26.1 C
Bhubaneswar
Tuesday, April 1, 2025
Homeଓଡିଶାଓଡ଼ିଶାର ନାରୀଙ୍କୁ ନ୍ୟାୟ ଓ ସୁରକ୍ଷା ନ ମିଳିବା ପର୍ଯ୍ୟନ୍ତ କଂଗ୍ରେସ ଚୁପ୍ ବସିବ ନାହିଁ

ଓଡ଼ିଶାର ନାରୀଙ୍କୁ ନ୍ୟାୟ ଓ ସୁରକ୍ଷା ନ ମିଳିବା ପର୍ଯ୍ୟନ୍ତ କଂଗ୍ରେସ ଚୁପ୍ ବସିବ ନାହିଁ

– ମହିଳାଙ୍କ ସୁରକ୍ଷା ପ୍ରସଙ୍ଗ ଭାରତୀୟ ଜନତା ପାର୍ଟି ପାଇଁ ଏକ ଗୌଣ ପ୍ରସଙ୍ଗ କି : ପୱନ ଖେରା

ଭୁବନେଶ୍ୱର : ଓଡ଼ିଶାରେ ମହିଳାଙ୍କ ସ୍ଥିତି ଅତ୍ୟନ୍ତ ଲଜ୍ୟାଜନକ ଓ ସଂଗୀନ। ଗତ ୯ ମାସ ଭିତରେ ୬୦ ଜଣ ମହିଳାଙ୍କୁ ଧର୍ଷଣ ଓ ଗଣଧର୍ଷଣ କରାଯାଇଛି। ରାଜ୍ୟରେ ଏପରି କୌଣସି ଗୋଟିଏ ଜିଲ୍ଲା ନାହିଁ ଯେଉଁ ଏଭଳି ସଂଗୀନ ଅପରାଧ ଘଟିନାହିଁ ବୋଲି କହିହେବ ନାହିଁ। ଅପ୍ରାପ୍ତ ବୟସ୍କା ଛାତ୍ରୀମାନଙ୍କ ପ୍ରତି ଯେଉଁ ପାସବିକ ଅତ୍ୟାଚାର ହେଉଛି ତାହା ପ୍ରତ୍ୟେକ ସଭ୍ୟ ସମାଜକୁ ଆଜି ସ୍ତମ୍ଭୀଭୂତ କରି ପକାଇଥିଲାବେଳେ ଡବଲ ଇଞ୍ଜିନ ବିଜେପି ସରକାର ପାଇଁ ଏହା ଏକ ବଡ଼ ପ୍ରସଙ୍ଗ ନୁହଁ ବୋଲି ଖୋଦ୍ ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ ଏବଂ ତାଙ୍କ ଦଳର ନେତା ବିଧାୟକ ମାନେ ଏକଥା କହୁଛନ୍ତି। ଏହାଠାରୁ ବଡ଼ ଅପମାନ ଓ ଲଜ୍ଜାଜନକ କଥାେ କ’ଣ ହୋଇପାରିବ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଆଜି ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନଙ୍କୁ କହିଥିଲେ ଯେ, ମହିଳାମାନଙ୍କ ପ୍ରସଙ୍ଗକୁ ନେଇ ସାରା ବିଧାନସଭା ଭିତରେ କଂଗ୍ରେସ ବିଧାୟକ ଦଳ ସରକାର ଏ ବର୍ବରଚିତ ଘଟଣାର ସଂପୂର୍ଣ୍ଣ ତଥ୍ୟ ରଖନ୍ତୁ ଓ ଏହି ଘଟଣାର ଏକ ଗୃହ କମିଟି ଗଠନ କରି ଏହାର ତଦନ୍ତ କରିବା ପାଇଁ ଦାବି କରିବା କ’ଣ କଂଗ୍ରେସର ଭୁଲ କି? ମହିଳାମାନଙ୍କ ବିନା ଆମେ କିଭଳି ଏକ ସମାଜ ଗଠନ କରିବା ପାଇଁ ଚିନ୍ତା କରିଛୁ। ମହିଳାଙ୍କ ବିନା କୌଣସି କିଛି ପ୍ରଗତି ହୋଇ ନାହିଁ କି ହୋଇପାରିବ ନାହିଁ।

ଏହି ଘଟଣାକୁ ନେଇ ରାଜ୍ୟ କଂଗ୍ରେସ ବିଧାନସଭା ଘେରାଉ କାର୍ଯ୍ୟାକ୍ରମ ଗତକାଲି କରିଥିଲା। ଏହି ଘେରାଉ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ରୂପେ ଗଣତାନ୍ତ୍ରିକ ଓ ଶାନ୍ତିପୂର୍ଣ୍ଣଭାବେ ଚାଲିଥିଲା। ଏପରିକି ସେ ନିଜେ ତାଙ୍କ ଭାଷଣ ଆରମ୍ଭ କରିବା ସମୟରେ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ, କର୍ମଚାରୀ ଲାଠି ଚାର୍ଜ ଆରମ୍ଭ କଲେ। ବ୍ୟାରିକେଟ୍ ସମ୍ମୁଖରେ ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ ଓ ଯୁବ କଂଗ୍ରେସ କର୍ମୀ ପ୍ରଥମ ବାରିକେଟ ଭାଙ୍ଗିଲା ପରେ ଦ୍ୱିତୀୟ ବାରିକେଟକୁ ପହଂଚିବା ପୂର୍ବରୁ ପୁଲିସ୍ ଲାଠି ଚାର୍ଜ କଲା। ଏହି ଲାଠି ଚାର୍ଜ ସମସ୍ତ ନିତିନିୟମକୁ ଉଲଘଂନ କରି କରାଯାଇଛି। ବିଧାନସଭା ଘେରାଉ ପୂର୍ବଦିନ ପୁଲିସ ବିଭାଗର ଅଧିକାରୀମାନଙ୍କ ସହିତ ସମସ୍ତ ଆଲୋଚନା ହୋଇଥିଲା। କଂଗ୍ରେସ ଦଳର ନେତୃବର୍ଗ କୌଣସି ପ୍ରକାର ଟେକା ପୁଲିସଙ୍କ ଉପରକୁ ଫୋପାଡ଼ି ନାହାନ୍ତି। ଏହା ବିଜେପି ଦଳର ଷଡ଼ଯନ୍ତ୍ର ଯୋଗୁଁ କିଛି ଅସମାଜିକ ତତ୍ୱ ଏହି କାଣ୍ଡକୁ ଭିଆଇଥାଇପାରନ୍ତି।

ଆମର କୌଣସି ନେତା, କର୍ମୀ, ପଥର ଫୋପାଡ଼ିନାହାନ୍ତି। ଲାଠି ସବୁବେଳେ ଅଂଟା ବାଡେଇବା କଥା କିନ୍ତୁ ମୁଣ୍ଡକୁ, ଛାତିକୁ ଓ ପେଟକୁ ମାରିବା ପାଇଁ କିଏ ଏମାନଙ୍କୁ ନିର୍ଦ୍ଦେଶ ଦେଇଥିଲା। ପୁଲିସ ଓଡ଼ିଶାର ଜନସାଧାରଣଙ୍କ ସୁରକ୍ଷା ପାଇଁ କିନ୍ତୁ ସରକାରୀ ଦଳର ହାତବାରିସି ହୋଇ ଜନତାଙ୍କୁ ସମସ୍ତ ନିତି ଆଇନକୁ ଉଲଘଂନ କରି ଜନତାଙ୍କୁ ମରଣାନ୍ତକ ଆକ୍ରମଣ କରିବା କ’ଣ ଆଇନ୍ ସମ୍ମତ କି? ପୁଲିସି ଡିଜି ଜଣେ ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀ। ସେ ସରକାରୀ ଦଳର ହାତବାରିସି ହୋଇ କୌଣସି କାର୍ଯ୍ୟ କରିବା ଅନୁଚିତ। ଗୋଟିଏ ଭୁଲ ନିଷ୍ପତି ବହୁତ ଅସୁବିଧା ସୃଷ୍ଟି କରିବ ବୋଲି ସେ କଡାଚେତାବନି ଦେଇଛନ୍ତି। ପୁଲିସ ଆକ୍ରମଣରେ କଂଗ୍ରେସ ୪୦ରୁ ଅଧିକ କର୍ମୀ ଓ ନେତୃବର୍ଗ ଆଘାତ ହୋଇଛନ୍ତି। ୧୦ ଜଣ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଅଛନ୍ତି। କେନ୍ଦ୍ରପଡ଼ା ଜିଲ୍ଲାର ମହିଳା ସଭାନେତ୍ରୀ ସଶ୍ମିତା ପଣ୍ଡାଙ୍କୁ ମହିଳା ପୁଲିସ ଗାଡ଼ିପାଖକୁ ଟେକି ନେଇ ତାଙ୍କୁ ଗୋଇଠା ମାରିବା ସହ ତା’ ଗାଲ ଓ କାନକୁ ଗୋଇଠା ବିଧା ମାରିଛନ୍ତି। କାନର ଗିରି ଫାଠି ଯାଇଛି। ସେ ଅତ୍ୟନ୍ତ ସଂଗୀନ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ପୁଲିସ ଯଦି ଅନ୍ୟାୟ ଉପାୟରେ ଦମନ ନିଳା ଆରମ୍ଭ କରେ ତାହାଲେ ଏହା ଉଗ୍ରରୂପ ଧାରଣ କରିବ। ଏହାକୁ ଏ ସରକାର ସହ୍ୟ କରିପାରିବ ନାହିଁ।

ଅଖିଳ ଭାରତ କଂଗ୍ରେସ କମିଟିର ଗଣମାଧ୍ୟମ ବିଭାଗର ମୁଖ୍ୟ ପୱନ ଖେରା ଆଜି ଭୁବନେଶ୍ୱର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ସାମ୍ବାଦିକ ମାନଙ୍କୁ ଗତକାଲିର ବିଧାନସଭା ଘଟଣା ଘେରାଉ ଉପରେ ପ୍ରତିକ୍ରିୟା ରଖି କହିଥିଲେ ଯେ ମୁଁ ବର୍ତ୍ତମାନ ଅତି ଗୁରୁତ୍ୱର ଭାବରେ ଆଘାତ ପ୍ରାପ୍ତ ହୋଇଥିବା କଂଗ୍ରେସ କର୍ମୀ ମିଟୁ ଜେନା ଓ ସଶ୍ମିତା ପଣ୍ଡା ଓ ଅନ୍ୟମାନଙ୍କୁ ଭେଟି ଫେରିଲି। ସେମାନଙ୍କ ସ୍ଥିତି ଅତ୍ୟନ୍ତ ଗୁରୁତର। ରାଜ୍ୟ କଂଗ୍ରେସ ଗତକାଲି ଯେଉଁ ବିଧାନସଭା ଘେରାଉ କରିଥିଲା, ତାହା ରାଜ୍ୟ ପାଇଁ ଏକ ବଡ଼ ପ୍ରସଙ୍ଗ ଥିଲା। ଓଡ଼ିଶାରେ ବିଜେପି ସରକାର ଏହି ପ୍ରସଙ୍ଗ ପରେ ବିଧାନସଭାରେ ଆଲୋଚନା ନ କରିବା ଏବଂ ଗୃହ କମିଟି ଗଠନ କରିବା ଦାବିକୁ ଗ୍ରହଣ ନ କରିବା ଅତ୍ୟନ୍ତ ନିନ୍ଦନୀୟ। ଯଦି ଏହାକୁ ଗ୍ରହଣ କରାଯାଇଥାଆନ୍ତା ତାହାଲେ କଂଗ୍ରେସ କେବେ ହେଲେ ଏହି ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇ ନଥାନ୍ତା। ରାଜ୍ୟରେ ୨୦୨୪ ମସିହାରେ ୪୪୮୨୩ ଜଣ ମହିଳା ଏବଂ ଅଳ୍ପବୟସ୍କା ଛାତ୍ର ଛାତ୍ରୀ ନିଖୋଜ ଅଛନ୍ତି। ଏହି ୯ ମାସର ବିଜେପି ସରକାର ସମୟରେ ୨୦ ହଜାର ମହିଳା ଓ ଅଳ୍ପ ବୟସ୍କା ଛାତ୍ରୀ ରାଜ୍ୟରୁ ନିଖୋଜ ଅଛନ୍ତି। ସେମାନେ କେଉଁଠି ଅଛନ୍ତି ତାଙ୍କ ପ୍ରତି କି ଅତ୍ୟାଚାର ହେଉଛି ତାହା ରାଜ୍ୟ ସରକାରଙ୍କ ଜାଣିବାର ଦାୟିତ୍ୱ କି ନୁହେଁ?

ଏ ରାଜ୍ୟରେ ପ୍ରତିଦିନ ୮ ଜଣ ମହିଳା ଧର୍ଷିତା ହେଉଛନ୍ତି। ପ୍ରତି ଘଣ୍ଟାରେ ରାଜ୍ୟରୁ ୪ ଜଣ ମହିଳା ନିଖୋଜ ହେଉଥିବାବେଳେ ରାଜ୍ୟର ବିଜେପି ସରକାର ଆଦୌ ଚିନ୍ତିତ ନୁହଁନ୍ତି। ଏଠି କ’ଣ ସବୁ ଘଟଣା ଚାଲୁଛି? ଓଡ଼ିଶାର ମହିଳାଙ୍କ ସ୍ଥିତି ସାରା ଭାରତ ବର୍ଷକୁ ଚିନ୍ତାରେ ପକାଇସାରିଛି। ରାଜ୍ୟର ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟ କଂଗ୍ରେସ ସହିତ ଜାତୀୟ କଂଗ୍ରେସ ଏକ ସ୍ୱରରେ ଲଢ଼େଇ ଜାରିରଖିବ। ରାଜ୍ୟର ପୁଲିସି ଡିଜି, କଂଗ୍ରେସ ନେତୃବର୍ଗ ଓ କର୍ମୀ ଧମକ ଦେବାରୁ ନିବୃତ ରୁହନ୍ତୁ। ପୁଲିସ ପ୍ରଶାସନର ସବୋର୍ଚ୍ଚ ଅଧିକାରୀ ଜଣେ ରାଜନୈତିକ ଦଳର ମୁଖପାତ୍ର କେବେହେଲେ। ସମ୍ବିଧାନର ଗଣ୍ଡି ଭିତରେ ଡିଜି ମହାଶୟ ବନ୍ଧା। ସମ୍ବିଧାନ ବହିଭୃତ କାମ କରନ୍ତୁ ନାହିଁ। ସରକାରୀ ଦଳର ନିର୍ଦ୍ଦେଶକୁ ଆଜ୍ଞାବହ ଭାବେ ପାଳନ କରିବା ପରିବର୍ତ୍ତେ ମହିଳା ଦୁଷ୍କର୍ମକାରୀମାନଙ୍କୁ କଠୋର ଦଣ୍ଡ ମିଳିବା ପାଇଁ ଚେଷ୍ଟା କରନ୍ତୁ। ରାଜ୍ୟରେ ନା ବାଳିକା ମାନେ ମା’ ହେଉଛନ୍ତି। କିନ୍ତୁ ନା ବାଳିକାଙ୍କୁ ଏ ଡବଲ ଇଞ୍ଜିନ ସରକାର ସୁରକ୍ଷା ଦେଇପାରୁନାହିଁ। ଏହାଠାରୁ ଲଜ୍ଜାଜନକ ଆଉ କିଛି ଅଛି ବୋଲି ସେ କହିଛନ୍ତି। ବାପା-ମା ମାନେ ନିଜ ଝିଅଙ୍କୁ ବାହାରକୁ ଛାଡ଼ିବା ପାଇଁ ଭୟ କରୁଛନ୍ତି।

ମା’ ସୁଭଦ୍ରାଙ୍କ ନାମରେ ଯୋଜନା କରୁଛ କିନ୍ତୁ ରାଜ୍ୟରେ ମହିଳାଙ୍କୁ ସୁରକ୍ଷା ଦେଇପାରୁନାହଁ। କଂଗ୍ରେସ ଦଳର ନେତାଙ୍କ ସଂଖ୍ୟା ଯେତେ କମ୍ ହୁଉନା କାହିଁକି କଂଗ୍ରେସ ଦଳ ନ୍ୟାୟ ପାଇଁ ଲଢ଼େଇ କରୁଛି, କରିଛି ଓ କରିବ ମଧ୍ୟ। ସରକାର ଯେତେ ଲାଠିମାଡ଼ କରିବା କଥା କରନ୍ତୁ। କିନ୍ତୁ ଆମେ ଏଥିରେ ଡରିଯିବୁ ନାହିଁ। ଓଡ଼ିଶାରେ ଜନତା ଦେଖୁଛନ୍ତି। କିଏ କ’ଣ କରୁଛନ୍ତି। ବିଜେଡ଼ି ସରକାର ଥିବାବେଳେ ବିଜେପି ଚୁପ୍‌। ବିଜେପି ସରକାର ବେଳେ ବିଜେଡ଼ି ଚୁପ୍‌। ଆସନ୍ତା ଦିନରେ ରାଜ୍ୟ କଂଗ୍ରେସ ସାରା ରାଜ୍ୟରେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ନାରୀ ନ୍ୟାୟ ପାଇଁ ପ୍ରତି ଜିଲ୍ଲା ଓ ଉପଖଣ୍ଡରେ ଲଢ଼େଇ ଜାରି ରଖିବ। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କଂଗ୍ରେସ ବିଧାୟକ ଦଳର ନେତା ଶ୍ରୀ ରାମଚନ୍ଦ୍ର କାଡାମ୍‌, ପୂର୍ବତନ ମନ୍ତ୍ରୀ ଶ୍ରୀ ପଂଚାନନ କାନୁନ୍‌ଗୋ, ଏଆଇସିସି ସହ ପ୍ରଭାରୀ ରୋଜାଲିନୀ ତିର୍କି ଓ ବିଧାୟୀକା ସୋଫିଆ ଫିର୍‌ଦୋଷ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking