25.3 C
Bhubaneswar
Wednesday, April 2, 2025
Homeଦେଶ ବିଦେଶପଶ୍ଚିମବଙ୍ଗରେ ସାମ୍ପ୍ରଦାୟିକ ଦଙ୍ଗା: ୩୪ ଗିରଫ, ଇଣ୍ଟରନେଟ୍ ବନ୍ଦ   

ପଶ୍ଚିମବଙ୍ଗରେ ସାମ୍ପ୍ରଦାୟିକ ଦଙ୍ଗା: ୩୪ ଗିରଫ, ଇଣ୍ଟରନେଟ୍ ବନ୍ଦ   

କୋଲକାତା: ପଶ୍ଚିମବଙ୍ଗ ମାଲଦା ଜିଲ୍ଲା ମୋଥାବାରିରେ ଶୁକ୍ରବାର ବିଳମ୍ବିତ ରାତି ତଥା ଶନିବାର ଭୋର ସମୟରେ ଏକ ବଡ଼ଧରଣର ସାମ୍ପ୍ରଦାୟିକ ଦଙ୍ଗା ହୋଇଛି। ଘଟଣାରେ ହାଇକୋର୍ଟ ହସ୍ତକ୍ଷେପ କରିବା ସହ ଏନେଇ ପୁଲିସ ପ୍ରଶାସନ ନିକଟରୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ତଲବ କରିଛନ୍ତି। ପୁଲିସ ଆଇଜି ରାଜେଶ ଯାଦବ ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଗତକାଲି ରାତିରେ ରାମ ନବମୀ ନିମନ୍ତେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ତେବେ ଶୋଭାଯାତ୍ରା ଯିବା ବେଳେ ଏଠାରେ ଥିବା ମସ୍‌ଜିଦ୍ ଉପରକୁ ବାଣ ଫିଙ୍ଗାଯାଇଥିବା ଅଭିଯୋଗ କରି ମୁସଲିମ ସମ୍ପ୍ରଦାୟର କିଛି ଲୋକ ହିନ୍ଦୁ ଧର୍ମାବଲମ୍ବୀଙ୍କ ଶୋଭାଯାତ୍ରା ଉପରକୁ ଢେଲାପଥର ମାଡ଼ କରିଥିଲେ ଓ ରାସ୍ତା ଅବରୋଧ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ହିଂସାତ୍ମକ ପରିସ୍ଥିତି ଉତ୍ପନ୍ନ ହୋଇଥିଲା ଏବଂ ଏହା ଦେଖୁଦେଖୁ ସାମ୍ପ୍ରଦାୟିକ ଦଙ୍ଗାରେ ପରିଣତ ହୋଇଯାଇଥିଲା। ତେବେ ଘଟଣାସ୍ଥଳରେ ପୋଲିସ୍ ଟିମ୍ ପହଞ୍ଚି ରାସ୍ତା ଅବରୋଧ ହଟାଇବାକୁ ଉଦ୍ୟମ କରିଥିଲା। ଏହି ସମୟରେ ପୋଲିସ୍ କର୍ମୀଙ୍କ ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା। ଏପରିକି କିଛି ଦୁର୍ବୃତ୍ତ ପୋଲିସ୍ ଜିପ୍‌କୁ ମଧ୍ୟ ଭାଙ୍ଗି ଦେଇଥିଲେ। ଉତ୍ତ୍ୟକ୍ତଙ୍କୁ ଆୟତ୍ତ କରିବାକୁ ପୋଲିସ୍ ଟିମ୍‌କୁ ଲୁହବୁହା ଗ୍ୟାସ୍ ଓ ଲାଠି ଚାର୍ଜ କରିବାକୁ ପଡିଛି।

ରିପୋର୍ଟ ଅନୁସାରେ ଶନିବାର ପୂର୍ବାହ୍ନରେ ମଧ୍ୟ ଗତକାଲିର ଘଟଣାକୁ ନେଇ ପୁଣିଥରେ ଦୁଇ ସମ୍ପ୍ରଦାୟର ଲୋକମାନେ ପରସ୍ପରକୁ ଆକ୍ରମଣ କରିଛନ୍ତି। ତେବେ ପୁଲିସ ହସ୍ତକ୍ଷେପ ପରେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିଲେ ମଧ୍ୟ ଚାପା ଉତ୍ତେଜନା ଲାଗିରହିଛି। ପରିସ୍ଥିତିକୁ ଦେଖି ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି। ଭିଡିଓ ଆଧାରରେ ଦଙ୍ଗାକାରୀଙ୍କୁ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୩୪ଜଣଙ୍କୁ ଗିରଫ କରାଯାଇଛି। ଏସବୁ ମଧ୍ୟରେ ଶନିବାର ଅପରାହ୍ନରେ ଉଭୟ ପକ୍ଷର ପ୍ରତିନିଧିଙ୍କୁ ନେଇ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି। ବୈଠକ ସଫଳ ହୋଇଛି ଓ ସ୍ଥିତି ଖୁବ୍‌ଶୀଘ୍ର ଶାନ୍ତ ପଡ଼ିବା ଆଶା କରାଯାଉଛି। ଇଣ୍ଟରନେଟ୍ ବନ୍ଦ କରାଯାଇଥିଲେ ମଧ୍ୟ ରାମନବମୀ ଓ ଇଦକୁ ଦୃଷ୍ଟିରେ ରଖି କେତେକ କୋହଳ ପଦକ୍ଷେପ ନିଆଯାଇଛି। ତେବେ ସ୍ଥିତି ନସୁଧୁରିବା ଯାଏଁ କୌଣସି ସଭାସମିତି ଓ ଶୋଭାଯାତ୍ରା ଆଦି ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅପରପକ୍ଷରେ, ଏହି ଘଟଣାକୁ ନେଇ ଆଗତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଆଜି କୋଲକାତା ହାଇକୋର୍ଟଙ୍କ ୨ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ଜିଲ୍ଲାପ୍ରଶାସନ ଓ ପୁଲିସ ପ୍ରଶାସନକୁ ନୋଟିସ ଜାରି କରିଛନ୍ତି। ଏପ୍ରିଲ୍‌୩ ତାରିଖ ସୁଦ୍ଧା ‘ଆକ୍ସନ ଟେକନ୍‌’ରିପୋର୍ଟ ବା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମ୍ପ୍ରତି ଲଣ୍ଡନ ଗସ୍ତରେ ଥିବା ବେଳେ ପଶ୍ଚିମବଙ୍ଗରେ ଏପ୍ରକାର ସାମ୍ପ୍ରଦାୟିକ ଦଙ୍ଗା ସଂଘଠିତ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking