29.1 C
Bhubaneswar
Thursday, July 10, 2025
Homeଓଡିଶାକମ୍ୟୁନିଷ୍ଟ ନେତା ସୁରେଶ ବାରିକଙ୍କ ବିୟୋଗରେ ଶୋକ

କମ୍ୟୁନିଷ୍ଟ ନେତା ସୁରେଶ ବାରିକଙ୍କ ବିୟୋଗରେ ଶୋକ

ଭୁବନେଶ୍ୱର: ବରିଷ୍ଠ କମ୍ୟୁନିଷ୍ଟ ନେତା, ସିପିଆଇର ପୂର୍ବତନ କଟକ ଜିଲ୍ଲା ସମ୍ପାଦକ, ପୂର୍ବତନ ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ କମ୍ରେଡ ସୁରେଶ ଚନ୍ଦ୍ର ବାରିଙ୍କ ୭୫ ବର୍ଷ ବୟସରେ ତାଙ୍କ କଟକ ଶଙ୍କରପୁରସ୍ଥିତ ବାସଭବନରେ ୧୪ତାରିଖ ପୂର୍ବାହ୍ନରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କ ପତ୍ନୀ, କନ୍ୟା, ପୁତ୍ର ଓ ପୁତ୍ରବଧୂ, ଜାମାତା ଏବଂ ଭ୍ରାତୃବର୍ଗମାନେ ଉପସ୍ଥିତ ଥିଲେ। ସେ ଦୀର୍ଘ ୨୦ ବର୍ଷ ଧରି କଟକ ନଗର କମିଟି ସମ୍ପାଦକ ଏବଂ ୧୫ ବର୍ଷ କଟକ ଜିଲ୍ଲା କମିଟି ସମ୍ପାଦକ ଥିଲେ। ଏହାଛଡ଼ା ଇସ୍‌କଫର କର୍ମକର୍ତ୍ତା ଓ ବହୁ ଜନଆନ୍ଦୋଳନର ଅଗ୍ରଣୀ ନେତା ଥିଲେ। ଶଙ୍କରପୁର ସାହି ଅଧିକାରୀ, ଛତ୍ରବଜାର କାର୍ତ୍ତିକେଶ୍ୱର ପୂଜା କମିଟିର ପୂର୍ବତନ ସଭାପତି ଓ ବାଦାମବାଡ଼ି-ଶଙ୍କରପୁର ପୂଜା କମିଟିର ମଧ୍ୟ କର୍ମକର୍ତ୍ତା ରହିଥିଲେ। ଏହାଛଡ଼ା ଶଙ୍କରପୁର ମଧ୍ୟଇଂରାଜୀ ବିଦ୍ୟାଳୟ ଓ ଛତ୍ରବଜାର ହାଇସ୍କୁଲ ପରିଚାଳନା କମିଟିର ସଭାପତି ମଧ୍ୟ ଥିଲେ। ତାଙ୍କ ମୃତ୍ୟୁ ଖବର ପାଇ ରାଜ୍ୟ ଏବଂ କଟକ ଜିଲ୍ଲା ପାର୍ଟି କାର୍ଯ୍ୟାଳୟରେ ପାର୍ଟିର ଲାଲ୍ ପତାକାକୁ ଅର୍ଦ୍ଧନମିତ କରାଯାଇଛି।

ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ, ସମ୍ପାଦକମଣ୍ଡଳୀ ସଭ୍ୟ ଜୟନ୍ତ ଦାସ ଓ ବରିଷ୍ଠ କମ୍ୟୁନିଷ୍ଟ ନେତା ତଥା ପୂର୍ବତନ ବିଧାୟକ ଏନ. ନାରାୟଣ ରେଡି, ଏଆଇଟିୟୁସି ସମ୍ପାଦକ କିଶୋର ଜେନା, ସିପିଆଇ କଟକ ଜିଲ୍ଲା ସମ୍ପାଦକ ବିନୋଦ ବେହେରା, ନଗର ସମ୍ପାଦକ ପ୍ରସନ୍ନ ମହାପାତ୍ର, ଶଙ୍କରପୁର ଶାଖା ସମ୍ପାଦକ ପ୍ରଣବ କିଶୋର ରାଉତରାୟ, ସହସମ୍ପାଦକ ମିହିର ବିଶ୍ୱାଳ, ଶିକ୍ଷକ ନେତା କ୍ଷୀରୋଦ ବିଶ୍ୱାଳ, ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ଅମରେନ୍ଦୁ ମହାନ୍ତି, କଟକ ମହାନଗର ଶାନ୍ତି କମିଟିର ସଭାପତି ଦେବେନ୍ଦ୍ର ସାହୁ, ସମ୍ପାଦକ ଭିକାରୀ ଦାସ ଓ ଶାନ୍ତି କମିଟି, ଛତ୍ରବଜାର କମିଟି, ବାଦାମବାଡ଼ି ବଜାର କମିଟିର କର୍ମକର୍ତ୍ତାମାନେ, ପୂର୍ବତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ୱାଳ, କଟକ ମେୟର ସୁବାସ ସିଂ, ଏସ୍‌ୟୁସିଆଇ (କମ୍ୟୁନିଷ୍ଟ) ନେତା ଖଗେଶ୍ୱର ସେଠୀ ପ୍ରମୁଖ ଶେଷ ଦର୍ଶନ କରି ଶ୍ରଦ୍ଧା ନିବେଦନ କରିଥିଲେ। ସିପିଆଇ କଟକ ଜିଲ୍ଲା ଓ ରାଜ୍ୟ ପାର୍ଟି ପକ୍ଷରୁ ଲାଲ୍ ପତାକାରେ ତାଙ୍କ ମରଶରୀରକୁ ଆଚ୍ଛାଦନ କରାଯାଇ ଶେଷ ସମ୍ମାନ ଦିଆଯାଇ ଥିଲା।

ସିପିଆଇ ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା, ପୂର୍ବତନ ମନ୍ତ୍ରୀ ଶଶୀଭୂଷଣ ବେହେରା, ଆଡଭୋକେଟ୍ ସୁବୀର ପାଲିତ, ସିପିଆଇ (ଏମ୍‌) ନେତା ରବୀନାରାୟଣ ମଲ୍ଲିକ, ସିପିଆଇ ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ଡଃ ପ୍ରଶାନ୍ତ ମିଶ୍ର, ଇସ୍‌କଫ୍‌ର ସାଧାରଣ ସମ୍ପାଦକ ବିଜୟ ପଢ଼ିହାରୀ, ଇପ୍‌ଟାର ସାଧାରଣ ସମ୍ପାଦକ ସୁଷାନ୍ତ ମହାପାତ୍ର, କଂଗ୍ରେସ ନେତା ଓ କର୍ପୋରେଟର ସନ୍ତୋଷ କୁମାର ଭୋଳ ପ୍ରମୁଖ ଶୋକ ପ୍ରକାଶ କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ସୁରେଶ ବାରିକ ତାଙ୍କ ପିତା ଭଜନୀ ବାରିକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଛାତ୍ରାବସ୍ଥାରୁ କମ୍ୟୁନିଷ୍ଟ ପାର୍ଟିରେ ସଭ୍ୟପଦ ଗ୍ରହଣ କରିଥିଲେ। ସୁରେଶ ବାରିକଙ୍କ ପରିବାର ତିନି ପିଢ଼ିର କମ୍ୟୁନିଷ୍ଟ ଭାବେ ପରିଚିତ। ତାଙ୍କୁ ସମ୍ମାନ ଜଣାଇ ଛତ୍ରବଜାର, ମହତାବରୋଡ ଓ ବାଦାମବାଡ଼ି ବଜାର ଦିନକ ପାଇଁ ବନ୍ଦ ରଖାଯାଇଥିଲା। ତାଙ୍କ ବାସସ୍ଥାନରୁ ବିରାଟ ପଟୁଆରରେ ଶବ ଶୋଭାଯାତ୍ରା ବାହାରି ଶଙ୍କରପୁରର ସାତ ସାହି, ଛତ୍ରବଜାର ହାଇସ୍କୁଲ, ଛତ୍ରବଜାର ମହତାବ ରୋଡ, ଦୋଳମୁଣ୍ଡାଇ, ଓ ବାଦାମବାଡ଼ି ଦେଇ ତାଙ୍କ ଗ୍ରାମ ଶ୍ମଶାନରେ ସଂସ୍କାର କରାଯାଇଥିଲା। କଟକ ସହରର ବିଭିନ୍ନ ଅଞ୍ଚଳରେ ଶୋକର ବାତାବରଣ ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking