24.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶଦଲାଇଲାମା ଚୟନ ପ୍ରସଙ୍ଗରେ ଭାରତକୁ ଚୀନ୍‌ର ଚେତାବନୀ

ଦଲାଇଲାମା ଚୟନ ପ୍ରସଙ୍ଗରେ ଭାରତକୁ ଚୀନ୍‌ର ଚେତାବନୀ

ବେଜିଂ : ନୂଆ ଦଲାଇଲାମା ଚୟନ ପ୍ରସଙ୍ଗକୁ ନେଇ ଭାରତ-ଚୀନ୍ ମଧ୍ୟରେ ଉତ୍ତେଜକ ପରିସ୍ଥିତି ଉତ୍ପନ୍ନ ହୋଇଛି । ଦିନକ ପୂର୍ବେ ଭାରତ ପକ୍ଷରୁ କୁହାଯାଇଥିଲା ଯେ, ପରବର୍ତ୍ତୀ ଦଲାଇ ଲାମା ଚୟନ ପ୍ରସଙ୍ଗ ସମ୍ପୂର୍ଣ୍ଣ ରୂପେ ଏବେର ଦଲାଇ ଲାମାଙ୍କ ନିଜସ୍ୱ ଅଧିକାରଗତ ନିଷ୍ପତ୍ତି । ଏଥିରେ ତୃତୀୟ ପକ୍ଷର କୌଣସି ହସ୍ତକ୍ଷେପକୁ ଭାରତ ବରଦାସ୍ତ କରିବ ନାହିଁ । ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଥିଲେ ଯେ, ଦଲାଇ ଲାମା ତାଙ୍କ ଇଚ୍ଛା ଅନୁଯାୟୀ ତାଙ୍କ ଉତ୍ତରାଧିକାରୀ ବାଛିବା ଉଚିତ୍ । ଦଲାଇ ଲାମାଙ୍କ ସ୍ଥିତି କେବଳ ତିଽତୀୟଙ୍କ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱରେ ଥିବା ତାଙ୍କର ସମସ୍ତ ଅନୁଗାମୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତାଙ୍କ ଉତ୍ତରାଧିକାରୀ ଚୟନ କରିବାର ଅଧିକାର କେବଳ ତାଙ୍କର ରହିଛି ।

ଭାରତର ଏପ୍ରକାର ବିବୃତ୍ତି ପରେ ଚୀନ୍ ପ୍ରତିକ୍ରିୟାଶୀଳ ହୋଇପଡିଛି । ଶୁକ୍ରବାର ଚୀନ୍‌, ଭାରତକୁ ଚେତାବନୀ ଦେଇ କହିଛି ଯେ, ତିଽତ ସମ୍ପୂର୍ଣ୍ଣ ରୂପେ ଚୀନ୍‌ର ଆଭ୍ୟନ୍ତରୀଣ ପ୍ରସଙ୍ଗ । ଭାରତ ଏଥିରେ ବୟାନବାଜି ନକରିବା ଉଚିତ୍ । ନଚେତ୍ ଏହା ଦୁଇ ଦେଶ ମଧ୍ୟରେ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହିଛି । ଚୀନ୍‌ର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ମାଓ ନିଙ୍ଗ୍ କହିଛନ୍ତି ଯେ, ଭାରତ ତିବ୍ଦତ ସହ ଜଡିତ ପ୍ରସଙ୍ଗ ଉପରେ ସତର୍କତାର ସହ କାର୍ଯ୍ୟ କରିବା ଉଚିତ୍ ଯାହାଦ୍ୱାରା ଦ୍ୱିପାକ୍ଷିକ ସମ୍ପର୍କରେ ଚାଲିଥିବା ସୁଧାର ପ୍ରଭାବିତ ହେବ ନାହିଁ । ନିଙ୍ଗ୍‌ଙ୍କ କହିବାନୁସାରେ ଭାରତ ୧୪ ତମ ଦଲାଇଲାମାଙ୍କ ଚୀନ୍ ବିରୋଧୀ ବିଚ୍ଛିନ୍ନତାବାଦୀ ସ୍ୱଭାବ ବିଷୟରେ ସ୍ପଷ୍ଟ ହେବା ଉଚିତ୍ ଏବଂ ଜିଜାଙ୍ଗ (ତିବ୍ଦତ) ସହ ଜଡିତ ପ୍ରସଙ୍ଗରେ ଏହାର ପ୍ରତିବଦ୍ଧତାକୁ ସମ୍ମାନ କରିବା ଉଚିତ୍ । ପ୍ରକାଶ, ଚୀନ୍ ତିବ୍ଦତକୁ ଜିଜାଙ୍ଗ ବୋଲି ଉଲ୍ଲେଖ କରେ ।

ଚୀନ୍‌ରୁ ନିର୍ବାସିତ ହୋଇ ବୌଦ୍ଧଧର୍ମର ସର୍ବୋଚ୍ଚ ଆଧ୍ୟାତ୍ମିକ ସନ୍ଥ ତଥା ୧୪ତମ ଦଲାଇ ଲାମା ଭାରତର ଧର୍ମଶାଳାରେ ଡେରା ପକାଇଛନ୍ତି । ତେବେ ତାଙ୍କ ବୟସ ଏବେ ୯୦ ବର୍ଷ ଛୁଇଁଥିବାରୁ ତାଙ୍କ ପରେ ନୂଆ ଦଲାଇ ଲାମା କିଏ ହେବେ ଏବଂ କିପରି ହେବେ ସେନେଇ ତର୍କ ବିତର୍କ ଜାରି ରହିଛି । ଦଲାଇ ଲାମା ନିଜେ ସ୍ପଷ୍ଟ କରିଛନ୍ତି ଯେ, ନୂଆ ଦଲାଇ ଲାମା ନିଯୁକ୍ତି ହେବାର ୬୦୦ ବର୍ଷ ପୁରୁଣା ଅନୁଷ୍ଠାନ ତାଙ୍କ ମୃତ୍ୟୁ ପରେ ମଧ୍ୟ ଜାରି ରହିବ ଏବଂ ୧୫ତମ ଦଲାଇଲାମାଙ୍କ ଚୟନ ସମ୍ପୂର୍ଣ୍ଣ ଭାବେ ଦଲାଇ ଲାମାଙ୍କ ସରକାରୀ କାର୍ଯ୍ୟାଳୟ ଗାଡେନ୍ ଫୋଡ୍ରାଙ୍ଗ ଟ୍ରଷ୍ଟ ଉପରେ ନିର୍ଭର କରିବ । ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ନୂଆ ଦଲାଇ ଲାମା ଚୀନ୍ ବାହାରୁ କେହି ଜଣେ ବୌଦ୍ଧ ସନ୍ଥ ହେବେ । କିନ୍ତୁ ଚୀନ୍‌ର ଦାବି ହେଉଛି ନୂଆ ଦଲାଇ ଲାମା ଚୀନ୍‌ରୁ ହିଁ ଜଣେ କେହି ହେବେ ଏବଂ ଏଥିପାଇଁ ଚୀନ୍ ସରକାରଙ୍କ ମଞ୍ଜୁରୀ ଆବଶ୍ୟକ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking