ନୂଆଦିଲ୍ଲୀ: ଭାରତକୁ ଦୁର୍ବଳ କରିବା ଉଦ୍ଦେଶ୍ୟରେ ଚୀନ୍, ପାକିସ୍ତାନ ଏବଂ ବାଂଲାଦେଶ ଏବେ ହାତ ମିଳାଇଛନ୍ତି । ଏହି ତିନି ରାଷ୍ଟ୍ର ଏବେ ଦକ୍ଷିଣ ଏସିଆରେ ଏକ ନୂଆ ଆଞ୍ଚଳିକ ଗୋଷ୍ଠୀ ଗଠନ କରି ସାର୍କ (ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଂଗଠନ)ର ଏକ ବିକଳ୍ପ ସଂଗଠନ ଗଠନ କରିବାକୁ ଯୋଜନା କରୁଛନ୍ତି । ପାକିସ୍ତାନର ଦି ଏକ୍ସପ୍ରେସ ଟ୍ରିବ୍ୟୁନ ରିପୋର୍ଟ ଅନୁସାରେ, ଇସ୍ଲାମାବାଦ ଓ ବେଜିଂ ମଧ୍ୟରେ ଏହି ନୂଆ ଗୋଷ୍ଠୀ ଗଠନ ନେଇ ଆଲୋଚନା ଉନ୍ନତ ପର୍ଯ୍ୟାୟରେ ପହଞ୍ଚିଛି । ଜୁନ୍ ୧୯ରେ ଚୀନ୍ର କୁନମିଂରେ ଅନୁଷ୍ଠିତ ଏକ ତ୍ରିପାକ୍ଷିକ ବୈଠକରେ ବାଂଲାଦେଶ ମଧ୍ୟ ଅଂଶଗ୍ରହଣ କରିଥିଲା । ଏହି ବୈଠକର ମୂଳ ଲକ୍ଷ୍ୟ ଥିଲା ସାର୍କର ଅନ୍ୟ ସଦସ୍ୟ ଦେଶମାନଙ୍କୁ, ଯଥା ଶ୍ରୀଲଙ୍କା, ମାଲଦ୍ୱୀପ ଓ ଆଫଗାନିସ୍ତାନକୁ ନୂଆ ଗୋଷ୍ଠୀରେ ସାମିଲ କରାଇବା । ତେବେ, ବାଂଲାଦେଶର ବୈଦେଶିକ ପରାମର୍ଶଦାତା ଏମ ତୌହିଦ ହୋସେନ ଏହାକୁ ରାଜନୈତିକ ଗୋଷ୍ଠୀ ଗଠନ ନୁହେଁ ବୋଲି କହି ଏହାକୁ ଏକ ସରକାରୀ ସ୍ତରର ବୈଠକ ବୋଲି ସ୍ପଷ୍ଟ କରିଛନ୍ତି । ଏହି ନୂଆ ଗୋଷ୍ଠୀର ମୂଳ ଲକ୍ଷ୍ୟ ହେଉଛି ବାଣିଜ୍ୟ ଓ ଆଞ୍ଚଳିକ ସଂଯୋଗୀକରଣ ମାଧ୍ୟମରେ ଅଞ୍ଚଳରେ ସହଯୋଗ ବୃଦ୍ଧି କରିବା । ଏହି ଘଟଣା ଦକ୍ଷିଣ ଏସିଆରେ ଭାରତର ପ୍ରଭାବକୁ ଚ୍ୟାଲେଞ୍ଜ କରିବା ସହ ଆଞ୍ଚଳିକ ରାଜନୀତିରେ ନୂଆ ଗତିଶୀଳତା ଆଣିବ ବୋଲି ଆଲୋଚନା ହେଉଛି ।
୧୯୮୫ ଡିସେମ୍ବର ୮ରେ ସାର୍କ ରାଷ୍ଟ୍ର ସଂଗଠନ ଗଠନ ହୋଇଥିଲା । ଏଥିରେ ପ୍ରଥମେ ୭ଟି ରାଷ୍ଟ୍ର ସଦସ୍ୟ ରହିଥିଲେ । ୨୦୦୭ରେ ଆଫଗାନିସ୍ତାନ ଏଥିରେ ସାମିଲ ହୋଇଥିଲା । ତେବେ ୨୦୧୬ରୁ ସାର୍କ ସଂଗଠନ ଏକପ୍ରକାର ଅଚଳ ହୋଇପଡିଛି । ୨୦୧୪ ପର ଠାରୁ ସାର୍କ ରାଷ୍ଟ୍ରମୁଖ୍ୟମାନଙ୍କ ବିଧିବଦ୍ଧ ବୈଠକ ଅନୁଷ୍ଠିତ ହୋଇନାହିଁ । ୨୦୧୬ରେ ଇସଲାମାବାଦରେ ହେବାକୁ ଥିବା ୧୯ତମ ସାର୍କ ସମ୍ମିଳନୀରେ ଭାରତ ଯୋଗଦେଇନଥିଲା । ଏପରି କି ଏହି ବୈଠକରେ ଆଫଗାନିସ୍ତାନ, ବାଂଲାଦେଶ, ଭୁଟାନ ମଧ୍ୟ ଯୋଗ ଦେଇ ନଥିଲେ । ଉରିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନକୁ ଭାରତ ଦାୟୀ କରି ସମ୍ମିଳନୀରୁ ଓହରି ଯାଇଥିଲା । ସାର୍କ ସଂଗଠନର ଏପରି ଅଚଳାବସ୍ଥାକୁ ଦେଖି ପାକିସ୍ତାନ ଓ ଚୀନ ନୂଆ ଆଞ୍ଚଳିକ ରାଷ୍ଟ୍ରସଂଗଠନ ଗଠନ କରିବାକୁ ଯୋଜନା ଚଳାଇଛନ୍ତି । ଏହି ସଂଗଠନରେ ଶ୍ରୀଲଙ୍କା, ମାଳଦ୍ୱୀପ ଓ ଆଫଗାନିସ୍ତାନ ମଧ୍ୟ ସାମିଲ ହେବେ । ତେବେ ବର୍ତ୍ତମାନ ସୁଦ୍ଧା ଏହି ସଂଗଠନରେ ସାମିଲ ହେବା ପାଇଁ ଭାରତକୁ ନିମନ୍ତ୍ରଣ କରାଯାଇ ନାହିିଁ ।