17.1 C
Bhubaneswar
Tuesday, February 3, 2026
Homeଓଡିଶାମହାରାଷ୍ଟ୍ର ପାଲଘରରେ ବୁଲେଟ୍ ଟ୍ରେନ୍ ପ୍ରକଳ୍ପର ପ୍ରଥମ ପାହାଡ଼ି ସୁଡ଼ଙ୍ଗ ନିର୍ମାଣ ସଫଳ: ଅଶ୍ୱିନୀ ବୈଷ୍ଣବ

ମହାରାଷ୍ଟ୍ର ପାଲଘରରେ ବୁଲେଟ୍ ଟ୍ରେନ୍ ପ୍ରକଳ୍ପର ପ୍ରଥମ ପାହାଡ଼ି ସୁଡ଼ଙ୍ଗ ନିର୍ମାଣ ସଫଳ: ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍ ଟ୍ରେନ୍ ପ୍ରକଳ୍ପକୁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି। ମହାରାଷ୍ଟ୍ରର ପାଲଘରଠାରେ ଏହି ପ୍ରକଳ୍ପ ଅନ୍ତର୍ଗତ ପ୍ରଥମ ପାହାଡ଼ି ସୁଡ଼ଙ୍ଗ ନିର୍ମାଣ କାର୍ଯ୍ୟ ସଫଳତାପୂର୍ବକ ସମ୍ପୂର୍ଣ୍ଣ ହୋଇଛି। ଏହା ରାଜ୍ୟରେ ବୁଲେଟ୍ ଟ୍ରେନ୍ ପ୍ରକଳ୍ପର ଦ୍ୱିତୀୟ ସୁଡ଼ଙ୍ଗ। ଆଜି ନୂଆଦିଲ୍ଲୀରେ କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏ ସମ୍ପର୍କରେ ଘୋଷଣା କରିଛନ୍ତି । ନବନିର୍ମିତ ପାହାଡ଼ି ସୁଡ଼ଙ୍ଗର ଲମ୍ବ ପ୍ରାୟ ଦେଢ଼ କିଲୋମିଟର। ଏହା ପାଲଘର ଜିଲ୍ଲାରେ ଆସୁଥିବା ପ୍ରକଳ୍ପର ସବୁଠୁ ଲମ୍ବା ସୁଡ଼ଙ୍ଗ। ଏହି ସୁଡ଼ଙ୍ଗ ବିରାର୍ ଓ ବୋଇସାର୍ ବୁଲେଟ୍ ଟ୍ରେନ୍ ଷ୍ଟେସନ ମଧ୍ୟରେ ଅବସ୍ଥିତ। ପାହାଡ଼ି ସୁଡ଼ଙ୍ଗ-5କୁ ଉଭୟ ପଟୁ ଖୋଳା ଯାଇଥିଲା। ଅତ୍ୟାଧୁନିକ ଖନନ ଏବଂ ବିସ୍ଫୋରଣ ପଦ୍ଧତି ଅବଲମ୍ବନ କରାଯାଇ ମାତ୍ର 18 ମାସ ମଧ୍ୟରେ କାମ ସମ୍ପୂର୍ଣ୍ଣ ହୋଇଥିଲା। ଏହି ପଦ୍ଧତିରେ ଖନନ ସମୟରେ ଭୂମିର ଆଚରଣକୁ ବାସ୍ତବ ସମୟରେ ତଦାରଖ କରିବା ସମ୍ଭବ ଏବଂ ସମ୍ପୃକ୍ତ ସ୍ଥାନର ଅବସ୍ଥାକୁ ଆଧାର କରି ସଟକ୍ରିଟ୍, ରକ୍ ବୋଲ୍ଟ ଏବଂ ଲାଟିସ୍ ଗର୍ଡର ଭଳି ସହାୟକ ପ୍ରଣାଳୀ ନିୟୋଜନ କରିବାରେ ଏହା ସହାୟକ ହୋଇଥାଏ। ସୁଡ଼ଙ୍ଗ ନିର୍ମାଣର ସମ୍ପୂର୍ଣ୍ଣ ପ୍ରକ୍ରିୟା ସମୟରେ ବାୟୁ ଚଳାଚଳ, ଅଗ୍ନି ନିର୍ବାପନ ଉପାୟ ଏବଂ ଯାତାୟାତର ସଠିକ୍ ବ୍ୟବସ୍ଥା ସହିତ ଜରୁରି ସୁରକ୍ଷା ସତର୍କତାକୁ ସଠିକ୍ ଭାବେ ପାଳନ କରାଯାଇଥିଲା।

ଏଥିପୂର୍ବରୁ ସେପ୍ଟେମ୍ବର 2025ରେ ଠାଣେରୁ ବିକେସି ମଧ୍ୟରେ 5 କିଲୋମିଟର ଲମ୍ବ ପ୍ରଥମ ଭୂତଳ ସୁଡ଼ଙ୍ଗ ନିର୍ମାଣ କରାଯାଇଥିଲା। ମୁମ୍ବାଇ-ଅହମ୍ମଦାବାଦ ହାଇସ୍ପିଡ୍ ରେଳ (ଏମଏଏଚଏସଆର) ପ୍ରକଳ୍ପର ମୋଟ୍ ଲମ୍ବ 508 କିଲୋମିଟର ହୋଇଥିବା ବେଳେ ସମ୍ପୂର୍ଣ୍ଣ ସୁଡ଼ଙ୍ଗର ଲମ୍ବ 27.4 କିଲୋମିଟର। ଏଥିମଧ୍ୟରୁ 21 କିଲୋମିଟର ଭୂତଳ ସୁଡ଼ଙ୍ଗ ହୋଇଥିବା ବେଳେ 6.4 କିଲୋମିଟର ଭୂପୃଷ୍ଠ ସୁଡ଼ଙ୍ଗ ରହିଛି। ଏହି ପ୍ରକଳ୍ପରେ ଆଠଟି ପାହାଡ଼ି ସୁଡ଼ଙ୍ଗ ରହିଛି ଏବଂ ଏଥିମଧ୍ୟରୁ ମହାରାଷ୍ଟ୍ରରେ ଥିବା ସାତଟି ପାହାଡ଼ି ସୁଡ଼ଙ୍ଗର ମୋଟ୍ ଦୂରତା 6.05 କିଲୋମିଟର ଓ ଗୁଜରାଟରେ ଥିବା ଗୋଟିଏ ପାହାଡ଼ି ସୁଡ଼ଙ୍ଗର ଲମ୍ବ 350 ମିଟର। କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ଯଥେଷ୍ଟ ନିଯୁକ୍ତି ସୃଷ୍ଟି କରୁଛି ଏବଂ କାର୍ଯ୍ୟ ସମୟରେ ଅତିରିକ୍ତ ସୁଯୋଗ ପ୍ରଦାନ କରିବ। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ମୁମ୍ବାଇ ଏବଂ ଅହମ୍ମଦାବାଦ ମଧ୍ୟରେ ଯାତ୍ରା ସମୟ ମାତ୍ର 1 ଘଣ୍ଟା 58 ମିନିଟକୁ ହ୍ରାସ ପାଇବ। ଏହା ପ୍ରମୁଖ ବାଣିଜ୍ୟିକ କେନ୍ଦ୍ରର ଆର୍ଥିକ କାରବାରକୁ ସମନ୍ୱିତ କରିବ। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ କରିଡରରେ ଆର୍ଥିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ସହିତ ଜ୍ଞାନ ହସ୍ତାନ୍ତରକୁ ସହଜ କରିବ ଏବଂ ନୂତନ ଶିଳ୍ପ ଓ ଆଇଟି ହବ୍ଗୁଡ଼ିକର ବିକାଶକୁ ସମର୍ଥନ କରିବ ବୋଲି ଆଶା କରାଯାଉଛି। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଏହା ଦୀର୍ଘକାଳୀନ ଆର୍ଥିକ ଲାଭ ଆଣିବ ଏବଂ ଆରାମଦାୟକ ଓ ସୁଲଭ ଯାତ୍ରା ପ୍ରଦାନ କରି ମଧ୍ୟବିତ୍ତ ବର୍ଗର ଆକାଂକ୍ଷା ପୂରଣ କରିବ। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ସଡ଼କ ପରିବହନ ତୁଳନାରେ ଅଙ୍ଗାରକାମ୍ଳ ନିର୍ଗମନକୁ ପ୍ରାୟ 95 ପ୍ରତିଶତ ହ୍ରାସ ଘଟିବ ବୋଲି କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଛନ୍ତି ।

ମହାରାଷ୍ଟ୍ରରେ ସାତଟି ପାହାଡ଼ି ସୁଡ଼ଙ୍ଗ କାମ ଚାଲିଛି। 820 ମିଟର ଲମ୍ବ ବିଶିଷ୍ଟ ଏମଟି-1ର କାମ 15 ପ୍ରତିଶତ ଭୌତିକ ପ୍ରଗତି ହାସଲ କରିଛି। ଏହାବ୍ୟତୀତ 228 ମିଟର ଲମ୍ବ ଏମଟି-2 ବର୍ତ୍ତମାନ ପ୍ରସ୍ତୁତି ପର୍ଯ୍ୟାୟରେ ରହିଛି। 1,403 ମିଟର ଲମ୍ବ ଏମଟି-3ର କାମ 35.5 ପ୍ରତିଶତ ଶେଷ ହୋଇଥିବା ବେଳେ 1,260 ମିଟର ଲମ୍ବ ଏମଟି-4 କାମ 31 ପ୍ରତିଶତ ଅଗ୍ରଗତି ହାସଲ କରିଛି। 454 ମିଟର ଲମ୍ବ ଏମଟି-6 ସୁଡ଼ଙ୍ଗ 35 ପ୍ରତିଶତ ଅଗ୍ରଗତି ହାସଲ କରିଥିବା ବେଳେ 417 ମିଟର ଲମ୍ବ ବିଶିଷ୍ଟ ଏମଟି-7ର କାମ 28 ପ୍ରତିଶତ ସରିଛି । ଏହାସହିତ ମହାରାଷ୍ଟ୍ରରେ ମୋଟ ପ୍ରାୟ 6 କିଲୋମିଟର ପାହାଡ଼ି ସୁଡ଼ଙ୍ଗ କାମ ଅଗ୍ରଗତି ହୋଇଛି । ମୁମ୍ବାଇ-ଅହମ୍ମଦାବାଦ ହାଇସ୍ପିଡ୍ ରେଳ ପ୍ରକଳ୍ପର ମୋଟ୍ ଦୂରତା 508 କିଲୋମିଟର ହୋଇଥିବା ବେଳେ ଏଥିମଧ୍ୟରୁ ଗୁଜରାଟ ଏବଂ ଦାଦ୍ରା ଓ ନଗର ହାଭେଳୀରେ 352 କିଲୋମିଟର ଏବଂ ମହାରାଷ୍ଟ୍ରରେ 156 କିଲୋମିଟର ରହିଛି । ଏହି କରିଡର ସାବରମତୀ, ଅହମ୍ମଦାବାଦ, ଆଣନ୍ଦ, ଭଦୋଦରା, ଭରୁଚ, ସୁରତ୍, ବିଲିମୋରା, ବାପି, ବୋଇସାର୍, ବିରାର୍, ଠାଣେ ଏବଂ ମୁମ୍ବାଇ ସମେତ ପ୍ରମୁଖ ସହରଗୁଡ଼ିକୁ ଯୋଡ଼ିବ। ଏହା ଭାରତର ପରିବହନ ଭିତ୍ତିଭୂମି କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking