32.1 C
Bhubaneswar
Thursday, October 17, 2024
Homeଦେଶ ବିଦେଶଚନ୍ଦ୍ରରେ ମହାକାଶ କେନ୍ଦ୍ର ନିର୍ମାଣ କରିବ ଚାଇନା

ଚନ୍ଦ୍ରରେ ମହାକାଶ କେନ୍ଦ୍ର ନିର୍ମାଣ କରିବ ଚାଇନା

ବେଜିଂ: ଚାଇନା ଦ୍ୱାରା ଆରମ୍ଭ ହୋଇଥିବା ଅନ୍ତର୍ଜାତୀୟ ଚନ୍ଦ୍ର ଗବେଷଣା କେନ୍ଦ୍ରର ନିର୍ମାଣ ପ୍ରକ୍ରିୟା ଦ୍ୱିତୀୟ ପର୍ଯ୍ୟାୟରେ ୨୦୨୮ରୁ ୨୦୩୫ ମଧ୍ୟରେ କରାଯିବ ବୋଲି ସିଏଏସ୍‌ର ଉପାଧ୍ୟକ୍ଷ ଡିଙ୍ଗ୍ ଚିବିଆଓ କହିଛନ୍ତି। ୨୦୫୦ ପର୍ଯ୍ୟନ୍ତ ଚାଇନାରେ ମହାକାଶ ବିଜ୍ଞାନର ବିକାଶ ପାଇଁ ଏହାକୁ ରୋଡ୍‌ମ୍ୟାପ ଭାବେ ସେ ଦର୍ଶାଇଛନ୍ତି। ଚନ୍ଦ୍ରରୁ ମାଟି ନମୁନା ଆଣିବା ପରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମିଶନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଚାଇନା। ୨୦୫୦ ସୁଦ୍ଧା ଚାଇନା ପକ୍ଷରୁ ମାନବ ଚନ୍ଦ୍ର ମିଶନ, ଚନ୍ଦ୍ରରେ ମହାକାଶ କେନ୍ଦ୍ରର ନିର୍ମାଣ ମିଶନ, ପୃଥିବୀ ବ୍ୟତୀତ ବାସଯୋଗ୍ୟ ଗ୍ରହ ଓ ଜୀବନର ଗବେଷଣା ଆଦିକୁ କାର୍ଯ୍ୟକାରୀ କରିବା ପାଇଁ ବେଜିଂ ଘୋଷଣା କରିଛି। ଚାଇନାର ସର୍ବୋଚ୍ଚ ମହାକାଶ ସଂସ୍ଥା ପକ୍ଷରୁ ମହାକାଶ ବିଜ୍ଞାନ ପାଇଁ ଦେଶର ଦୀର୍ଘକାଳୀନ ବିକାଶ କାର୍ଯ୍ୟକ୍ରମକୁ ଉନ୍ମୋଚନ କରାଯାଇଛି।

ମହାକାଶ କ୍ଷେତ୍ରରେ ଆଗାମୀ କିଛି ଦଶନ୍ଧି ମଧ୍ୟରେ ଚାଇନା ପକ୍ଷରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମିଶନକୁ କାର୍ଯ୍ୟକାରୀ କରାଯିବ। ଏଥିପାଇଁ ୨୦୫୦ ପର୍ଯ୍ୟନ୍ତ ଯୋଜନା ପ୍ରସ୍ତୁତ ହୋଇଛି। ଚାଇନା ଏକାଡେମୀ ଅଫ୍ ସାଇନ୍ସ(ସିଏଏସ୍‌), ଚାଇନା ଜାତୀୟ ମହାକାଶ ପ୍ରଶାସନ ଓ ଚାଇନା ମ୍ୟାନ୍‌ଡ ସ୍ପେସ୍ ଏଜେନ୍ସି ଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ମହାକାଶ ବିଜ୍ଞାନ କ୍ଷେତ୍ରରେ ଦେଶର ଲକ୍ଷ୍ୟଗୁଡ଼ିକୁ ଦର୍ଶାଯାଇଛି, ଯେଉଁଥିରେ ୫ଟି ପ୍ରମୁଖ ବୈଜ୍ଞାନିକ ଥିମ ଅଧୀନରେ ୧୭ଟି ପ୍ରାଥମିକ କ୍ଷେତ୍ର ଏବଂ ଏକ ୩ ପର୍ଯ୍ୟାୟ ବିଶିଷ୍ଟ ରୋଡମ୍ୟାପ୍ ରହିଛି। ତେବେ ଚାଇନାର ଆଗାମୀ ମହାକାଶ ଯୋଜନା ଅନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ୨୦୨୭ ପର୍ଯ୍ୟନ୍ତ ଏହା ମାନବ ଚନ୍ଦ୍ର ଗବେଷଣା ପ୍ରକଳ୍ପ, ଚନ୍ଦ୍ର ଗବେଷଣା କାର୍ଯ୍ୟକ୍ରମର ଚତୁର୍ଥ ପର୍ଯ୍ୟାୟ ଏବଂ ଗ୍ରହ ଗବେଷଣା ପ୍ରକଳ୍ପ ଆଦିକୁ କାର୍ଯ୍ୟକାରୀ କରିବା ଦିଗରେ କାର୍ଯ୍ୟ କରିବ।

ଯୋଜନା ଅନୁଯାୟୀ, ଦେଶର ବୈଜ୍ଞାନିକମାନେ ସୌର ପ୍ରଣାଳୀରେ ବାସଯୋଗ୍ୟ ଗ୍ରହମାନଙ୍କର ଗବେଷଣା କରିବେ ଏବଂ ପୃଥିବୀ ବ୍ୟତୀତ ଅନ୍ୟ ଗ୍ରହରେ ଜୀବନର ଅସ୍ତିତ୍ୱକୁ ସନ୍ଧାନ କରିବେ। ଖାସ୍ କରି ସୌର ପ୍ରଣାଳୀର ଉତ୍ପତ୍ତି ଓ ବିବର୍ତ୍ତନ, ବିଭିନ୍ନ ଗ୍ରହର ବାୟୁମଣ୍ଡଳର ବୈଶିଷ୍ଟ୍ୟ, ଅନ୍ୟ ଗ୍ରହରେ ଜୀବନର ସନ୍ଧାନ ଆଦି କ୍ଷେତ୍ରରେ ଚାଇନା ପକ୍ଷରୁ ଆଗାମୀ ବର୍ଷମାନଙ୍କରେ ଗବେଷଣା କରାଯିବ ବୋଲି ଡିଙ୍ଗ୍ କହିଛନ୍ତି। ସୂଚନାଯୋଗ୍ୟ, ଚାଇନା ୨୦୨୨ରେ ନିଜସ୍ୱ ମହାକାଶ କେନ୍ଦ୍ରର ନିର୍ମାଣ କରିଥିଲା, ଯାହା ସମ୍ପ୍ରତି ଅନେକ ମହାକାଶ ମିଶନକୁ ଲଞ୍ଚ୍ କରିବା ସହ ବୈଜ୍ଞାନିକ ଅଧ୍ୟୟନ ପାଇଁ ଚନ୍ଦ୍ରପୃଷ୍ଠରୁ ନମୁନା ସଂଗ୍ରହ କରି ପୃଥିବୀକୁ ଫେରାଇ ଆଣିବାରେ ସହାୟକ ସାବ୍ୟସ୍ତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking