27.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶ୫ କୋଟି ଭୋଟ୍‌ରେ ଅସଙ୍ଗତି ଥିବା ଦାବି କଲା କଂଗ୍ରେସ

୫ କୋଟି ଭୋଟ୍‌ରେ ଅସଙ୍ଗତି ଥିବା ଦାବି କଲା କଂଗ୍ରେସ

ନୂଆଦିଲ୍ଲୀ:  ଏକ ରିପୋର୍ଟକୁ ଆଧାର କରି କଂଗ୍ରେସ ଏବେ ଏକ ଅଜବ ଧରଣର ଅଭିଯୋଗ କରିବା ଆରମ୍ଭ କରିଦେଇଛି । ‘କଣ୍ଡକ୍ଟ ଅଫ୍ ଲୋକସଭା ଇଲେକ୍‌ସନ୍ସ ୨୦୨୪’ ଶୀର୍ଷକ ଏକ ରିପୋର୍ଟ ସାମ୍ନାକୁ ଆସିଥିବା ବେଳେ ଏହାକୁ ନେଇ କଂଗ୍ରେସ ଏବେ ସମ୍ପୂର୍ଣ୍ଣ ନିର୍ବାଚନୀ ପ୍ରକ୍ରିୟା ଉପରେ ହିଁ ପ୍ରଶ୍ନ ଉଠାଇଛି । ଭୋଟ୍ ଚୂଡ଼ାନ୍ତ ଗଣତି ପରେ ଯଦି ୫ କୋଟି ଭୋଟ୍ ମେଳ ଖାଉଥାଆନ୍ତା, ତେବେ ବିରୋଧୀ ଇଣ୍ଡିଆ ମେଣ୍ଟ ଲୋକସଭାରେ ଅଧିକାଂଶ ଆସନ ଜିତିବାକୁ ସକ୍ଷମ ହୋଇଥାଆନ୍ତା ବୋଲି କଂଗ୍ରେସ ଦାବି କରିଛି । ସିଧାସଳଖ କହିଲେ ୨୦୨୪ ଲୋକସଭା ନିର୍ବାଚନରେ ପ୍ରାୟ ୫ କୋଟି ଭୋଟ୍‌ରେ ଅସଗଙ୍ଗତି ରହିଥିବା କଂଗ୍ରେସ ଦାବି କରିଛି ।
କଂଗ୍ରେସର ବରିଷ୍ଠ ନେତା ପୱନ ଖେରା ନିଜ ସୋସିଆଲ ମିଡିଆ ଏକ୍ସ’ରେ ଏକ ପୋଷ୍ଟ କରି ଏସମ୍ପର୍କରେ ଅଭିଯୋଗ କରିଛନ୍ତି । ତାଙ୍କ କହିବାନୁସାରେ ପ୍ରାଥମିକ ଗଣତି ଓ ଚୂଡ଼ାନ୍ତ ଗଣତି ପରେ ଅନ୍ୟୂନ ୫ କୋଟି ଭୋଟ୍ ସହ ବିସଂଗତି ରହିଥିବା ଦେଖିବାକୁ ମିଳିଛି । ଯଦି ଏହି ୫ କୋଟି ଭୋଟ୍ ଚୂଡ଼ାନ୍ତ ଗଣତି ପରେ ସଠିକ୍ ବୋଲି ଜଣାପଡିଥାନ୍ତା ବା ମେଳ ଖାଉଥାଆନ୍ତା, ତେତେବ ବିରୋଧୀ ଇଣ୍ଡିଆ ମେଣ୍ଟ ନିଶ୍ଚିତ ରୂପେ ଲୋକସଭାର ଅଧିକାଂଶ ଆସନ ଜିତିବାକୁ ସକ୍ଷମ ହୋଇଥାଆନ୍ତା । ତାଙ୍କର ଏହି ଦାବି ‘ଭୋଟ୍ ଫର୍ ଡେମୋକ୍ରାସି\’ ଦ୍ୱାରା ପ୍ରକାଶିତ ରିପୋର୍ଟ: ‘କଣ୍ଡକ୍ଟ ଅଫ୍ ଲୋକସଭା ଇଲେକ୍‌ସନ୍ସ ୨୦୨୪\’ ଶୀର୍ଷକ ଏକ ରିପୋର୍ଟ ଉପରେ ଆଧାରିତ ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି । ଖେରାଙ୍କ କହିବାନୁସାରେ ରିପୋର୍ଟରେ ୧୫ଟି ରାଜ୍ୟରେ ଅନ୍ୟୂନ ୭୯ଟି ଆସନକୁ ଭୋଟ୍ ହାର ବୃଦ୍ଧି ଦ୍ୱାରା ଏନ୍‌ଡିଏ/ବିଜେପି ଜିତିଥାଇପାରେ ବୋଲି ଦର୍ଶାଯାଇଛି । ଯଦି ଏହା ସତ୍ୟ, ତେବେ ଇଣ୍ଡିଆ ମେଣ୍ଟକୁ ଲୋକସଭାରେ ସର୍ବାଧିକ ଆସନ ମିଳିବ । ଏହି ପରିପ୍ରେକ୍ଷୀରେ ଖେରା ଭାରତୀୟ ନିର୍ବାଚନ ଆୟୋଗଙ୍କ ଧ୍ୟାନ ଆକର୍ଷଣ ପୂର୍ବକ ଏହି ରିପୋର୍ଟ ଉପରେ ସ୍ପଷ୍ଟୀକରଣ ଦେବାକୁ ଦାବି କରିଛନ୍ତି । ତାଙ୍କ କହିବାନୁସାରେ ଯଦି ରିପୋର୍ଟରେ ସତ୍ୟତା ଥିବା ପ୍ରମାଣିତ ହୁଏ ତେବେ ଭାରତୀୟ ଗଣତନ୍ତ୍ରର ରାଜନୀତି ଇତିହାସରେ ଏହା ଏକ ଉଲ୍ଲେଖନୀୟ ଟର୍ଣ୍ଣିଂ ପଏଣ୍ଟ ସାବ୍ୟସ୍ତ ହେବ ।
୨୨୬ ପୃଷ୍ଠାର ଏହି ରିପୋର୍ଟରେ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ପକ୍ଷଭୁକ୍ତ କରାଯିବା ସହ, ନିର୍ବାଚନ ପରିଚାଳନାରେ ହୋଇଥିବା ଅନେକ ତ୍ରୁଟିକୁ ଅଣଦେଖା କରାଯାଇଥିବା ଭଳି ତଥ୍ୟ ଉଲ୍ଲେଖ କରାଯାଇଛି । ସେହିପରି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଯେପରିକି ୭ ପର୍ଯ୍ୟାୟ ଭୋଟିଂ ପ୍ର୍ରକ୍ରିୟା ମଧ୍ୟରୁ ୨ୟ ପର୍ଯ୍ୟାୟରେ ଗ୍ରହଣ କରାଯାଇଥିବା ମତଦାନ ସମ୍ପର୍କୀତ ସବିଶେଷ ତଥ୍ୟ କଦାପି ପ୍ରଦାନ କରାଯାଇନଥିବା, ୭ଟି ପର୍ଯ୍ୟାୟରେ ହୋଇଥିବା ଭୋଟିଂ ପ୍ରତିଶତକୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବିଳିମ୍ବରେ ଜାରି କରାଯିବା ଭଳି ପ୍ରସଙ୍ଗ ସମ୍ପର୍କରେ ମଧ୍ୟ ଉଜାଗର କରାଯାଇଛି । ୨୦୨୪ ଲୋକସଭା ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ରୂପେ ମୁକ୍ତ ଏବଂ ନିରପେକ୍ଷ ଭାବେ କରାଯାଇନଥିବା ବେଳେ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ସମ୍ଭବତଃ ବାହ୍ୟ ପ୍ରରୋଚନାର ଶିକାର ପୂର୍ବକ ଏକ ନିଷ୍କ୍ରିୟ ପର୍ଯ୍ୟବେକ୍ଷକ କିମ୍ବା ସହଯୋଗୀ ଭାବରେ କାର୍ଯ୍ୟ କରିଥିବାର ରିପୋର୍ଟ ଦର୍ଶାଇଛି । ରିପୋର୍ଟରେ ଏପ୍ରକାର ଆଚରଣକୁ ନିର୍ବାଚନ ଆୟୋଗଙ୍କ ପକ୍ଷପାତିତା ଭାବେ ମଧ୍ୟ ଅଭିହିତ କରାଯାଇଛି ।
ପ୍ରକାଶ, ନିର୍ବାଚନ ଆୟୋଗ ପକ୍ଷରୁ ଜାରି କରାଯାଇଥିବା ଭୋଟିଂ ହାର ମଧ୍ୟରେ ପ୍ରାୟ ୫ କୋଟି ଭୋଟର ଅସଙ୍ଗତି ରହିଛି । ନିର୍ବାଚନ ଆୟୋଗ ପକ୍ଷରୁ ଜାରି ଭୋଟିଂ ହାର ଓ ପ୍ରକୃତ ଭୋଟିଂ ହାର ମଧ୍ୟରେ ୩.୨%ରୁ ୬.୩୨% ଅନୁସାରେ ପ୍ରାୟ ୪,୬୫,୪୬,୮୮୫ ସଂଖ୍ୟକ ଭୋଟ୍ ପାର୍ଥକ୍ୟ ରହିଛି । ବିଶେଷ କରି ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ ଯଥାକ୍ରମେ ୧୨.୫୪% ଓ ୧୨.୪୮% ଭୋଟିଂ ହାର ଅଧିକ ଦର୍ଶାଯାଇଛି । ସୂଚନାଯୋଗ୍ୟ, ଭୋଟ୍ ଫର୍ ଡେମୋକ୍ରାସି (ଭିଏଫ୍‌ଡି) ମହାରାଷ୍ଟ୍ରସ୍ତରୀୟ ଏକ ନାଗରିକ ପ୍ଲାଟଫର୍ମ, ଯାହାକି ୨୦୨୩ରେ ପ୍ରତିଷ୍ଠା କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking