ପୁଞ୍ଜିପତିଙ୍କୁ ଲକ୍ଷ ଲକ୍ଷ କୋଟି ଟଙ୍କା – ଚାଷୀ ପାଇଁ ନାହିଁ ଗୋଟିଏ ଟଙ୍କା
ଭୁବନେଶ୍ୱର: ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ମୋଟ ଜନସଂଖ୍ୟାର ୭୦ ଭାଗ ଲୋକ କୃଷି ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ଅନେକ ସମୟରେ ପ୍ରାକୃତିକ ବିପର୍ଯ୍ୟୟ, ଫସଲହାନୀ, ଋଣଭାର ଯୋଗୁଁ ଚାଷୀ ଆତ୍ମହତ୍ୟା ଲାଗିରହିଛି। କିନ୍ତୁ ଦୁର୍ଭାଗ୍ୟର ବିଷୟ କେନ୍ଦ୍ର ବିଜେପି ନରେନ୍ଦ୍ର ମୋଦି ସରକାର ଦେଶର ବଡ଼ ବଡ଼ ପୁଞ୍ଜିପତି ଓ ଶିଳ୍ପପତିଙ୍କଠାରୁ ବିନା ସର୍ତରେ ଲକ୍ଷ ଲକ୍ଷ କୋଟି ଟଙ୍କା ଋଣଛାଡ଼ କରୁଥିବା ବେଳେ ଚାଷୀଙ୍କଠାର ଫଟା ପାହୁଲାଟିଏ ଋଣଛାଡ଼ ନ କରିବା ଚାଷୀକୂଳକୁ ବ୍ୟଥିତ କରିଛି ବୋଲି ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ଚାଷୀଙ୍କ ପ୍ରତି କେତେ ଦରଦ ଏଥିରୁ ପ୍ରମାଣିତ ବୋଲି କହିଛନ୍ତି। ଚାଷୀଙ୍କ ଦୂରାବସ୍ଥାକୁ ଉପଲବ୍ôଧ କରି ୨୦୦୮ରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଦେଶର ଋଣଭାରରେ ଥିବା ୫କୋଟି ଚାଷୀଙ୍କଠାରୁ ୭୨ହଜାର ୬୮୦ କୋଟି ଟଙ୍କା ଋଣଛାଡ଼ କରିଥିବା ବେଳେ ତନ୍ମଧ୍ୟରୁ ଓଡ଼ିଶାର ୨୫ ଲକ୍ଷରୁ ଉର୍ଦ୍ଧ୍ୱଚାଷୀ ୨୬ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଛାଡ଼ ପାଇଥିଲେ।
ଏପରିକି ବୈଦ୍ୟନାଥନ କମିଟିଙ୍କ ସୁପାରିଷ ଆଧାରରେ ପ୍ରାଥମିକ କୃଷି ସେବା ସମବାୟ ସମିତି, କେନ୍ଦ୍ର ସମବାୟ ସମିତି ଓ ଓଡ଼ିଶା ରାଜ୍ୟ ସମବାୟ ସମିତିଗୁଡ଼ିକର ଦୃଢ଼ କମ୍ପ୍ୟୁଟରୀକରଣ ସହିତ ମାନବ ସମ୍ବଳ ବିକାଶକୁ ତ୍ୱରାନ୍ୱିତ କରାଯାଇଥିଲା। ଫଳରେ ଏହି ସମିତିଗୁଡ଼ିକ ସଶକ୍ତ ହେବା ଯୋଗୁଁ କୃଷି ବ୍ୟବସାୟ ବାଣିଜ୍ୟ ପାଇଁ ଆଜି ସକ୍ଷମ ହୋଇପାରିଛନ୍ତି। ଏବେ ଯଦି କୌଣସି ବ୍ୟକ୍ତିର ବ୍ୟାଙ୍କଜମା ଧାର୍ଯ୍ୟପରିମାଣରୁ ଟଙ୍କାଟିଏ କମ୍ ହେଲେ ବ୍ୟାଙ୍କଗୁଡ଼ିକ ସେ ବାବଦରେ ଜୋରିମାନା ଭିଡ଼ି ନେଉଛନ୍ତି। ସାଧାରଣ ଲୋକର କେତୋଟି ଟଙ୍କାର ଋଣ ଅନାଦେୟ ପାଇଁ ବ୍ୟାଙ୍କ କତୃପକ୍ଷ ଘରେ ତାଲା ପକାଉଛନ୍ତି। କିନ୍ତୁ ବଡ଼ ବଡ଼ ପୁଞ୍ଜିପତି ଓ ଶିଳ୍ପପତି, ଘରୋଇ କମ୍ପାନୀଗୁଡ଼ିକ ପ୍ର୍ରତି ଏହି ସରକାରର ଯେପରି ଆନ୍ତରିକତା ରହିଛି ଚାଷୀଙ୍କ ସ୍ୱାର୍ଥ ପ୍ରତି ସେଭଳି ଭାବେ ଆଦୌ ନଜର ନାହିଁ। ଏପରି ବ୍ୟବସ୍ଥା ଆମ ସମାଜ ଅର୍ଥନୀତିରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି। ତେଣୁ କୃଷକର ଆୟ ବୃଦ୍ଧି ପାଇଁ ରାଜ୍ୟ ସରକାର ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଋଣଭାରରେ ଥିବା ରାଜ୍ୟର ପ୍ରାୟ ୩୬ ଲକ୍ଷରୁ ଉର୍ଦ୍ଧ୍ୱଚାଷୀଙ୍କଠାରୁ ପ୍ରାୟ ୪୦ ହଜାର କୋଟି ଟଙ୍କାର ତୁରନ୍ତ କୃଷି ଋଣଛାଡ଼ କରିବା ପାଇଁ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ଦୃଢ଼ଦାବୀ କରାଯାଇଛି।