ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କିରାଣୀ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ମାଲକାନଗିରି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଘଟଣା ଅନୁଯାୟୀ ସୋମନାଥ ବାଙ୍କିଆ ନାମକ ଶିକ୍ଷକ କୌଣସି କାରଣରୁ ନିଳମ୍ବିତ ହୋଇଥିଲେ । ତେବେ ତାଙ୍କ କାଗଜପତ୍ର କାମ କରିବା ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣୀ ରବି ଶଙ୍କର ପାତ୍ର ତାଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ । ଶିକ୍ଷକ ଶ୍ରୀ ବାଙ୍କିଆ ଟଙ୍କା ଦେଇପାରିବେ ନାହିଁ ବୋଲି ଗତ ୭ ମାସରୁ ତାଙ୍କୁ ଅନୁରୋଧ କରିଆସୁଛନ୍ତି । କିନ୍ତୁ ଜାଣିଶୁଣି କିରାଣୀ ଶ୍ରୀ ପାତ୍ର ତାଙ୍କ କାମ କରୁନଥିଲେ ।ଟଙ୍କା ନଦେଲେ କାମ ହେବ ନାହିଁ ବୋଲି ସଫା ସଫା ମନା କରିଦେଉଥିଲେ ।ଶ୍ରୀ ବାଙ୍କିଆ ମଧ୍ୟ ବାରମ୍ବାର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ ।
ଗତକାଲି ପୁଣି ସେ କିରାଣୀ ଶ୍ରୀ ପାତ୍ରଙ୍କୁ ଅନୁରୋଧ କରି ତାଙ୍କ କାଗଜପତ୍ର କାମ କରିଦେବାକୁ ନେହୁରା ହୋଇଥିଲେ ।କିନ୍ତୁ ଶ୍ରୀ ପାତ୍ର କାଲି ମଧ୍ୟ ୫ ହଜାର ଟଙ୍କା ନଦେଲେ କେବେ ମଧ୍ୟ କାମ ହେବ ନାହିଁ ବୋଲି କହିଥିଲେ । ନିଲମ୍ବିତ ଶିକ୍ଷକ ଶ୍ରୀ ବାଙ୍କିଆ ଶେଷରେ ମାଲାକନଗିରି ଭିଜିଲାନ୍ସ ବିଭାଗରେ କେଶ ରୁଜୁ କରିଥିଲେ । କେଶକୁ ଭିତ୍ତି କରି ଡିଏସପି ସଦାନନ୍ଦ ପାଣିଙ୍କ ନେତୃତ୍ୱରେ ଏକ ଟିମ ଆଜି ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଚଢଉ କରିଥିଲା । କିରାଣୀ ଶ୍ରୀ ପାତ୍ର ଟଙ୍କା ନେଇ ତାଙ୍କ ପକେଟରେ ରଖିଥିଲେ । ଭିଜିଲାନ୍ସ ଟିମ ଚଢଉ କରି ରଙ୍ଗ ବୋଳା ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଥିଲା । ଶ୍ରୀ ପାତ୍ରଙ୍କୁ ଗିରଫ କରି ଜୟପୁର ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଥିବା ଜଣାପଡିଛି । ଏନେଇ ଡିଏସପି ଶ୍ରୀ ପାଣିଙ୍କୁ ଯୋଗାଯୋଗ କରିବାକୁ ଏହି ଘଟଣାକୁ ସ୍ୱୀକାର କରିବା ସହ ତଦନ୍ତ ଚାଲିଥିବା କହିଥିଲେ ।