ଭୁବନେଶ୍ୱର: ବିଧାନସଭା ବଜେଟ ଅଧିବେଶନରେ ସରକାରଙ୍କୁ ଘେରିବାକୁ କଂଗ୍ରେସ ରଣନୀତି ପ୍ରସ୍ତୁତ କରିଛି । ଚାଷୀଙ୍କ ସମସ୍ୟା ଦୂର କରିବେ ବୋଲି କହି ବିଜେପି ସରକାରକୁ ଆସିଛି, ହେଲେ ଏବେ ସବୁଠି କଟନୀ ଛଟନୀ ଜାରି ରହିଛି। ମଣ୍ଡିରେ ଧାନ ଉଠୁନି । ଏହି ପ୍ରସଙ୍ଗ ଉଠାଇ ଦଳ ସରକାରଙ୍କୁ ବିଧାନସଭାରେ ଘେରିବ ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ସୂଚନା ଦେଇଛନ୍ତି। ସେହିଭଳି ଡବଲ ଇଞ୍ଜିନ ସରକାର ହେବା ପରେ କେନ୍ଦ୍ର ବଜେଟରେ ଓଡ଼ିଶାକୁ ଅବହେଳା ଏବଂ ଓଡ଼ିଶାକୁ ପ୍ରଧାନମନ୍ତ୍ରୀଙ୍କ ବାରମ୍ବାର ଗସ୍ତ ସତ୍ତ୍ୱେ ଓଡ଼ିଶାକୁ କୌଣସି ସ୍ୱତନ୍ତ୍ର ସହାୟତା ନମିଳିବା ପ୍ରସଙ୍ଗ କଂଗ୍ରେସ ବିଧାନସଭାରେ ଉଠାଇବ ବୋଲି କଂଗ୍ରେସ ବିଧାୟକ ଦଳ ନେତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଥିବା ଶ୍ରୀ କାଡାମ କହିଛନ୍ତି । ବୁଧବାର ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତାଙ୍କ କକ୍ଷରେ କଂଗ୍ରେସ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା ।
ଏହି ବୈଠକରେ ବିଧାୟକ ସିଏସ ରାଜନ ଏକ୍କା, ଦାସରଥୀ ଗୋମାଙ୍ଗ, ସୋଫିଆ ଫିର୍ଦ୍ଦୋଷ, ଅଶୋକ ଦାସ, ପବିତ୍ର ସାଉନ୍ତା, ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ରମେଶ ଚନ୍ଦ୍ର ଜେନା, କାଡ୍ରାକା ଆପଲାସ୍ୱାମୀ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକ ପରେ କଂଗ୍ରେସ ବିଧାୟକ ଦଳ ନେତା କହିଛନ୍ତି ଯେ, ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ। ଦିନ ଦ୍ୱିପହରେ ହତ୍ୟାକାଣ୍ଡ ଘଟୁଛି। ଚାଷୀଙ୍କ ଠାରୁ ଧାନ କିଣାରେ ଅନେକ ସମସ୍ୟା ସହ କଟନୀ ଛଟନୀ ଚାଲିଛି । ବିଜେପି ବିରୋଧୀ ଦଳରେ ଥିବା ବେଳେ କଟନୀଛଟନୀ ନେଇ ଅନେକ ପ୍ରଶ୍ନ କରୁଥିଲା। ଏବେ ନିଜେ ସରକାରକୁ ଆସିଲା ପରେ କଟନୀଛଟନୀ କଥା ଭୁଲି ଯାଇଛନ୍ତି । ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷୟକ୍ଷତି ସଠିକ ଭାବେ ପ୍ରଦାନ କରାଯାଇନାହିଁ। ଏହି ପ୍ରସଙ୍ଗଗୁଡିକୁ କଂଗ୍ରେସ ଉଠାଇ ସରକାରଙ୍କୁ ଜବାବ ମାଗିବ।