ଭୁବନେଶ୍ୱର: ‘ଶାରୀରିକ କ୍ଷମତା ବା ଭିନ୍ନ-କ୍ଷମତା ପ୍ରତିଭାର ବିକାଶରେ କେବେ ବି ବାଧା ସୃଷ୍ଟି କରେ ନାହିଁ। ସମାଜର ସହଯୋଗ ଓ ପରିବାରର ପ୍ରେରଣା ଦ୍ୱାରା ଆଜି ଅନେକ ଭିନ୍ନକ୍ଷମ ବ୍ୟକ୍ତି ବିଭିନ୍ନ କ୍ଷେତ୍ରରେ ସଫଳତା ପ୍ରଦର୍ଶନ କରି ଏହା ପ୍ରମାଣିତ କରିଛନ୍ତି। ଆପଣମାନଙ୍କ ସ୍ୱପ୍ନ ଓ ଆଶା ଆକାଂକ୍ଷା ଆମ ବିକାଶର କେନ୍ଦ୍ରବିନ୍ଦୁ। କେବେ ବି ଆଶା ହରାନ୍ତୁ ନାହିଁ, ଶିଖନ୍ତୁ। ଆପଣଙ୍କ ସଫଳତାର କୌଣସି ସୀମା ନାହିଁ। ଯଦି ଆପଣଙ୍କ ପାଇଁ କିଏ ସୀମାରେଖା ଟାଣେ, ତେବେ ତାକୁ ଚ୍ୟାଲେଞ୍ଜ କରନ୍ତୁ। ଆପଣ ନିଶ୍ଚୟ ସୀମାହୀନ ସଫଳତା ହାସଲ କରିପାରିବେ ଓ ଅନ୍ୟମାନଙ୍କ ପାଇଁ ପ୍ରେରଣା ହୋଇପାରିବେ।’ ଭୁବନେଶ୍ୱର ସୋଆ ଅଡିଟୋରିଅମ୍ ଠାରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ- ୨୦୨୫ ଅବସରରେ ଗତ ୧ ତାରିଖରୁ ଆୟୋଜିତ ତିନିଦିନିଆ କାର୍ଯ୍ୟକ୍ରମର ଉଦ୍ଯାପନୀ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଭଳି କହି ଭିନ୍ନକ୍ଷମମାନଙ୍କୁ ପ୍ରେରଣା ଦେଇଛନ୍ତି।
ଏହାଛଡ଼ା ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଭିନ୍ନକ୍ଷମମାନଙ୍କ ସମସ୍ୟା ଉପରେ ଆମ ସରକାର ସବୁବେଳେ ପ୍ରାଥମିକତା ଦେଉଛି, ସେମାନଙ୍କୁ ଉପଯୁକ୍ତ ଶିକ୍ଷା ଓ ଯତ୍ନ ପ୍ରଦାନ କରି ସାମାଜରେ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଆମ ସରକାର ଗୁରୁତ୍ୱ ଦେଇ କାମ କରୁଛି। ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଦାୟିତ୍ୱ ନେବା ପରେ ଭିନ୍ନକ୍ଷମ ବା ଦିବ୍ୟାଙ୍ଗଙ୍କ ପାଇଁ ଯୋଜନା ଓ କାର୍ଯ୍ୟକ୍ରମ ସବୁ ବ୍ୟାପକ କରାଯାଇଛି। ସ୍ୱାଧୀନତା ପରଠାରୁ ୨୦୧୪ ପର୍ଯ୍ୟନ୍ତ ଦେଶରେ ମାତ୍ର ୭ ଲକ୍ଷ ଭିନ୍ନକ୍ଷମ ଲୋକଙ୍କୁ କୃତ୍ରିମ ଉପକରଣ ପ୍ରଦାନ କରିଥିବା ବେଳେ, ୨୦୧୪ ପରେ ବର୍ତ୍ତମାନ ପର୍ଯ୍ୟନ୍ତ ଅର୍ଥାତ୍ ୧୧ ବର୍ଷ ମଧ୍ୟରେ ୩୧ ଲକ୍ଷ କୃତ୍ରିମ ଭିନ୍ନକ୍ଷମ ଉପକରଣ ପ୍ରଦାନ କରାଗଲାଣି। ୨୦୧୫ ମସିହାରେ ମୋଦୀଜୀ ଭିନ୍ନକ୍ଷମଙ୍କ ପାଇଁ ଦିବ୍ୟାଙ୍ଗ ଶବ୍ଦ ଆରମ୍ଭ କରିଥିଲେ। ଆମ ସରକାର ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଜରିଆରେ ରାଜ୍ୟରେ ଥିବା ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ମୁହଁରେ ହସ ଫୁଟାଇବା ସହ ସେମାନଙ୍କୁ ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିକୋଣରୁ ସ୍ୱୟଂସିଦ୍ଧ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ।
ନିଯୁକ୍ତି ଦାତା ଓ ଶିଳ୍ପାନୁଷ୍ଠାନମାନଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇ କହିଥିଲେ ଯେ ଆମ ରାଜ୍ୟରେ ଅନେକ ଭିନ୍ନକ୍ଷମ ଯୁବକଯୁବତୀ ବିଭିନ୍ନ କ୍ଷେତ୍ରରେ ନିୟୋଜିତ ହୋଇ ଦକ୍ଷତାର ସହ କାମ କରୁଛନ୍ତି। ଭିନ୍ନକ୍ଷମମାନଙ୍କ ପାଖରେ ଭରପୂର ପ୍ରତିଭା ରହିଛି। ସେଗୁଡ଼ିକ ନିଯୁକ୍ତି ମାଧ୍ୟମରେ ପ୍ରସ୍ପୁଟିତ ହେବା ଆବଶ୍ୟକ। ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଭିନ୍ନକ୍ଷମମାନେ କାହାର ଦୟା କିମ୍ୱା ସମବେଦନା ଚାହାନ୍ତି ନାହିଁ, ସେମାନେ ଚାହାନ୍ତି ସମ୍ମାନର ସହିତ ଜୀବନ ନିର୍ବାହ କରିବାର ଅଧିକାର ଏବଂ ସେ ଅଧିକାର ପ୍ରଦାନ କରିବା ହେଉଛି ଆମର ଦାୟିତ୍ୱ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଟି-୨୦ ଦୃଷ୍ଟିବାଧିତ ମହିଳା ବିଶ୍ୱକପ କ୍ରିକେଟର ୪ ଜଣ ଖେଳାଳୀଙ୍କ ସମେତ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କୃତୀତ୍ୱ ଅର୍ଜନ କରିଥିବା ସମୁଦାୟ ୩୩ ଜଣ ଭିନ୍ନକ୍ଷମ କ୍ରୀଡ଼ାବିତଙ୍କୁ ସମ୍ୱର୍ଦ୍ଧିତ କରିଥିଲେ। କୃତୀ ବିଦ୍ୟାର୍ଥୀମାନଙ୍କୁ ଲାପଟପ୍ ବଣ୍ଟନର ଶୁଭାରମ୍ଭ କରିଥିଲେ।
କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ ଭିନ୍ନକ୍ଷମ ଭାଇ ଭଉଣୀମାନଙ୍କୁ ସମସ୍ତ ସହଯୋଗ ଓ ସେବା ପ୍ରଦାନ ଜରିଆରେ ସମାଜରେ ସମ୍ମାନଜନକ ସ୍ଥାନରେ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି। ସେମାନଙ୍କ ପାଇଁ ବର୍ଦ୍ଧିତ ହାରରେ ଭତ୍ତା ବ୍ୟବସ୍ଥା, ଅନ୍ତୋଦ୍ୟୟ ଗୃହ ଯୋଜନାରେ ବାସଗୃହ, ଛାତ୍ରବୃତ୍ତି ଆଦିର ବ୍ୟବସ୍ଥା କରାଯାଇଛି। ଆଗାମୀ ଦିନରେ ଶିକ୍ଷାପ୍ରଦାନ କ୍ଷେତ୍ରରେ ଆହୁରି ଅଧିକ ସ୍ୱତନ୍ତ୍ର ଶିକ୍ଷକ ନିୟୋଜନ କରାଯିବ। ଭିନ୍ନକ୍ଷମମାନଙ୍କୁ ଉତ୍ସାହିତ କରି କହିଥିଲେ ଆପଣମାନଙ୍କ ଲକ୍ଷ୍ୟ ଯଦି ଠିକ୍ ରହେ, ତେବେ ନିଶ୍ଚିତ ରୂପେ ଲକ୍ଷ୍ୟ ପଥରେ ପହଞ୍ଚିବେ। ତେଣୁ ନିଜ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖି ଲକ୍ଷ୍ୟପଥରେ ଅଗ୍ରସର ହୁଅନ୍ତୁ। କାର୍ଯ୍ୟକ୍ରମରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଆର. ଏସ୍. ଗୋପାଳନ ସ୍ୱାଗତ ଭାଷଣ ଦେଇଥିବାବେଳେ ସ୍ୱତନ୍ତ୍ର ସଚିବ ରଜନୀ ଦାନୀ ଧନ୍ୟବାଦ ଦେଇଥିଲେ। ନିର୍ଦ୍ଦେଶିକା ପାରୁଲ ପଟୱାରୀ ଉପସ୍ଥିତ ଥିଲେ।










