14.1 C
Bhubaneswar
Friday, December 12, 2025
Homeଓଡିଶାରାଜଧାନୀରେ ପୋଲିସ ଓ କଂଗ୍ରେସ କର୍ମୀ ମୁହାଁ ମୁହିଁ ହଜାର ହଜାର କଂଗ୍ରେସ କର୍ମୀ ଅଟକ

ରାଜଧାନୀରେ ପୋଲିସ ଓ କଂଗ୍ରେସ କର୍ମୀ ମୁହାଁ ମୁହିଁ ହଜାର ହଜାର କଂଗ୍ରେସ କର୍ମୀ ଅଟକ

ଭୁବନେଶ୍ୱର : ନିକଟରେ ହିଣ୍ଡେନବର୍ଗର ମହାଖୁଲାସା ଆଦାନୀ ମହାଘୋଟାଲାର ପର୍ଦାଫାଶ କରିଛି । ଆଦାନୀ ଓ ସେବୀର ମଧୁଚନ୍ଦ୍ରିକାରେ ଏହି ମହାଦୁର୍ନୀତି ସମ୍ଭବପର ହୋଇଛି । କଂଗ୍ରେସ ଏହି ମହାଦୁର୍ନୀତିର ଗୁମର ଖୋଲିବାପାଇଁ ଜେପିସିି ତଦନ୍ତ ଦାବି କରିବା ସହ ସେବୀର ମୁଖ୍ୟ ମାଧବୀ ବୁଚ୍‌ଙ୍କ ଇସ୍ତଫା ଦାବିରେ ସାରା ଭାରତବର୍ଷରେ ଇ.ଡି ଅଫିସ ସମ୍ମୁଖରେ ଗଣବିକ୍ଷୋଭ ଓ ଇ.ଡି. ଅଫିସକୁ ଘେରାଉ କରିଛି । ଏହି କ୍ରମରେ ଅଖିଳ ଭାରତ କଂଗ୍ରେସ କମିଟି ଆହ୍ୱାନ କ୍ରମେ ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପିସିସି ଷ୍ଟିୟରିଂ କମିଟି ସଂଯୋଜକ ମହମ୍ମଦ ମୋକିମକଙ୍କ ନେତୃତ୍ୱରେ ଭୁବନେଶ୍ୱର ଇ.ଡି ଅଫିସ ସମ୍ମୁଖରେ ଏକ ବିଶାଳ ଗଣବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶା ପ୍ରଭାରୀ ଡ. ଅଜୟ କୁମାର କହିଛନ୍ତି ଦେଶର ସାଧାରଣ ଜନତାଙ୍କ ଧନ ବ୍ୟାଙ୍କରେ ଜମା ରହୁଛି ସେହି ଜମାରାଶିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ମିତ୍ର ଆଦାନୀଙ୍କ ହାତରେ ଟେକି ଦେଉଛନ୍ତି । ମୋଦିଙ୍କ ସହଯୋଗ ଓ ଆଦାନୀ ଓ ସେବୀ ମଧ୍ୟରେ ଥିବା ଗୁପ୍ତ ବୁଝାମଣା ଯୋଗୁଁ ଦେଶ ହଜାର ହଜାର କୋଟି ଟଙ୍କା କ୍ଷତି ସହୁଛି ।

ଏ ସମସ୍ତ ଅର୍ଥନୈତିକ ଅପରାଧ ଚାଲିଥିବା ବେଳେ ମୋଦି ସରକାର ଓ ଇଡି ଚୁପ ବସିଛନ୍ତି । ଇଡି କେବଳ ବିରୋଧି ଦଳର ନେତାଙ୍କୁ ଡରାଇବା, ଧମକାଇବା ଓ ଚାପ ପ୍ରୟୋଗ କରି ସେମାନଙ୍କ ସ୍ୱରକୁ ଦବାଇବା ପାଇଁ ମାଧ୍ୟମ ପାଲଟିଛି । ୨୫ ଜଣଙ୍କ ନେତାଙ୍କ ନାମରେ ଇଡି କେସ ଥିବା ବେଳେ ୨୩ ଜଣ ବିଜେପିରେ ସାମିଲ ହେଲା ପରେ କେସ ସବୁ ପ୍ରାୟତଃ ବନ୍ଦ ହୋଇଛି । ଏହା ସହ ଶ୍ରୀ ମୋଦି ଆଦାନୀଙ୍କ ହାତରେ ଦେଶର ସମ୍ପତିମାନ ଯଥା ଏୟାରପୋର୍ଟ, ରେଲୱେ ଷ୍ଟେସନ ଇତ୍ୟାଦି ବିକ୍ରୀ କରୁଛନ୍ତି । କେନ୍ଦ୍ରରେ ୧୦ ବର୍ଷ ଧରି ଶାସନ କରୁଥିବା ମୋଦି ସରକାର ବଡ଼ ବଡ଼ ଉଦ୍ୟୋଗପତିଙ୍କ ଦ୍ୱାରା ପରିଚାଳିତ । ବିଏସଏନଏଲକୁ ବୁଡ଼ାଇ ଅମ୍ବାନୀଙ୍କୁ ଲାଭ ପହଂଚାଇବା ପାଇଁ ଯଥା ସମ୍ଭବ ଉଦ୍ୟମ କରିବା ଫଳରେ ଆଜି ମୋବାଇଲ ରିଚାର୍ଜ ବି ମହଙ୍ଗା । ମୋଦି ସରକାର ଏସସି, ଏସଟି ଓ ଓବିସି ମାନଙ୍କ ସଂରକ୍ଷଣ ବ୍ୟବସ୍ଥାକୁ ଖତମ କରିବାପାଇଁ ଷଡ଼ଯନ୍ତ୍ର ରଚୁଛି । ଦେଶ ଆଜି ମହଙ୍ଗା ମାଡ଼ରେ ହନ୍ତସନ୍ତ ହେଉଥିବା ବେଳେ ସରକାର ଆରାମ କରୁଛନ୍ତି । ଜନତାଙ୍କୁ ଧର୍ମ ନାମରେ ବିଦ୍ୱେଷର ବିଷ ମଞ୍ଜି ବୁଣିବାପାଇଁ ବିଜେପି ଅପ୍ରାଣ ଉଦ୍ୟମ କରୁଛି । କିନ୍ତୁ ଦେଶରେ ଗୋଟିଏ ନେତା ଏହି ସାମ୍ପ୍ରଦାୟୀକ ଶକ୍ତି ବିରୋଧରେ “ଡରୋମତ” ର ନାରା ଦେଇ ସେମାନଙ୍କ ସହ ଠିଆ ହୋଇଛନ୍ତି । ଶ୍ରୀ କୁମାର ଆହୁରି ମଧ୍ୟ କହିଛନ୍ତି ଯେ ଅଗାମୀ ୨୦୨୯ ରେ ଦେଶରେ କଂଗ୍ରେସର ସରକାର ଓ ରାଜ୍ୟରେ କଂଗ୍ରେସ ସରକାର ହେବାକୁ ଯାଉଛି । ସମସ୍ତ ରାଜ୍ୟ, ଜିଲ୍ଲା, ବ୍ଲକ ନେତୃବୃନ୍ଦ ଓ କର୍ମୀ ମାନଙ୍କୁ ଆହ୍ୱାନ କରି କହିଛନ୍ତି ଆଜି ଠାରୁ ଲଢ଼େଇ ଆରମ୍ଭ ହେଲା । ୫ ବର୍ଷ ଯୋରଦାର ସଂଘର୍ଷ ଓ ଲଢ଼େଇ କରିବା ତାହାର ଫଳ ୨୦୨୯ରେ ପାଇବା ।

ପିସିସି ଷ୍ଟିୟରିଂ କମିଟିର ସଂଯୋଜକ ବରିଷ୍ଠ ନେତା ଇଂ ମହମ୍ମଦ ମୋକିମ ଇଡିର ବିରୋଧି ଦଳର ନେତାମାନଙ୍କ ପ୍ରତି ଏକପାଖିଆ ତଦନ୍ତ ଓ ବିଜେପି ନେତାମାନଙ୍କୁ ଖୁଲମଖୁଲା ଛୁଟ୍ ଦେବା ଗଣତନ୍ତ୍ର ପ୍ରତି ଅପମାନ ବୋଲି କହିଛନ୍ତି । ମୋଦି ସରକାର ଆସିବା ପରେ ଇଡି, ସିବିଆଇ, ଆଇଟି ସରକାରଙ୍କ ଅସ୍ତ୍ରଭାବେ ବ୍ୟବହାର କରାଯାଉଛି । ଦେଶରେ ଗଣତନ୍ତ୍ର, ସମ୍ବିଧାନ ବିପଦରେ ପଡ଼ିଛି ତାର ସୁରକ୍ଷାର ଦାୟିତ୍ୱ କଂଗ୍ରେସ ନେବ ବୋଲି ଶ୍ରୀ ମୋକିମ କହିଛନ୍ତି । ଗଣବିକ୍ଷୋଭ କାର୍ଯ୍ୟକ୍ରମ ପରେ ସାରା ରାଜ୍ୟରୁ ଆସିଥିବା ହଜାର ହଜାର କଂଗ୍ରେସ କର୍ମୀଙ୍କ ସହ ପ୍ରଭାରୀ ଅଜୟ କୁମାର କାର୍ଯ୍ୟକ୍ରମ ସଂଯୋଜକ ମହମ୍ମଦ ମୋକିମ, ବରିଷ୍ଠ କଂଗ୍ରେସ ନେତୃବୃନ୍ଦ, ଛାତ୍ର, ଯୁବ, ମହିଳା ଓ ବିଭିନ୍ନ ବିଭାଗ ଓ ପ୍ରକୋଷ୍ଠର ନେତାମାନଙ୍କ ସହ ଏକ ବିଶାଳ ରାଲି ଇଡି ଅଫିସ ଅଭିମୁଖେ ବାହାରିଥିଲା । କଂଗ୍ରେସ କର୍ମୀ ଓ ପୋଲିସଙ୍କ ମଧ୍ୟରେ ଠେଲାପେଲା ଓ ଧସ୍ତାଧସ୍ତି ହୋଇ କଂଗ୍ରେସ କର୍ମୀ ପ୍ରଥମ ବାରିକେଟକୁ ଅତିକ୍ରମ କରି ଇଡି ଅଫିସ ଅଭିମୁଖେ ଯାଉଥିବା ବେଳେ ହଜାର ହଜାର କଂଗ୍ରେସ କର୍ମୀଙ୍କୁ ପୋଲିସ ଉଠାଇ ନେଇଥିଲା । ଶେଷରେ ଶ୍ରୀ ମୋକିମ ବିଭିନ୍ନ ଜିଲ୍ଲା, ବ୍ଲକ ଓ ପଂଚାୟତରୁ ଆସିଥିବା ହଜାର ହଜାର ସଂଗ୍ରାମୀ କଂଗ୍ରେସ କର୍ମୀଙ୍କୁ ଏହି କାର୍ଯ୍ୟକ୍ରମ ସଫଳତାର ଶ୍ରେୟ ଦେଇଛନ୍ତି । ଆଜିର ଏହି କାର୍ଯ୍ୟକ୍ରମକୁ ପିସିସି ପୂର୍ବତନ ସାଧାରଣ ସମ୍ପାଦକ ବିଶ୍ୱଜିତ ଦାସ ସଂଚାଳନ କରିଥିଲେ ଓ ଷ୍ଟିୟରିଂ କମିଟିର ସଦସ୍ୟ ଡ. ବିଶ୍ୱରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

ଆଜିର ଏହି କାର୍ଯ୍ୟକ୍ରମରେ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ସାଂସଦ ସପ୍ତଗିରି ଉଲ୍ଲାକା, ବିଧାୟକ ଦଳର ଉପନେତା ଅଶୋକ ଦାସ, ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା, ଅନନ୍ତ ପ୍ରସାଦ ସେଠୀ, ଶରତ ରାଉତ, ରାମଚନ୍ଦ୍ର ଖୁଂଟିଆ, ଜଗନ୍ନାଥ ପଟ୍ଟନାୟକ, ଅମର ନାଥ ପ୍ରଧାନ, ସୁଶିଳା ତିରିଆ, ତାରା ପ୍ରସାଦ ବାହିନୀପତି, ସସ୍ମିତା ବେହେରା, ସନ୍ତୋଷ ସିଂ ସାଲୁଜା, ଶିବାନନ୍ଦ ରାୟ, ବଳଭଦ୍ର ମାଝୀ, ବିଧାୟକ ରାଜନ ଏକ୍କା, ରମେଶ ଜେନା, ଦାସରଥି ଗମାଙ୍ଗୋ, ସୋଫିଆ ଫିର୍ଦ୍ଦୋସ, ସାଗର ଦାସ, ପବିତ୍ର ସଉଂଟା, ସତ୍ୟଜିତ ଗମାଙ୍ଗୋ, ନିଳମାଧବ ହିକକା, ପ୍ରଫୁଲ୍ଲ ପ୍ରଧାନ, ମଙ୍ଗୁ ଖିଲ, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ, କଂଗ୍ରେସ ନେତା ଅମୀୟ ପଟ୍ଟନାୟକ, ବାଙ୍କନିଧି ବେହେରା, ସୁବତ୍ର ମହାପାତ୍ର, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, କଟକ ଜିଲ୍ଲା କଂଗ୍ରେସ ସଭାପତି ରବିନ୍ଦ୍ର ମଲ୍ଲିକ, କଟକ ନଗର କଂଗ୍ରେସ ସଭାପତି ସୁରେଶ ମହାପାତ୍ର, ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ରାଜୀବ ପଟ୍ଟନାୟକ, ସଂଜୀବ ଗିରି, ନଟବର ବାରିକ, ମନୋଜ ରାଉତ, ନିରୋଜ ଲୋଚନ ଦାଶଙ୍କ ସମତେ ଅନ୍ୟାନ୍ୟ ଜିଲ୍ଲା କଂଗ୍ରେସ ସଭାପତି, ବିଭିନ୍ନ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ, ବ୍ଲକ କଂଗ୍ରେସ କମିଟି ସଭାପତି, ଛାମୁଆ ସଂଗଠନ, ବିଭାଗ ଓ ପ୍ରକୋଷ୍ଠର ନେତୃବୃନ୍ଦଙ୍କ ଙ୍କ ସମେତ ହଜାର ହଜାର କଂଗ୍ରେସ କର୍ମୀ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking