27.1 C
Bhubaneswar
Friday, October 18, 2024
Homeଓଡିଶାମୋହନଙ୍କ ଗୋଟି ଚାଳନା କାମ ଦବ ତ?

ମୋହନଙ୍କ ଗୋଟି ଚାଳନା କାମ ଦବ ତ?

ଭୁବନେଶ୍ୱର: ବିଧାନସଭା ଅଧିବେଶନ ପୁର୍ବରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଯାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାକ୍ଷାତ କରି ଓଡ଼ିଶା ରାଜନୀତିରେ ନୂଆ ପରମ୍ପରା ସୃଷ୍ଟି କରିଛନ୍ତି । ସୌଜନ୍ୟତା ନାଁରେ ସେ ଯେଉଁ ରାଜନୈତିକ ଗୋଟି ଚାଳନା କରିଛନ୍ତି ଏଥିରେ ମୁଖ୍ୟମନ୍ତ୍ରୀ କେତେ ଦୂର ସଫଳ ହେବେ ତାହା ଭବିଷ୍ୟତ କହିବ । ଇତିହାସରେ କୌଣସି ରାଜ୍ୟରେ ବିଧାନସଭା ଅଧିବେଶନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନିଜେ ଯାଇ ବିରୋଧୀ ଦଳ ନେତାଙ୍କ ବାସଭବନକୁ ଯାଇ ଭେଟି ସହଯୋଗ ଲୋଡ଼ିବା ଦେଖାଯାଇ ନାହିଁ । ଏପରିକି ପୂର୍ବରୁ ଓଡ଼ିଶାରେ କୌଣସି ମୁଖ୍ୟମନ୍ତ୍ରୀ ବିରୋଧୀ ଦଳ ନେତାଙ୍କୁ ଭେଟି ସହଯୋଗ ଲୋଡ଼ିବା ପାଇଁ ଅନୁରୋଧ କରିବା ଦେଖାଯାଇ ନଥିଲା ।

ପାର୍ଲାମେଣ୍ଟ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ସର୍ବଦଳୀୟ ବୈଠକ ଡ଼ାକି ଥାଆନ୍ତି । ବିଧାନସଭା ଅଧିବେଶନ ପୂର୍ବରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡ଼ାକିଥାଆନ୍ତି । ଏଣୁ ଓଡ଼ିଶା ବିଧାନସଭା ଅଧିବେଶନ ୨୨ ତାରିଖ ସୋମବାର ଠାରୁ ଅନୁଷ୍ଠିତ ହେବାକୁ ଯାଉଛି । ସେଥିପାଇଁ ସବୁ ଦଳର ସହଯୋଗ ନେବାକୁ ପରମ୍ପରା ଅନୁଯାୟୀ ବାଚସ୍ପତି ସୁରମା ପାଢ଼ୀ ଆଜି(ରବିବାର) ସର୍ବଦଳୀୟ ବୈଠକ ଡ଼ାକିଥିଲେ । ଏ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନିଜେ ଯାଇ ବିରୋଧୀ ଦଳ ନେତାଙ୍କ ସହଯୋଗ ଲୋଡ଼ିବାର କୌଣସି ପରମ୍ପରା ନାହିଁ । ବାଚସ୍ପତି ଯେତେବେଳେ ସର୍ବଦଳୀୟ ବୈଠକ ଡ଼ାକିଛନ୍ତି ସେ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ବାଚସ୍ପତିଙ୍କ ଅଧସ୍ଥନ ନୁହଁନ୍ତି ଯେ ସେ ଯାଇ ବିରୋଧୀ ଦଳ ନେତାଙ୍କୁ ଭେଟି ସହଯୋଗ ଲୋଡ଼ିବେ । ହେଲେ ସବୁ ନିୟମ ଓ ପରମ୍ପରାକୁ ପଛରେ ପକାଇ ନିଜର ମହାନତା ପଦର୍ଶନ କରିବା ପାଇଁ ଏବଂ ଜନ ସାଧାରଣଙ୍କ ପାଖରେ ନିଜର ଭାବମୂର୍ତ୍ତିିକୁ ଅଧିକ ସୁଦୃଢ଼ କରିବା ଲକ୍ଷ ନେଇ ସେ ଯାଇଥିବା କଥା କୁହାଯାଉଛି ।

କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଏହି ସାକ୍ଷାତ ପଛରେ ରାଜନୈତିକ ମହଲରେ ଭିନ୍ନ ଭାବରେ ମତ ଦିଆଯାଉଛି । କୁହାଯାଉଛି ଯେ, ବିଧାନସଭା ଅଧିବେଶନ ସୁରୁଖୁରୁରେ ଚାଲିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ । କାରଣ ମୋହନ ସରକାର କ୍ଷମତାକୁ ଆସିବା ପରେ ଏଭଳି କିଛି ଘଟଣା ଘଟିଛି ଯାହାକୁ ନେଇ ସରକାର ଅଡ଼ୁଆରେ ଅଛନ୍ତି । ବିରୋଧୀ ବେଶ୍ ଫାଇଦାରେ ଅଛନ୍ତି । ମୁଖ୍ୟ ବିରୋଧୀ ଦଳ ଭାବେ ବିଜେଡିକୁ ଯଦି ସନ୍ତୁଷ୍ଟ କରି ରଖି ପାରିବେ ତେବେ ବିଧାନସଭାକୁ ସୁରୁଖୁରୁରେ ଚଲାଇ ପାରିବେ । କାରଣ କଂଗ୍ରେସର ଅସଜଡ଼ା ଘରକୁ ମୁକାବିଲା କରିବାରେ ବିଶେଷ କିଛି ସମସ୍ୟା ଉପୁଜି ନପାରେ । କଂଗ୍ରେସର ସଂଂଖ୍ୟା ବି କମ୍ ନାହିଁ । କିନ୍ତୁ ଗୋଟି ଚାଳନା କରିବା ଭଳି ନରସିଂହ ମିଶ୍ରଙ୍କ ଭଳି ନେତା କଂଗ୍ରେସ ପାଖରେ ନାହାଁନ୍ତି । ଅନ୍ୟପଟରେ ବିଧାୟକ ଦଳର ନେତା ଭାବେ ତାରା ପ୍ରସାଦ ବାହିନୀପତିଙ୍କୁ ଏଥର ନେତା ନ କରି ରାମଚନ୍ଦ୍ର କାଡ଼ାମଙ୍କୁ କରିଛନ୍ତି । ଏଥିରେ ତାରା ଅଧିକ ସକ୍ରିୟ ହୋଇ କାର୍ଯ୍ୟ ନ କରିବାର ସମ୍ଭାବନା ରହିଛି । କାରଣ ତାରା ହିଁ ବିଧାନସଭାରେ ପ୍ରମୁଖ ବିରୋଧୀ ଦଳର ଭୂମିକା ଗ୍ରହଣ କରୁଥିଲେ । ଏ ଦୃଷ୍ଟିରୁ ବିଜେଡି ଉପରେ ଅନେକ କିଛି ନିର୍ଭର କରୁଛି । ବିଧାନସଭାରେ କଂଗ୍ରେସ ସଂଖ୍ୟା ୧୪ ଥିଲାବେଳେ ବିଜେଡିର ସଂଖ୍ୟା ୫୧ ରହିଛି । ଅବଶ୍ୟ ବିଜେଡିକୁ ସନ୍ତୁଷ୍ଟ କରିବା ପାଇଁ ବିଜୁ ପଟ୍ଟନାୟକଙ୍କ ନା’ରେ ଦିଆଯାଉଥିବା କ୍ରୀଡ଼ା ପୁରସ୍କାରକୁ ବନ୍ଦ କରିବା ପାଇଁ ନିଆଯାଇଥିବା ପଦକ୍ଷେପକୁ ସରକାର ହଟାଇ ସାରିଛନ୍ତି । ନିଜେ ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ଗଣମାଧ୍ୟମରେ ସ୍ପଷ୍ଟ କରି ତାଙ୍କ ଆଭିମୁଖ୍ୟ ଜଣାଇ ସାରିଛନ୍ତି ।

ଯେଉଁ ଶ୍ରୀଜଗନ୍ନାଥଙ୍କ କଥା ଏବଂ ଓଡ଼ିଆ ଅସ୍ମିତା କଥା କହି ବିଜେପି କ୍ଷପତାକୁ ଆସିଛି ବୋଲି କୁହାଯାଉଛି ସେହି ଦୁଇଟି ଘଟଣାକୁ ନେଇ ସରକାର ଅଡ଼ୁଆରେ ଅଛନ୍ତି । ରଥଯାତ୍ରା ସମୟରେ ବଡ଼ଠାକୁର ବଳଭଦ୍ରଙ୍କୁ ପକାଇଦେବାର ଅଘଟଣ ସରକାରଙ୍କୁ ସମାଲୋଚନା କରିବା ପାଇଁ ବିରୋଧୀଙ୍କ ପାଖରେ ଅସ୍ତ୍ର ଅଛି । ଏଥିସହ ସବୁଠାରୁ ବଡ଼ ଅସ୍ତ୍ର ବିରୋଧୀ ପାଖରେ ହେଉଛି ରାଜ୍ୟପାଳଙ୍କ ପୁଅ ଜଣେ ରାଜଭବନର ଜଣେ କର୍ମଚାରୀଙ୍କୁ ମାଡ଼ ମାରିବା ଘଟଣାରେ ଅଭିଯୋଗ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବା । ରାଜ୍ୟପାଳ ହେଉଛନ୍ତି ରାଜ୍ୟର ସାମ୍ବିଧାନିକ ମୁଖ୍ୟ । ହେଲେ ସେ ଆଇନ୍‌କୁ ସମ୍ମାନ ଦେବା ବଦଳରେ ତା’ର ଗତିରୋଧ କରିଛନ୍ତି । ସରକାର ଏ କ୍ଷେତ୍ରରେ ଅସହାୟ ହୋଇ ପଡ଼ିଛନ୍ତି । ରାଜ୍ୟପାଳଙ୍କ ପୁଅ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନଯଯିବାରୁ ଓଡ଼ିଆ ଅସ୍ମିତା କଥା ଉଠିଛି । ସେ ଜଣେ ଅଣ-ଓଡ଼ିଆ ହୋଇଥିବାରୁ ଓଡ଼ିଆ କର୍ମଚାରୀଙ୍କୁ ମାଡ଼ ମାରିବା ଘଟଣା ନେଇ ଏହି ପ୍ରସଙ୍ଗ ପଦାକୁ ଆସିଛି । ଆସନ୍ତାକାଲି ବିଧାନସଭା ରାଜ୍ୟପାଳଙ୍କ ଅଭିବାଷଣରୁ ହିଁ ଆରମ୍ଭ ହେବ । ରାଜ୍ୟପାଳ ସମ୍ବିଧାନର ମୁଖ୍ୟ ହୋଇ ଆଇନ୍‌କୁ ସମ୍ମାନ ଦେଇ ନଥିଲା ବେଳେ ତାଙ୍କ ଭାଷଣକୁ ବିରୋଧୀ କଭଳି ଭାବରେ ଗ୍ରହଣ କରୁଛନ୍ତି ତାକୁ ନେଇ ନଜର ରହିଛି । ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀ ନବୀନ ନିବାସ ଯାଇ ବିରୋଧୀ ଦଳ ନେତା ନୀବନ ପଟ୍ଟନାୟକଙ୍କୁ ଭେଟି ସହଯୋଗ ଲୋଡ଼ିଥିଲେ ବି ବାଚସ୍ପତି ଡ଼ାକିଥିବା ସର୍ବଦଳୀୟ ବୈଠକକୁ ସେ ଆସିଲେ ନାହିଁ । ଏ କ୍ଷେତ୍ରରେ ମୁଖ୍ୟ ବିରୋଧୀ ଦଳ ଭାବେ ବିଜେଡିର ଆଭିମୁଖ୍ୟ ବିଧାନସଭାରେ କ’ଣ ରହୁଛି ସେଥିରୁ ହିଁ ଜଣା ପଡ଼ିଯିବ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯେଉଁ ଗୋଟି ଚାଳନା କରିଛନ୍ତି ତାହା ସଫଳ ହେଉଛି କି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking