ଦ୍ୱାରା ପ୍ରେରିତ ଅମୂଲ୍ ଭଳି ସଂସ୍ଥା, ଏମାନେ ସମବାୟର ଶକ୍ତିଶାଳୀ ଉଦାହରଣ। ଗ୍ରାମୀଣ ଅର୍ଥନୀତି ଓ କୃଷକମାନଙ୍କୁ ସଶକ୍ତ କରିବାରେ ଏହି ବିଚାର ଅତୁଳନୀୟ ଭୂମିକା ଗ୍ରହଣ କରିଛି। ସମବାୟ କ୍ଷେତ୍ରକୁ ଦେଶର ବିକାଶର ମୂଳ ସ୍ରୋତରେ ସାମିଲ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଦୂରଦୃଷ୍ଟି ଆଜି ସାରା ଦେଶରେ ଏକ ନୂତନ ଉତ୍ସାହ ସୃଷ୍ଟି କରିଛି। ମୋଦୀ ସରକାର ସ୍ୱତନ୍ତ୍ର ଭାବରେ ସହକାରିତା ମନ୍ତ୍ରଣାଳୟ ଗଠନ କରି ଏହାର ଗୁରୁତ୍ୱକୁ ଦର୍ଶାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୂଳ ମନ୍ତ୍ର ହେଉଛି ‘ସମବାୟରୁ ସମୃଦ୍ଧି’। ସ୍ୱାଧୀନତା ପୂର୍ବରୁ ଆମେ ସ୍ୱରାଜ ପାଇଁ ଲଢ଼େଇ କରିଥିଲେ। ଆଜି ସମୃଦ୍ଧି ପାଇଁ ଯୋଜନା କରିବା ପାଇଁ ପଡ଼ିବ ବୋଲି ସୋମବାର ସମ୍ବଲପୁରରେ ‘ଜିଲ୍ଲାସ୍ତରୀୟ ସର୍ବଭାରତୀୟ ସମବାୟ ସପ୍ତାହ -୨୦୨୫’ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ସର୍ବଭାରତୀୟ ୭୨ତମ ସମବାୟ ସପ୍ତାହ ପାଳନ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ରାଜ୍ୟରେ ନୂଆ ସମୟବାୟ ନୀତି ଯୋଜନା ଚାଲିଛି। କେନ୍ଦ୍ରୀୟ ସମବାୟ ନୀତି ଆସିସାରିଛି। ସମବାୟ ମାଧ୍ୟମରେ ବହୁବିଧ ବ୍ୟବସାୟ କରାଇବା ଉପରେ ସରକାର ଜୋର୍ ଦେଉଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ସମ୍ମାନଜନକ ଜୀବନ ବଞ୍ଚିବା ସମସ୍ତଙ୍କର ଅଧିକାର। ଆମେ ଯେତେବେଳେ ଗାଁର କ୍ଷୁଦ୍ର ଚାଷୀ, ମହିଳା ଏବଂ ଗରିବଙ୍କୁ ସମବାୟ ମାଧ୍ୟମରେ ସଂଯୋଗ କରିବା, ସେତେବେଳେ ଯାଇ ପ୍ରକୃତ ଅର୍ଥରେ ‘ଆତ୍ମନିର୍ଭର ଭାରତ’ର ସ୍ୱପ୍ନ ସାକାର ହେବ। ସମବାୟ ଆମକୁ ଶିକ୍ଷା ଦିଏ ଯେ କେବଳ ବ୍ୟକ୍ତିଗତ ଉଦ୍ୟମରେ ନୁହେଁ, ବରଂ ସାମୂହିକ ପ୍ରୟାସରେ ହିଁ ପ୍ରକୃତ ସଫଳତା ମିଳେ। ଏହିପରି ଭାବରେ ସାମୂହିକ ପ୍ରୟାସ ମାଧ୍ୟମରେ ଆମେ ସମ୍ବଲପୁରରେ ସମ୍ପନ୍ନତା ଆଣିବା। ଶେଷରେ ଆଗାମୀ ଦିନରେ ପ୍ରତି ପଞ୍ଚାୟତସ୍ତରରେ ଗୋଟିଏ ଲେଖାଏଁ ସମବାୟ ପ୍ରଶିକ୍ଷଣ ଶିବିର କରିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେବା ସହ ନୂଆପିଢ଼ିର ଯୁବକମାନଙ୍କୁ ସେଥିରେ ସାମିଲ କରିବା ପାଇଁ କହିଛନ୍ତି। ସମ୍ବଲପୁର ଜିଲ୍ଲାରେ ଆଗାମୀ ଦିନରେ ୧୫୦ଟି ବହୁମୁଖୀ ସମବାୟ ସମିତି ସହ ୫୦ଟି କୃଷି ଉତ୍ପାଦ ସଂଗଠନ(ଏଫପିଓ) ଗଠନ କରିବାକୁ ଆହ୍ୱାନ କରିଛନ୍ତି। ଆଗାମୀ ୨ ବର୍ଷ ଭିତରେ ଜିଲ୍ଲାର ସବୁ ପରିବାର ଏଫପିଓ କିମ୍ବା ସମବାୟ ସମିତିରେ ଯୋଡ଼ି ହେବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପଞ୍ଚାୟତିରାଜ ରାଜ୍ୟ ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ ଏବଂ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବି ନାରାୟଣ ନାଏକ ଓ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।










