30.1 C
Bhubaneswar
Tuesday, February 3, 2026
Homeଓଡିଶାବାଲ୍ୟ ବିବାହ ମୁକ୍ତ ଭାରତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ବାଲ୍ୟ ବିବାହ ମୁକ୍ତ ଭାରତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଯାଜପୁର: ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଏବଂ ରୁଚିକା ସମାଜ ସେବା ସଂଗଠନର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଗୌତମ ବୁଦ୍ଧ ସଂସ୍କୃତି ଭବନରେ ବାଲ୍ୟ ବିବାହ ମୁକ୍ତ ଭାରତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମ ଆରମ୍ଭରେ ବାଲ୍ୟ ବିବାହକୁ ବନ୍ଦ କରିବା ପାଇଁ ସାମୂହିକ ଶପଥ ପାଠ କରାଯାଇଥିଲା। ଏହି ସଭାରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପାର୍ବତୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବାଲ୍ୟ ବିବାହ ଭଳି କୁପ୍ରଥାକୁ କିପରି ଉଚ୍ଛେଦ କରାଯାଇପାରିବ, ସେ ସମ୍ପର୍କରେ ଆଲୋକପାତ କରିଥିଲେ ଏବଂ ଏଦିଗରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରଶଂସା କରିଥିଲେ। ଅନ୍ୟତମ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ବାଲ୍ୟ ବିବାହକୁ ରୋକିବା ପାଇଁ ପ୍ରଶାସନ, ସମାଜସେବୀ, ଏନଜିଓ, ନାଗରିକ ସମାଜ ସମସ୍ତଙ୍କ ମିଳିତ ପ୍ରୟାସ ଲୋଡ଼ା ବୋଲି ବକ୍ତବ୍ୟରେ ଉଲ୍ଲେଖ କରିଥିଲେ। ଏହି ବିଷୟରେ ଅତିଥିମାନେ ବିସ୍ତୃତ ଆଲୋଚନା କରି ସେମାନଙ୍କ ମତ ବ୍ୟକ୍ତ କରିଥିଲେ। ବାଲ୍ୟ ବିବାହକୁ ରୋକିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଆଗଧାଡିର କର୍ମଚାରୀମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ବାଲ୍ୟ ବିବାହକୁ ଦୃଢତାର ସହ ସାମ୍ନା କରିଥିବା ମହିଳାମାନେ ସେମାନଙ୍କ ଅନୁଭୂତି ବାଣ୍ଟିଥିଲେ ଏବଂ ବାଲ୍ୟ ବିବାହ ପ୍ରଥାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବା ପାଇଁ ସଭାରେ ଉପସ୍ଥିତ ମାଆମାନଙ୍କୁ ଅନୁରୋଧ କରିଥିଲେ। ରୁଚିକା ଅନୁଷ୍ଠାନର କର୍ମଚାରୀମାନେ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନର ସଚେତନତା ବାର୍ତ୍ତାକୁ ନେଇ ଏକ ସୁନ୍ଦର ସଙ୍ଗୀତ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ, ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ଶ୍ରୀମତୀ ରେକ୍ସୋନା ଜେନା, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସତ୍ୟବ୍ରତ ପାଣିଗ୍ରାହୀ, ରୁଚିକା ସମାଜ ସେବା ସଂଗଠନର ସମ୍ପାଦକ ଉମାଶଙ୍କର ଷଡ଼ଙ୍ଗୀ ଓ ନିର୍ଦ୍ଦେଶକ ଆରପି ଦ୍ୱିବେଦୀ, ସିଡିପିଓ ଏବଂ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ରୁଚିକା ସଂଗଠନର ଜିଲ୍ଲା ସଂଯୋଜକ ଦେବପ୍ରସାଦ ପାଠକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking