26.1 C
Bhubaneswar
Friday, March 27, 2026
Homeଦେଶ ବିଦେଶନିର୍ବାଚନ ପରିଚାଳନା ନିୟମ-୧୯୬୧ରେ ସଂଶୋଧନ ପ୍ରସଙ୍ଗ; ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା କଂଗ୍ରେସ

ନିର୍ବାଚନ ପରିଚାଳନା ନିୟମ-୧୯୬୧ରେ ସଂଶୋଧନ ପ୍ରସଙ୍ଗ; ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା କଂଗ୍ରେସ

ନୂଆଦିଲ୍ଲୀ: କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ସୁପାରିସ ଆଧାରରେ ଭାରତ ସରକାରଙ୍କ ଆଇନ ମନ୍ତ୍ରଣାଳୟ ଗତ ଶୁକ୍ରବାର ନିର୍ବାଚନ ପରିଚାଳନା ନିୟମ ୧୯୬୧ର ନିୟମ ୯୩(୨)(ଏ)ରେ ବଡ଼ ସଂଶୋଧନ କରିଥିଲେ। ତେବେ ବିରୋଧୀ ଦଳ ଏପ୍ରକାର ସଂଶୋଧନକୁ ବିରୋଧ କରିଆସୁଛନ୍ତି। ଏସବୁ ମଧ୍ୟରେ କଂଗ୍ରେସ ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ରିପୋର୍ଟ ଅନୁସାରେ କଂଗ୍ରେସ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ପିଟିସନ୍ ଦାୟର କରାଯାଇଛି। ଏଥିରେ କେନ୍ଦ୍ର ସରକାର ନିର୍ବାଚନ ପରିଚାଳନା ନିୟମରେ କରିଥିବା ସଂଶୋଧନ ଦ୍ୱାରା ନିର୍ବାଚନ ପ୍ରକ୍ରିୟା ବିଶ୍ୱସନୀୟତା ହରାଉଥିବା କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ନିର୍ବାଚନ ପରିଚାଳନା ନିୟମ-୧୯୬୧ ଅନ୍ତର୍ଗତ ନିର୍ବାଚନ ଆୟୋଗ ଦେଶରେ ମୁକ୍ତ ଓ ଅବାଧ ନିର୍ବାଚନ ଆୟୋଜନ କରିବା ନେଇ ଏକ ସ୍ୱତନ୍ତ୍ର ଅଧିକାର ପାଇଛନ୍ତି। ନିର୍ବାଚନ କମିଶନ ଏକ ସାମ୍ବିଧାନିକ ସଂସ୍ଥା। ଏପରି ସ୍ଥିତିରେ ଲୋକଙ୍କ ବିଚାରବିମର୍ଶ ନ କରି ଏକତରଫା ଭାବେ ଏପ୍ରକାର ଏକ ଗୁରୁତ୍ୱପୂର୍ଣ୍ଣ ଆଇନ୍‌ରେ ପରିବର୍ତ୍ତନ କରିବା ଆଦୌ ଠିକ୍ ନୁହେଁ। ଏକତରଫା ଭାବେ ଏହାକୁ ବଦଳାଇବାକୁ ଅନୁମତି ମିଳିପାରିବ ନାହିଁ।

ନିର୍ବାଚନ କମିସନଙ୍କ ସୁପାରିସ ଆଧାରରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଶୁକ୍ରବାର ନିର୍ବାଚନ ପରିଚାଳନା ନିୟମ ୧୯୬୧ର ନିୟମ ୯୩(୨)(ଏ)ରେ ସଂଶୋଧନ କରିବା ପୂର୍ବକ ସର୍ବସାଧାରଣ ଯାଞ୍ଚ ପାଇଁ ସିସିଟିଭି ଫୁଟେଜ ମଗାଯିବା ଉପରେ ସଂଶୋଧନ ଦ୍ୱାରା ପ୍ରତିବନ୍ଧକ ଲଗାଯାଇଛି। ଏଣିକି ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ଇଲେକ୍‌ଟ୍ରୋନିକ ରେକର୍ଡ ସର୍ବସାଧାରଣରେ ତନଖି ପାଇଁ ଉପଲବ୍ଧ ହେବ ନାହିଁ। ସିଧାଅର୍ଥରେ କହିଲେ ସିସିଟିଭି କ୍ୟାମେରା ଓ ୱେବକାଷ୍ଟିଂ ଫୁଟେଜ୍ ଭଳି କେତେକ ଇଲେକ୍ଟ୍ରୋନିକ୍ ଦସ୍ତାବିଜର ସର୍ବସାଧାରଣ ଯାଞ୍ଚ ସହ ପ୍ରାର୍ଥୀଙ୍କ ଭିଡିଓ ରେକର୍ଡିଂକୁ ରୋକିବା ପାଇଁ ସରକାର ନିର୍ବାଚନ ନିୟମରେ ସଂଶୋଧନ କରିଛନ୍ତି।

ଅନ୍ୟପକ୍ଷେ ନିର୍ବାଚନ ଆୟୋଗ ଏନେଇ ରଖିଥିବା ସ୍ପଷ୍ଟୀକରଣ ଅନୁସାରେ ନିର୍ବାଚନ ପ୍ରକ୍ରିୟାଜନିତ କେତେକ ଅସ୍ପଷ୍ଟତାକୁ ଦୂର କରିବା, ମତଦାନ ଗୋପନୀୟତା ଉଲ୍ଲଂଘନକୁ ରୋକିବା ଓ ଏଆଇ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ଦ୍ୱାରା ମତଦାନ କେନ୍ଦ୍ର ଭିତରର ସିସିଟିଭି ଫୁଟେଜର ସମ୍ଭାବ୍ୟ ଅପବ୍ୟବହାର ଭଳି ଗମ୍ଭୀର ପ୍ରସଙ୍ଗକୁ ବିଚାର କରି ନିୟମକୁ ସଂଶୋଧନ କରାଯାଇଛି। ସୁତରାଂ ସଂଶୋଧନ ଦ୍ୱାରା କେବଳ ନିୟମରେ ଉଲ୍ଲେଖ ଥିବା ରେକର୍ଡ ସର୍ବସାଧାରଣ ଯାଞ୍ଚ ପାଇଁ ଉପଲବ୍ଧ ହେବ ଓ କୌଣସି ଇଲେକ୍‌ଟ୍ରୋନିକ୍ ଦସ୍ତାବିଜର ସର୍ବସାଧାରଣ ଯାଞ୍ଚ ନିମନ୍ତେ ଅନୁମତି ଦିଆଯିବ ନାହିଁ ବୋଲି ବ୍ୟବସ୍ଥା କରାଯାଇଛି। ପ୍ରକାଶ, ପୂର୍ବରୁ ଥିବା ନିୟମ ୯୩ ଅନୁଯାୟୀ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ଦସ୍ତାବିଜ ସର୍ବସାଧାରଣଙ୍କ ଯାଞ୍ଚ ପାଇଁ ଉନ୍ମୁକ୍ତ ରହିଥିଲା। କିନ୍ତୁ ଏବେ ସଂଶୋଧନ ପ୍ରକ୍ରିୟା ଆଳରେ ଇଲେକ୍‌ଟ୍ରୋନିକ ଦସ୍ତାବିଜଗୁଡ଼ିକୁ ନିର୍ଦ୍ଦିଷ୍ଟ ଯାଞ୍ଚ ପ୍ରକ୍ରିୟାରୁ ବାଦ୍ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking